ଭୟଙ୍କର ସ୍ଥିତି, ବରଗଡ଼ରେ ଗୋଟିଏ ଘରୁ ୨୦ କରୋନା ପଜିଟିଭ୍‌ ଚିହ୍ନଟ

Published By : Prameya-News7 Bureau | April 20, 2021 IST

ବରଗଡ଼ ୨୦।୦୪ : ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ । ଖାସ୍ କରି ଛତିଶଗଡ଼କୁ ଲାଗିଥିବା ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ସଂକ୍ରମଣ ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ସରକାର ରାଜ୍ୟବ୍ୟାପୀ ସପ୍ତାହନ୍ତ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । କିନ୍ତୁ ଏତେ କଟକଣା ସତ୍ତ୍ୱେ ବି ସଂକ୍ରମଣ ଥମିବାର ନା ନେଉନି । ବରଗଡ଼ ଜିଲ୍ଲାର ଗୋଟିଏ ପରିବାରରୁ ୨୦ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ମିଳିଥିବା ସୂଚନାନୁସାରେ , ଛତିଶଗଡ଼ ସୀମାକୁ ଲାଗିଥିବା ଅମ୍ବାଭୋନା ବ୍ଲକ ସାନସରେଇପାଲି ଗାଁର ଗୋଟିଏ ପରିବାରରୁ ୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଜ୍ୱରରେ ପୀଡ଼ିତ ଜଣେ ମହିଳାଙ୍କ କୋଭିଡ୍‌ ଟେଷ୍ଟରୁ ପଜିଟିଭ ଜଣାପଡ଼ିବା ପରେ ତାଙ୍କ ପରିବାର ସଦସ୍ୟଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା । ଆଉ ଏବେ ପରିବାରର ସମସ୍ତ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହିଳା ଜଣକ କିଛିଦିନ ହେଲା ଘରୁ ବାହାରିନଥିବା ବେଳେ ତାଙ୍କ ପଜିଟିଭ ଆସିଥିବାରୁ ଗାଁରେ ଭୟ ଖେଳିଯାଇଛି ।

ସୂଚନାଯୋଗ୍ୟ ଯେ, ସୋମବାର ଦିନ ରାଜ୍ୟରେ ୪୪୪୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ ଜିଲ୍ଲାରୁ କେବଳ ୧୭୮ଜଣ କୋଭିଡ଼ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତେବେ ଅଞ୍ଚଳର ଗୋଟିଏ ଘରୁ ଏତେ ପରିମାଣରେ କରୋନା ସଂକ୍ରମିତ ଚିହ୍ନଟ ହେବା । ସ୍ଥାନୀୟ ପ୍ରଶାସନ ଓ ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.