ଶ୍ରୀନଗରରେ ଦୁଇ ଶିକ୍ଷକଙ୍କୁ ହତ୍ୟା ମାମଲାରେ ସରଗରମ ରାଜନୀତି: ପାକିସ୍ତାନରେ ଏୟାର ଷ୍ଟ୍ରାଇକ କରିବାକୁ ଦାବି

Published By : Prameya-News7 Bureau | October 07, 2021 IST

ଶ୍ରୀନଗର ୦୭/୧୦ : ଜାମ୍ମୁ କାଶ୍ମୀର ଶ୍ରୀନଗରରେ ଦୁଇ ଶିକ୍ଷକଙ୍କୁ ହତ୍ୟା ଘଟଣାରେ ରାଜନୈତିକ ଦଳ କ୍ରୋଧ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ ପାକିସ୍ତାନରେ ଏୟାର ଷ୍ଟ୍ରାଇକ କରିବାକୁ ମଧ୍ୟ ଦାବି ହୋଇଛି। ଘଟଣା ଗୁରୁବାର ଦିନର। ପୋଲିସ ଅଧିକାରୀ କହିଛନ୍ତି ଯେ ପାକିସ୍ତାନରେ ବସିଥିବା ହ୍ୟାଣ୍ଡଲର୍ସଙ୍କ ଇସାରାରେ ଆତଙ୍କବାଦୀ ଏହି କାଣ୍ଡ କରିଛନ୍ତି। କୁହାଯାଉଛି ଯେ ସେନା ତରଫରୁ ଚାଲିଥିବା ଅପରେସନ ଯୋଗୁଁ ଆତଙ୍କୀ ଭୟଭୀତ ଅଛନ୍ତି।

ଘଟଣାରେ ପ୍ରତିକ୍ରିୟା ରଖି ଜାମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂହ କହିଛନ୍ତି ଯେ, ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଥିବା ଏହି ଘଟଣା ଅତ୍ୟନ୍ତ ଘୃଣ୍ୟ। ଏହା ଆତଙ୍କ ବିସ୍ତାର କରିବା ଓ କାଶ୍ମିରୀ ସମ୍ପ୍ରଦାୟକୁ ବାଣ୍ଟିବାର ପ୍ରୟାସ। ଘଟଣାର ଯାଞ୍ଚ ଚାଲିଛି। ଖୁବ ଶୀଘ୍ର ଏହି ଆତଙ୍କବାଦୀଙ୍କ ପର୍ଦାଫାଶ ହେବ ବୋଲି ସେ କହିଛନ୍ତି। ଏସବୁ ସୀମା ସେପଟେ ବସିଥିବା ପାକିସ୍ତାନର ହ୍ୟାଣ୍ଡଲର୍ସଙ୍କ ଇସାରାରେ ହେଉଛି ବୋଲି ସେ କହିଛନ୍ତି।

ଜାମ୍ମୁ କାଶ୍ମୀରର ଶିବସେନା ଅଧ୍ୟକ୍ଷ ମନୀଷ ସାହାଣୀ କହିଛନ୍ତି ଯେ କାଶ୍ମିରୀ ପଣ୍ଡିତଙ୍କୁ ବାଛି ବାଛି ଟାର୍ଗେଟ କରାଯାଉଛି। କାରଣ ସରକାର କାଶ୍ମୀରରେ ପଣ୍ଡିତଙ୍କ ସମସ୍ୟା ସମାଧାନ କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି, ଭାରତୀୟ ସେନା କାଶ୍ମୀରରେ ଯେଉଁ ଅପରେସନ ଅଲଆଉଟ ଚଲାଇଛି ସେଥିପାଇଁ ଆତଙ୍କବାଦୀ ପାଗଳ ହୋଇଗଲେଣି ଓ ସେଥିପାଇଁ ସେମାନେ ବାଛି ବାଛି ନିରୀହ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ସେ କହିଛନ୍ତି ପିଏମ ମୋଦିଙ୍କୁ ଆମର ଅପିଲ ଏହା ପଛରେ ପାକିସ୍ତାନ ଅଛି ଓ ପାକିସ୍ତାନ ଉପରେ ଲଗାତାର ଏୟାର ଷ୍ଟ୍ରାଇକ କରନ୍ତୁ।

ସୂଚନା ଅନୁଯାୟୀ, ଗୁରୁବାର ଦିନ ଆତଙ୍କବାଦୀ ଦିନ ଦ୍ବିପ୍ରହରରେ ସ୍କୁଲରେ ପଶି ଦୁଇ ଶିକ୍ଷକଙ୍କୁ ହତ୍ୟା କରିଛନ୍ତି। ଦୁଇ ଶିକ୍ଷକଙ୍କ ମଧ୍ୟରେ ଜଣେ ଶିଖ ଓ ଆଉ ଜଣେ କାଶ୍ମିରୀ ପଣ୍ଡିତ। ମୃତକ ଦୁଇ ଜଣ ହେଲେ ପ୍ରିନ୍ସିପାଲ ସତୀନ୍ଦର ଓ ଶିକ୍ଷକ ଦୀପକ ଚନ୍ଦ। ଗୁଳି ବାଜିବା ପରେ ଦୁଇ ଜଣଙ୍କୁ ସୌରା SKIMS ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷିତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.