ହାର୍ଦ୍ଦିକ ପଟେଲଙ୍କୁ ୨ବର୍ଷ ଜେଲ

Published By : Prameya-News7 Bureau | July 25, 2018 IST

ଅହମଦାବାଦ ୨୫/୭ : ଗୁଜରାଟରେ ଭିସ୍ନାଗରଠାରେ ୨୦୧୫ ମସିହାରେ ଜଣେ ବିଜେପି ବିଧାୟକଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା ଘଟଣାରେ ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ଦୁଇ ବର୍ଷ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜୋରିମାନା କରିଛନ୍ତି ଅଦାଲତ | ହାର୍ଦ୍ଦିକଙ୍କ ଦୁଇ ଜଣ ସହଯୋଗୀ ଲାଲଜୀ ପଟେଲ ଏବଂ ଏ.କେ.ପଟେଲଙ୍କୁ ମଧ୍ୟ ସମାନ ଦଣ୍ଡ ବିଧାନ କରାଯାଇଛି | ତେବେ ଦଣ୍ଡାଦେଶ ପରେ ୩ଜଣ ଯାକଙ୍କୁ ଅଦାଲତ ଜାମିନ ପ୍ରଦାନ କରିଛନ୍ତି | ୨୦୧୫ ମସିହାରେ ପଟିଦାରଙ୍କ ଆରକ୍ଷଣ ସମ୍ପର୍କିତ ଆନ୍ଦୋଳନ ବେଳେ ହାର୍ଦ୍ଦିକଙ୍କ ପ୍ରାୟ ୫୦ ହଜାର ସମର୍ଥକ ମେହେସ୍ନା ଜିଲ୍ଲା ଠାରେ ବିଜେପି ବିଧାୟକ ଋଷିକେଶ ପଟେଲଙ୍କ କାର୍ଯ୍ୟାଳୟରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା | ଏହି ଘଟଣାରେ ହାର୍ଦ୍ଦିକ ପଟେଲ ଓ ତାଙ୍କର ୧୭ଜଣ ସହଯୋଗୀଙ୍କୁ ପୋଲିସ ଗିରଫ କରିଥିଲା | ତେବେ ପରବର୍ତ୍ତୀ ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ଅଦାଲତ ଜାମିନ ପ୍ରଦାନ କରିଥିଲେ | ଏହି ମାମଲାର ଶୁଣାଣି ବେଳେ ଅଦାଲତ ସାକ୍ଷୀ ଓ ପ୍ରମାଣ ଅଭାବରୁ ଅନ୍ୟ ୧୪ ଜଣଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି | ଆଜି ଅଦାଲତଙ୍କ ରାୟ ଆସିବା ପୂର୍ବରୁ ହାର୍ଦ୍ଦିକ ତାଙ୍କ ଫେସବୁକ ପେଜରେ ତାଙ୍କ ସମର୍ଥକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି | ପଟିଦାରଙ୍କ ପାଇଁ ସଂରକ୍ଷଣ ଦାବୀରେ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ବସିବେ ବୋଲି ହାର୍ଦ୍ଦିକ ଘୋଷଣା କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.