ଭୀମକୁଣ୍ଡରେ ସେଲ୍ଫି ନେବା କାଳ : ଭାସିଗଲେ କଟକର ଯୁକ୍ତଦୁଇ ଛାତ୍ର
28/12/2018 at 6:29 PM

ଘଟଗାଁ ୨୮|୧୨: ଭୀମକୁଣ୍ଡରେ ଅଭାବନୀୟ ଘଟଣା ଘଟିଛି । ସେଲ୍ଫି ନେବା କାଳ ହେଲା । ଭୀମକୁଣ୍ଡରେ ଭାସିଗଲେ ଛାତ୍ର । ନୂଆବର୍ଷ ପାଇଁ ଭୋଜି କରିବାକୁ ଭୀମକୁଣ୍ଡ ଯାଇଥିଲେ । ଭୋଜି ପୂର୍ବରୁ ଜଣେ ଛାତ୍ର ଭୀମକୁଣ୍ଡରେ ସେଲ୍ଫି ନେଉଥିଲେ ।

ହଠାତ ଗୋଡ଼ ଖସିଯିବାରୁ ଛାତ୍ର ଜଣକ ଭାସି ଯାଇଛନ୍ତି। ଆଜି ଏମିତି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି । କଟକ ମଧୁପାଟଣା ସାଇ ଶିକ୍ଷାକେନ୍ଦ୍ରରେ ଯୁକ୍ତଦୁଇ ବିଜ୍ଞାନରେ ପଢ଼ୁଥିବା ୩୦ ଜଣ ଛାତ୍ରଛାତ୍ରୀ ଭୀମକୁଣ୍ଡ ଯାଇଥିଲେ ।

ସେଠାରେ ସବୁ ଛାତ୍ରଛାତ୍ରୀ ଭୋଜି ଓ ଆମୋଦ ପ୍ରମୋଦରେ ମାତିଥିବା ବେଳେ ଜଣେ ଛାତ୍ର ଭୀମକୁଣ୍ଡରେ ବିପଦପୂର୍ଣ୍ଣ ଅବସ୍ଥାରେ ସେଲ୍ଫି ନେଉଥିଲେ । ତେବେ ଅସାବଧାନତା ଯୋଗୁଁ ଛାତ୍ରଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ସେ ଜଳ ପ୍ରପାତର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ।

ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ୍ ଖୋଜାଖୋଜି କରୁଛନ୍ତି । ମାତ୍ର ଶେଷ ଖବର ସୁଦ୍ଧା ଛାତ୍ରଙ୍କ ପତ୍ତା ମିଳିପାରି ନାହିଁ । ଦିନକୁ ଦିନ ସେଲ୍ଫି ଘାତକ ସାବ୍ୟସ୍ତ ହେବାରେ ଲାଗିଛି । ସତର୍କ ସୂଚନା ସତ୍ତ୍ୱେ ଯୁବପିଢ଼ିଙ୍କ ଚେତା ପଶୁନି। ବାରମ୍ୱାର ବିପଦସଙ୍କୁଳ ଅବସ୍ଥାରେ ସେଲ୍ଫି ନେଇ ମୂଲ୍ୟବାନ ଜୀବନକୁ ମୃତ୍ୟୁ ହାତରେ ଟେକି ଦେଉଛନ୍ତି ।