ଦିଲ୍ଲୀରେ ୨୦ ଇଲାକା ସିଲ୍, ବିନା ମାସ୍କରେ ଘରୁ ବାହାରିଲେ ଦୃଢ କାର୍ଯ୍ୟାନୁଷ୍ଠାନ
8/04/2020 at 9:11 PM

ନୂଆଦିଲ୍ଲୀ ୦୮।୦୪: କରୋନା ଭାଇରସ୍ ବଢୁଥିବା ମାମଲାକୁ ଦେଖି ଦିଲ୍ଲୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଘର ବାହାରେ ପାଦ ରଖୁଥିବା ପ୍ରତ୍ୟେକ ବ୍ୟକ୍ତି ମୁହଁରେ ମାସ୍କ ଲଗାଇବା ଅନିବାର୍ଯ୍ୟ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ସନ୍ଧ୍ୟାରେ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ସ୍ଵାସ୍ଥ୍ୟ ମନ୍ତ୍ରୀ ସତ୍ୟନ୍ଦ୍ର ଜୈନ ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ, ମୁହଁରେ ମାସ୍କ ଲଗାଇବା ଫଳରେ କରୋନା ଭାଇରସ୍ ସଂକ୍ରମଣ କିଛି ମାତ୍ରାରେ ରୋକା ଯାଇ ପାରିବ। ଏଥିପାଇଁ ନିର୍ଣ୍ଣୟ ନିଆଯାଇଛି ଯେ, ଘରୁ ବାହାରୁଥିବା ପ୍ରତିଟି ଲୋକ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। କପଡାରେ ନିର୍ମିତ ମାସ୍କ ମଧ୍ୟ ଚଳିବ। ଦିଲ୍ଲୀରେ କରୋନା ଭାଇରସ୍ର ୨୦ଟି ହଟ୍ସ୍ପଟ୍ ମଧ୍ୟ ଚିହ୍ନଟ ହୋଇଛି। ଏଠାରେ ଲୋକଙ୍କୁ ଘରୁ ବାହାରିବା ବନ୍ଦ କରାଯାଇଛି। ଏଠାରେ ଅତ୍ୟାବଶ୍ୟକ ସାମଗ୍ରୀର ହୋମ୍ ଡେଲିଭରି ହେବ।

ଅଧିକାରୀଙ୍କ ତଥ୍ୟ ଅନୁଯାୟୀ ଦିଲ୍ଲୀରେ ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା କୋଭିଡ୍-୧୯ର ମୋଟ୍ ୫୭୬ ପଜିଟିଭ୍ ଥିଲା। ଏହି ମହାମାରୀରେ ଅଦ୍ୟାବଧି ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦିଲ୍ଲୀରେ ମୋଟ୍ ୨୦ଟି ହଟ୍ସ୍ପଟ୍ ଚିହ୍ନଟ କରାଯାଇଛି। ଏହି ସବୁ ଇଲାକାକୁ ସଂପୂର୍ଣ୍ଣ ଭାବେ ସିଲ୍ କରାଯାଇଛି। ଏହି ସବୁ ଅଞ୍ଚଳରେ ଲୋକଙ୍କୁ ଘରୁ ବାହାରିବାକୁ ଦିଆଯିବ ନାହିଁ। ସଦର ଇଲାକାରେ କିଛି ପଜିଟିଭ୍ ମାମଲା ସାମ୍ନାକୁ ଆସିବା ପରେ ଏହାକୁ ସିଲ୍ କରି ଦିଆଯାଇଛି।
ଲକ୍ଡାଉନ୍ ଉଲ୍ଲଂଘନ କରିବା ନେଇ ଦିଲ୍ଲୀରେ ବୁଧବାର ୧୮୦ରୁ ଅଧିକ କେସ୍ ରୁଜୁ ହୋଇଛି। ୩,୯୫୯ ଜଣଙ୍କୁ ପୋଲିସ୍ ଅଟକ ରଖିଛି। ପୋଲିସ୍ କହିଛି ଯେ, ବନ୍ଦ ସମୟରେ ଗମନାଗମନ ପାଇଁ କେବଳ ୭୮୮ ପାସ୍ ଜାରି କରାଯାଇଛି।