‘ଦୁଇ ସପ୍ତାହ ଗୁରୁତ୍ଵପୂର୍ଣ୍ଣ, ଆମକୁ କରୋନା ଠାରୁ ୧୫ ଦିନର ମହଲତ ନେବାକୁ ହେବ’

Published By : Prameya-News7 Bureau | April 01, 2020 IST

ଭୁବନେଶ୍ଵର ୦୧।୦୪:  ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିଲେ ବି ଆହୁରି ଅଧିକ ସାବଧାନତା ଲୋଡା। ବିଶେଷ କରି ସାମାଜିକ ଦୂରତା ଅଧିକ ଗୁରୁତ୍ଵପୂର୍ଣ୍ନ ଏବଂ ଯଥା ସମ୍ଭବ ଘରୁ ନବାହାରିବା ଦରକାର।  ବୁଧବାର ଦୈନିକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ। ତେବେ ସାମ୍ବାଦିକ ସମ୍ମିଳନୀର ଆରମ୍ଭରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଦ୍ଵାର ଗଠିତ ଷ୍ଟେଟ୍ ଲିଭେଲ ମନିଟରିଂ ୟୁନିଟ୍ ଅନ ଗୁଡ୍ସ ଆଣ୍ଡ ସର୍ଭିସେସ୍‌ର ମୁଖ୍ୟ ତଥା ଜଳ ସଂପଦ  ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ରାଜ୍ୟରେ ଯୋଗାଣ ବ୍ୟବସ୍ଥାର କାର୍ଯ୍ୟକାରିତା ନେଇ ତଥ୍ୟ ରଖିଥିଲେ। ଜରୁରୀକାଳୀନ ଭିତ୍ତିରେ ତଥା ସୁଷମ ବଣ୍ଟନ ଓ ଯୋଗାଣ ପଦ୍ଧତିରେ ଜରୁରୀ ତଥା ଅତ୍ୟାବଶ୍ୟକ ସାମଗ୍ରୀରର ବିତରଣ ଉପରେ ସରକାର କଡା ନଜର ସହ ତାହାକୁ ସୁବ୍ୟବସ୍ଥିତ କରିବାକୁ ସମସ୍ତ ଉଦ୍ୟମ ଜାରି ରଖିଥିବା ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧରେ ମାଲବୋଝେଇ ଟ୍ରକ ଓ ଯାନର ଅବାଧ ଚଳାଚଳ ନେଇ କେନ୍ଦ୍ର ସରକାର ସହଯୋଗ କରୁଛନ୍ତି। ଏପରି  ସ୍ଥିତିରେ ଖାଉଟିମାନେ କୌଣସି ଆଶଙ୍କାରେ ନରହିବାକୁ କହିବା  ସହ ଲକ୍‌ଡାଉନ୍‌ ନିୟମକୁ କଡାକଡି ପାଳନ କରି ସାମାଜିକ ଦୂରତ୍ଵ ନିୟମକୁ ପାଳନ କରିବା ଲାଗି ପୁଣି ଥରେ ଆହ୍ଵାନ କରିଛନ୍ତି ସୁରେନ୍ଦ୍ର କୁମାର।

ଆମ ରାଜ୍ୟ ଓଡିଶାରେ କରୋନା ସ୍ଥିତି ନେଇ ସୂଚନା ଦେଇ ଶ୍ରୀ ବାଗ୍‌ଚୀ କହିଛନ୍ତି ବର୍ତ୍ତମାନ ସୁଦ୍ଧା ପରୀକ୍ଷା କରାଯାଇଥିବା ୬୧୦ ନମୂନାର ୪ଟି ପଜିଟିଭ୍ ଆସିଛି। ପ୍ରଥମ ଦୁଇ ଜଣ ରୋଗୀଙ୍କ ସଂସ୍ପର୍ଶରେ ୫୫ ଜଣ ଆସିଥିବା ବେଳେ ତୃତୀୟ ସଂକ୍ରମିତଙ୍କ ସହ ୧୧୨ ଜଣ ଏବଂ ଚତୁର୍ଥ ସଂକ୍ରମିତଙ୍କ ସହ ସାତ ଜଣ ସଂପର୍କରେ ଆସିଥିଲେ। ତେବେ ଆଜିର ବର୍ତ୍ତମାନ ୮୮ ଜଣ ସଙ୍ଗରୋଧରେ ଅଛନ୍ତି। ୧୦୪ ନମ୍ବରରେ ୧୫ ହଜାର ୪୫ ଜଣ ରେଜିଷ୍ଟ୍ରେସନ କରିଥିବା ବେଳେ ସେଥିରୁ ବିଦେଶ ଫେରନ୍ତା ସଂଖ୍ୟା ୪୩୩୨।

{"id":247503,"sizeSlug":"large"}

ଚତୁର୍ଥ କରୋନା ପଜିଟିଭ୍ ୧୮ରେ ଫେରିଥିଲେ ଦୁବାଇରୁ

ଚତୁର୍ଥ ସଂକ୍ରମିତ ଦୁବାଇରେ କାର୍ଯ୍ୟ କରୁଥିବା ଜଣେ ଓଡିଆ ପ୍ରଫେସନାଲ। ୧୮ ତାରିଖରେ ସେ ଦୁବାଇରୁ କୋଲକାତା ଏମିରେଟ୍ସ ବିମାନରେ ଆସିଥିଲେ। କୋଲାକତାରୁ ହାଓ୍ଵାଡା ଷ୍ଟେସନକୁ ଏକ ଟ୍ୟାକ୍ସିରେ ଯାଇଥିଲେ। ସେଠାରୁ ସେ ଇଷ୍ଟକୋଷ୍ଟ ଏକ୍ସପ୍ରେସର ବଗି ଏସ ୧୧ରେ  ଭଦ୍ରକ ଷ୍ଟେସନକୁ ଆସିଥିଲେ। ଷ୍ଟେସନରୁ ଘରକୁ ଅଟୋ ଯୋଗ ଆସିଥିଲେ ଏବଂ ଘରେ ସଙ୍ଗରୋଧରେ ଥିଲେ। ୩୦ ତାରିଖ ଦିନ ତାଙ୍କ ନମୂନା ପରୀକ୍ଷା ପାଇଁ ଯାଇଥିଲା ଏବଂ ୩୧ ତାରିଖ ଦିନ ଏହା ପଜିଟିଭ୍ ଆସିଥିଲା।

ଏହି ସୂଚନା ସହ କରୋନା ବିରୋଧୀ ଯୁଦ୍ଧ ଲାଗି ଆସନ୍ତା ଦୁଇ ସପ୍ତାହ ସବୁଠୁ ଗୁରୁତ୍ଵପୂର୍ଣ୍ଣ ବୋଲି ଶ୍ରୀ ବାଗ୍ଚୀ କହିଛନ୍ତି। ଏଥିପାଇଁ କରୋନାଠାରୁ ୧୫ ଦିନର ମହଲତ ନେବାକୁ ଆହ୍ଵାନ କରିଛନ୍ତି। ପୁଣି ଥରେ କରୋନା ମୁକାବିଲା ଯୁଦ୍ଧରେ ସହଯୋଗ ଲାଗି ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହାକୁ ଅଧିକ କୋଠର ଓ କଡା କରିବାକୁ ଘରୁ ନବାହାରିବାକୁ ଏବଂ ସାମାଜିକ ଦୂରତା ନିୟମ କଡା କଡି ଭାବେ ପାଳନ କରିବାକୁ ସେ ଆହ୍ଵାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.