ଓ୍ୱେବ୍ ଚ୍ୟାନେଲର ୨ ସାମ୍ବାଦିକ ଗିରଫ, ଶିକ୍ଷକଙ୍କୁ ଧମକ ଦେଇ ଆଦାୟ କରୁଥିଲେ ଟଙ୍କା

Published By : Prameya-News7 Bureau | September 06, 2021 IST

ନବରଙ୍ଗପୁର,୦୬/୦୯: ଶିକ୍ଷକଙ୍କଠୁ ଟଙ୍କା ଆଦାୟ କରି ଫସିଲେ ୩ଜଣ ୱେବ୍‌ ଚ୍ୟାନେଲ୍‌ ସାମ୍ବାଦିକ । ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି । ଅନ୍ୟ ଜଣେ ଫେରାର୍‌ ଅଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଏହି ଘଟଣା ଘଟିଛି । ଗିରଫ ଅଭିଯୁକ୍ତ ହେଲେ ଫୋକସ୍‌ ନ୍ୟୁଜ୍‌ ୱେବ୍‌ ଚ୍ୟାନେଲର ସାମ୍ବାଦିକ ଜିତେନ୍ଦ୍ର କୁମାର ଦାସ, ନ୍ୟୁଜ୍‌-୬ ଓଡ଼ିଶାର ଶଙ୍କର ତୁର୍କ । ଅନ୍ୟ ଜଣେ ଯୁବଶକ୍ତିର ସାମ୍ବାଦିକ ନିଗମ କୁମାର ସାହୁ ଫେରାର୍‌ ଅଛି । ଏହି ତିନି ଜଣଙ୍କ ସହ ଜଣେ ଛାତ୍ରର ଅଭିଭାବକଙ୍କ ନାମରେ ଉମରକୋଟ ଥାନାରେ ମାମଲା ରୁଜୁ ହୋଇଛି । ସମ୍ପୃକ୍ତ ଶିକ୍ଷକ ହେଲେ ଉମରକୋଟ ଥାନା ନାୟକଗୁଡ଼ା ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭକ୍ତ ନାୟକ ।

ଏତଲା ଅନୁସାରେ, ଗତ ୩ ତାରିଖରେ ଏହି ଘଟଣା ଘଟିଥିଲା । ନାୟକଗୁଡ଼ା ଗାଁର କମଳ ବଞ୍ଜାରଙ୍କ ପୁଅ ଯେ କି ଅନ୍ୟ ଏକ ବିଦ୍ୟାଳୟର ଛାତ୍ର ନାୟକଗୁଡା ସ୍କୁଲରେ ପ୍ରବେଶ କରିଥିଲା । ସହକାରୀ ଶିକ୍ଷକ ପ୍ରସନ୍ନ କୁମାର ରାଉତ ପିଲାଟିକୁ ବାରଣ କରି ଘରକୁ ଫେରିଯିବାକୁ କହିଥିଲେ । ପିଲାଟି ଘରକୁ ଚାଲି ଯାଇଥିବାବେଳେ କମଳ ସ୍କୁଲରେ ପହଞ୍ଚି ସମ୍ପୃକ୍ତ ଶିକ୍ଷକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ସ୍କୁଲ କର୍ତ୍ତୃପକ୍ଷ କମଳଙ୍କୁ ବୁଝାସୁଝା କରିଥିଲେ ହେଁ ସେ ବୁଝି ନଥିଲେ । ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ଏଥିରେ ହସ୍ତକ୍ଷେପ କରିଥିଲେ ହେଁ ସମାଧାନର ବାଟ ବାହାରି ନଥିଲା । ଗଣମାଧ୍ୟମକୁ କମଳ ଡକାଇ ଖବର ପ୍ରସାର କରିବାକୁ ଶିକ୍ଷକଙ୍କୁ ଧମକ ଦେଇଥିଲେ । ତା’ ପରଦିନ ଅର୍ଥାତ୍‌ ୪ ତାରିଖରେ ଉକ୍ତ ୩ ଜଣ ସାମ୍ବାଦିକ ପ୍ରଧାନଶିକ୍ଷକଙ୍କୁ ସ୍କୁଲକୁ ଡାକି କାଗଜପତ୍ର ଯାଞ୍ଚ୍‌ କରିଥିଲେ । ଯାଞ୍ଚ ପରେ ଏହି ସାମ୍ବାଦିକମାନେ ପ୍ରଧାନଶିକ୍ଷକଙ୍କୁ ୫୦ ହଜାର ଟଙ୍କା ଦେବାକୁ କହିଥିଲେ । ନଚେତ ଖବର ପ୍ରସାର କରିଦେବୁ ବୋଲି ଧମକ ଦେଇଥିଲେ ।

ଏଥିରେ ପ୍ରଧାନଶିକ୍ଷକ ଭୟଭୀତ ହୋଇ ଅଭିଯୁକ୍ତ ସାମ୍ବାଦିକ ଜିତେନ୍ଦ୍ର କୁମାର ଦାସଙ୍କ ଫୋନ୍‌-ପେ’ରେ ୩୦ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ । ଏଥିରେ ସାମ୍ବାଦିକମାନେ ସନ୍ତୁଷ୍ଟ ହୋଇ ନଥିଲେ । ସ୍କୁଲ କାର୍ଯ୍ୟାଳୟରେ ପଶି କାଗଜପତ୍ର ଫିଙ୍ଗା ଫୋପଡ଼ା କରି ବାକି ଟଙ୍କା ମାଗିଥିଲେ । ପରେ ପ୍ରଧାନଶିକ୍ଷକ ଯୁବଶକ୍ତିର ସାମ୍ବାଦିକ ନିଗମ କୁମାର ସାହୁଙ୍କ ହାତରେ ନଗଦ ୫ ହଜାର ଟଙ୍କା ଦେଇଥିଲେ । କିନ୍ତୁ ଅଭିଯୁକ୍ତମାନେ ବଳକା ଟଙ୍କା ଦାବି କରିଥିଲେ । ପ୍ରଧାନଶିକ୍ଷକଙ୍କ ଜାତିକୁ ଆକ୍ଷେପ କରି ଗାଳିଗୁଲଜ କରିଥିଲେ । ଏହାକୁ ନେଇ ପ୍ରଧାନଶିକ୍ଷକ ଉମରକୋଟ ଥାନାରେ ଏତଲା ଦେଇଥିଲେ । ଅଗିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପ୍ରଧାନଶିକ୍ଷକଙ୍କ ଫୋନ୍‌-ପେରୁ ୩୦ ହଜାର ଟଙ୍କା ଅଭିଯୁକ୍ତଙ୍କ ଆକାଉଣ୍ଟ୍‌କୁ ଯାଇଥିବା ପ୍ରମାଣ ମିଳିଥିଲା । ତିନି ସାମ୍ବାଦିକଙ୍କ ସମେତ କମଳଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.