ବଢ଼ିଲା ଜରିମାନା ରାଶି: ମାସ୍କ ନ ପିନ୍ଧିଲେ ଏବେ ଦେବାକୁ ପଡିବ ୨ ହଜାର ଟଙ୍କା

Published By : Prameya-News7 Bureau | November 19, 2020 IST

ନୂଆଦିଲ୍ଲୀ ୧୯/୧୧ : ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ପରେ ଦିଲ୍ଲୀରେ ମାସ୍କ ନ ପିନ୍ଧି ବୁଲିଲେ ୫୦୦ ଟଙ୍କା ଜାଗାରେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ଦିଲ୍ଲୀ ସରକାର ଏହି ଆଦେଶ ଜାରି କରିଛନ୍ତି। ବୃଦ୍ଧି ପାଉଥିବା କରୋନା ମାମଲାକୁ ନେଇ ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ସରକାରଙ୍କୁ ତାଗିଦ କରିଛନ୍ତି। କୋର୍ଟ କହିଛନ୍ତି ଦିଲ୍ଲୀରେ ଲଗାତାର କରୋନା ମାମଲା ବୃଦ୍ଧି ପାଉଛି। ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବା ପରେ ସେ ପଦକ୍ଷେପ ନେଇଛନ୍ତି। ତା ପୂର୍ବରୁ ସେ କୋଉଠି ଥିଲେ ?

ବିବାହ ସମାରୋହରେ ଅତିଥିଙ୍କ ସଂଖ୍ୟା ୨୦୦ ଋ ୫୦ କରିବା ପାଇଁ ସରକାର ଏତେ ବିଳମ୍ବ କାହିଁକି କଲେ, କାହିଁକି ୧୮ ଦିନ ଅପେକ୍ଷା କରିଥିଲେ ? ମାସ୍କ ନ ଲଗାଇ ବୁଲିଲେ ଜରିମାନା ରାଶି ୨ ହଜାରକୁ ବୃଦ୍ଧି କରିଛନ୍ତି କୋର୍ଟ। କୋର୍ଟ କହିଛନ୍ତି, ମାସ୍କ ନ ବ୍ୟବହାର କରୁଥିବା ଲୋକଙ୍କ ଠାରୁ ଯେଉଁ ୫୦୦ ଟଙ୍କା ଜରିମାନା ଆଦାୟ କରାଯାଉଛି ତାହା ବହୁତ କମ୍। 

ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ନେଇ ନଭେମ୍ବର ୧ ତାରିଖରେ ହାଇକୋର୍ଟ ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ ସଂକ୍ରମଣ ରୋକିବାକୁ ସରକାର କଣ କଣ ପଦକ୍ଷେପ ନେଇଛନ୍ତି। ଏ ସମ୍ବନ୍ଧରେ ସ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସେ ଆଦେଶ ଦେଇଥିଲେ। ଏହାପରେ ଦିଲ୍ଲୀ ସରକାର ଜବାବ ଦେଇଥିଲେ ଯେ ବିବାହ ସମାରୋହରେ ଅତିଥିଙ୍କ ସଂଖ୍ୟା ୨୦୦ଋ ୫୦ କରାଯାଇଛି। ଏନେଇ କୋର୍ଟ କ୍ରୋଧ ପ୍ରକାଶ କରିଥିଲେ ଯେ ସରକାର ଗତ ୧୮ ଦିନ ହେଲା କେଉଁଠି ଥିଲେ।

ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ହୋଇଥିବା ତାଜା ସୂଚନା ଅନୁଯାୟୀ, ଗତ ୨୪ ଘଂଟାରେ ଦିଲ୍ଲୀରେ ୧୩୧ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି। ଗୋଟିଏ ଦିନରେ ୭ ହଜାର ୪୮୬ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଅପରପକ୍ଷରେ ୬ ହଜାର ୯୦୧ ଜଣ ସୁସ୍ଥ ହୋଇଛନ୍ତି। ନୂଆ ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୩ ହଜାର ୮୪ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଦିଲ୍ଲୀରେ ବର୍ତ୍ତମାନ ୪୨ ହଜାର ୪୫୮ ଆକ୍ଟିଭ ମାମଲା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.