ଭ୍ୟାକସିନ ଆସିବା ପରେ ୨ ପ୍ରଜାତି ବହୁତ ଚିନ୍ତିତ, ଗୋଟିଏ କରୋନା ଭାଇରସ୍ ଏବଂ ଅନ୍ୟଟି କଂଗ୍ରେସ ପାର୍ଟି: ସମ୍ବିତ ପାତ୍ର
4/01/2021 at 8:58 PM

ନୂଆଦିଲ୍ଲୀ ୦୪।୦୧: ଭାରତୀୟ ଜନତା ପାର୍ଟିର ମୁଖପାତ୍ର ସମ୍ବିତ ପାତ୍ର ସୋମବାର କହିଛନ୍ତି ଭ୍ୟାକସିନ ଆସିବା ପରେ ୨ ପ୍ରଜାତି ବହୁତ ଚିନ୍ତିତ ଅଛନ୍ତି। ଗୋଟିଏ କରୋନା ଭାଇରସ୍ ଏବଂ ଅନ୍ୟଟି କଂଗ୍ରେସ ପାର୍ଟି। ଆମେ ସମୟ ସମୟରେ କଂଗ୍ରେସର ମ୍ୟୁଟେଣ୍ଟ ଶୈଳୀରେ ପରିବର୍ତ୍ତନ ଦେଖିଛୁ। କଂଗ୍ରେସ ଗୋଟିଏ ପରେ ଗୋଟିଏ ଭୟଙ୍କର ରୂପ ଧାରଣ କରୁଛି। ସମ୍ବିତ ପାତ୍ର କହିଛନ୍ତି ଦେଶରେ ସଂପ୍ରତି ଭାକସିନକୁ ନେଇ ଯେଉଁ ପ୍ରକାରର ରାଜନୀତି ଚାଲିଛି ସେଥିରୁ ଦୁଃଖ ଏବଂ କଷ୍ଟଦାୟକ ଆଉ କିଛି ନୁହେଁ।
ସମ୍ବିତ ପାତ୍ର କହିଛନ୍ତି ବିରୋଧୀ ଏମିତି ପ୍ରସଙ୍ଗ ଘୋଷାଡୁଛନ୍ତି ଯଦ୍ଵାରା ଭ୍ୟାକସିନ ଆବିଷ୍କାର ଖବର ନଗଣ୍ୟ ହୋଇଯିବ। ଆଦରଣୀ ଜେପି ନଡ୍ଡା ମଧ୍ୟ ଏହି କଥା କହିଛନ୍ତି ଯେ କଂଗ୍ରେସ ଏବଂ ବିରୋଧୀ ଏହା ଉପରେ ରାଜନୀତି କରୁଛନ୍ତି। ସେମାନଙ୍କୁ ଆତ୍ମଚିନ୍ତନ କରିବା ଆବଶ୍ୟକ। ସେମାନଙ୍କୁ ଏପରି ବ୍ୟବହାର ଶୋଭା ଦେଉ ନାହିଁ।
କଂଗ୍ରେସର କିଛି ନେତା ଭାରତ ବାୟୋଟେକ୍ର କୋଭିଡ୍-୧୯ ଟିକାକୁ ସୀମିତ ବ୍ୟବହାର ପାଇଁ ମଞ୍ଜୁରୀ ଦେବା ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେମାନେ କହିଛନ୍ତି ଏହା ଅପରିପକ୍ଵ ଏବଂ ବିପଦଜ୍ଜନକ ସାବ୍ୟସ୍ତ ହୋଇପାରେ। ତେବେ କଂଗ୍ରେସର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେଓ୍ଵାଲା ସ୍ଵଦେଶୀ ଟିକା ପାଇଁ ବୈଜ୍ଞାନିକ ଏବଂ ଗବେଷଣାକାରୀଙ୍କ ପ୍ରଶଂସା କରିଛନ୍ତି।
କଂଗ୍ରେସର ନେତା ଆନନ୍ଦ ଶର୍ମା, ଜୟରାମ ରମେଶ ଓ ଶଶି ଥରୁର ସ୍ଵାସ୍ଥ୍ୟମନ୍ତ୍ରୀଙ୍କୁ ଏହା ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ, ବାଧ୍ୟତାମୂଳକ ପ୍ରଟୋକଲ ତଥା ତଥ୍ୟର ଯାଞ୍ଚ କଣ ପାଇଁ କରାଯାଇ ନାହିଁ। ଏହା ଉପରେ କେନ୍ଦ୍ର ମନ୍ତ୍ରୀ ହରଦୀପ ପୁରୀ କଡା ପ୍ରତିକ୍ରିୟା ଦେଇ କହିଛନ୍ତି କଂଗ୍ରେସ ନେତା ବାସ୍ତବରେ ସେହି ପରି ବ୍ୟବହାର କରୁଛନ୍ତି ଯାହା ସେମାନଙ୍କଠୁ ଆଶା କରାଯାଏ।