ସମଲେଶ୍ବରୀ ଏକ୍ସପ୍ରେସରେ ନିଆଁଲାଗିବା ଘଟଣା: ନିଲମ୍ବିତ ହେଲେ ଦୁଇ ଷ୍ଟେଶନ ମାଷ୍ଟର
25/06/2019 at 6:20 PM

ରାୟଗଡା୨୫|୬: ରାୟଗଡା ଜିଲ୍ଲାର ସିଙ୍ଗାପୁର-କେଉଟଗୁଡା ମଝିରେ ହାୱଡା –ଜଗଦଳପୁର ସମଲେଶ୍ବରୀ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ସହ ଟ୍ରେନରେ ନିଆଁ ଲାଗିଯିବା ଘଟଣାରେ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ଦୁଇଜଣ ଷ୍ଟେଶନ ମାଷ୍ଟରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ସିଙ୍ଗାପୁର ଓ କେଉଟଗୁଡା ଷ୍ଟେଶନ ମାଷ୍ଟରଙ୍କ ଅସାବଧାନତା ଯୋଗୁଁ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା କୁହାଯାଇଛି ।

ଏହି ଦୁର୍ଘଟଣାରେ ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସେହିଭଳି ଦୁର୍ଘଟଣାର କାରଣ ମଧ୍ୟ ଜଣାପଡିଥିବା ପୂର୍ବତଟ ରେଳବାଇ କହିଛି । ଆଜି ଅପରାହ୍ନ ୪ଟିବେଳେ ହାୱଡା –ଜଗଦଳପୁର ସମଲେଶ୍ବରୀ ଏକ୍ସପ୍ରେସ ଏହି ଲାଇନରେ ଆସୁଥିବାବେଳେ ସେହି ଟ୍ରାକ ଉପରେ ଟ୍ରେନ ଟ୍ରାକ ମରାମତି କରିବାକୁ ଯାଇଥିବା ଆଉଏକ ଟ୍ରେନ ଠିଆ ହୋଇଥିଲା । ସମଲେଶ୍ବରୀ ଏକ୍ସପ୍ରେସ ଏହି ଟ୍ରନକୁ ଧକ୍କା ଦେବା ଫଳରେ ଉଭୟ ସମଲେଶ୍ବରୀ ଏକ୍ସପ୍ରେସ ଏବଂ ମରାମତି କରିବାକୁ ଯାଇଥିବା ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ଲାଇନଚ୍ୟୁତ ହେବାପରେ ସମଲେଶ୍ବରୀ ଏକ୍ସପ୍ରେସର ଇଞ୍ଜିନ ଓ ଇଞ୍ଜିନକୁ ଲାଗି ରହିଥିବା ବଗରେ ନିଆଁ ଲାଗିଯାଇଥିଲା ।

ତେବେ ନିଆଁ ଲାଗିବାପରେ ଯାତ୍ରୀମାନେ ସୁରକ୍ଷିତ ଭାବେ ଟ୍ରେନରୁ ଓହ୍ଲାଇପଡିଥିଲେ ବୋଲି ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁର୍ଘଟଣାଫଳରେ କୌଣସି ଯାତ୍ରୀ ମୃତାହତ ହୋଇନଥିବା ମଧ୍ୟ ପୂର୍ବତଟ ରେଳବାଇ କହିଛି ।

ଅପରାହ୍ନ ୪ଟା ୫୦ମିନିଟରେ ଏହି ଦୁର୍ଘଟଣା ପରେ ରେଳବାଇର କୌଣସି ଉଦ୍ଧାରକାରୀ ଦଳ ଦୀର୍ଘ ସମୟ ପର୍ଯ୍ୟନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚିନଥିଲେ । ତେବେ ବର୍ତ୍ତମାନ ଆମ୍ବୁଲାନ୍ସ, ନିଆଁ ଲିଭାଳି ଦଳ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟିଥିବା ସ୍ଥାନଟି ବଣ ଜଙ୍ଗଲ ଘେରା ଓ ଆଖପାଖରେ କୌଣସି ଜନବସତି ନାହିଁ । ଫଳରେ ଯାତ୍ରୀମାନେ ଅଧିକ ଆତଙ୍କିତ ହୋଇପଡିଛନ୍ତି ।ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ତୁରନ୍ତ ବ୍ୟବସ୍ଥା କରିବା ଆବଶ୍ୟକ ହୋଇପଡିଛି ।