ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ନାମ ଲେଖାଇବା ପାଇଁ ପ୍ରୟାସ କରୁଥିବା ଦୁଇ ଜଣ ଛାତ୍ର ଚିହ୍ନଟ

Published By : Prameya-News7 Bureau | September 07, 2018 IST

କଟକ ୭/୯ : କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ନାମ ଲେଖାଇବା ପାଇଁ ପ୍ରୟାସ କରୁଥିବା ଦୁଇ ଜଣ ଛାତ୍ରଙ୍କୁ ଚିହ୍ନଟ କରିଛନ୍ତି ମହାବିଦ୍ୟାଳୟ କର୍ତ୍ତୃପକ୍ଷ | ଏହି ଦୁଇ ଜଣ ଛାତ୍ର ହେଲେ ଦେବାଶିଷ ବେହେରା ଓ ରୁଦ୍ରାଶିଷ ବେହେରା | ଦୁଇ ଛାତ୍ର ଜାଲ୍ ଅନୁସୂଚିତ ଜନଜାତି ପ୍ରମାଣପତ୍ର କରି, ଏହାରି ଆଧାରରେ ସଂରକ୍ଷିତ ବର୍ଗରେ ଆଡମିସନ୍ ନେବା ପାଇଁ ଫର୍ମ ଦାଖଲ କରିଥିଲେ | ଆଜି ଆଡମିଶନ୍ ପାଇଁ ଏହି ଦୁଇ ଛାତ୍ର ଉପସ୍ଥିତି ହେବା ପରେ ଦୁଇ ଜଣଙ୍କୁ ଅଟକ ରଖି କର୍ତ୍ତୃପକ୍ଷ ମାଲଗୋଦାମ ଥାନାକୁ ଖବର ଦେଇଥିଲେ | ମାଲଗୋଦାମ ଥାନା କର୍ତ୍ତୃପକ୍ଷ ଉଭୟଙ୍କୁ ଅଟକ ରଖି ପଚରା ଉଚରା କରୁଛି | ଦୁଇ ଆବେଦନକାରୀଙ୍କ ମଧ୍ୟରୁ ରୁଦ୍ରାଶିଷ ଢେଙ୍କାନାଳ ଜିଲ୍ଲାପ ଓଡାପଡା ତହସିଲ୍ ଓ ଦେବାଶିଷ କଟକ ସଦର ତହସିଲ୍ ରୁ ଜାଲ୍ ଜନଜାତି ପ୍ରମାଣପତ୍ର ହାସଲ୍ କରି ଦାଖଲ କରିଥିବା କଲେଜ୍ ରେକର୍ଡରେ ଦର୍ଶାଯାଇଛି | ପ୍ରଥମେ ଦୁଇ ଛାତ୍ର ମହାବିଦ୍ୟାଳୟରେ ଆଡମିଶନ୍ ପାଇଁ ସାଧାରଣ ବର୍ଗରେ ଆବେଦନ କରିଥିଲେ | ମାତ୍ର ସାଧାରଣ ବର୍ଗରେ ଆଡମିଶନ୍ ନମିଳିବାରୁ, ସେମାନେ ଜାତିଗତ ପ୍ରମାଣପତ୍ର ଜାଲିଆତି କରି ଅନୁସୂଚିତ ଜନଜାତି ସାର୍ଟିଫିକେଟ୍ ବାହାର କରି ପୁଣି ଥରେ ସଂରକ୍ଷିତ ବର୍ଗରେ ଆବେଦନ କରିଥିଲେ |ଏହି ଘଟଣାକୁ ନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା | ସେପଟେ ଆଉ ଦୁଇ ଜଣ ଛାତ୍ରୀ ମଧ୍ୟ ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ଆଡମିଶନ୍ ପାଇଁ ଆବେଦନ କରିଥିବା ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି | ତେବେ ସମ୍ପୃକ୍ତ ଛାତ୍ରୀ ଦୁଇ ଜଣ ଆଜି ଆଡମିସନ୍ ପାଇଁ ରିପୋର୍ଟ କରିନଥିବା ଯୋଗୁଁ ସେମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜଣାପଡିପାରି ନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.