ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୨ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ, ବଢିଲା ଓମିକ୍ରୋନ୍‌ ଭ୍ୟାରିଆଣ୍ଟ ଭୟ

Published By : Prameya-News7 Bureau | November 27, 2021 IST

ବେଙ୍ଗାଲୁରୁ ୨୭/୧୧ : କରୋନାର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରୋନ୍‌’ ସାରା ବିଶ୍ବରେ ଆତଙ୍କ ଖେଳାଇ ଦେଇଛି । ଦକ୍ଷିଣ ଆଫ୍ରିକାରେ ବ୍ୟାପିଥିବା ଓମିକ୍ରୋନ୍ ଭ୍ୟାରିଆଣ୍ଟ ସାରା ବିଶ୍ବରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଏବେ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଥିବା ପ୍ରାୟ ୯୪ ଜଣଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା । ତେବେ ଚିନ୍ତାର ବିଷୟ ହେଉଛି, ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ଏହି ଖବର ଜଣାପଡିବା ପରେ କର୍ଣ୍ଣାଟକ ସମେତ ସାରା ଭାରତରେ ଭୟର ବାତାବରଣ ଦେଖାଦେଇଛି । ଅବଶ୍ୟ ସେମାନଙ୍କ ଭ୍ୟାରିଆଣ୍ଟ କଣ ତାହା ଲ୍ୟାବ୍‌ ରିପୋର୍ଟ ଆସିବା ପରେ ଜଣାପଡିବ । କିନ୍ତୁ ଯେହେତୁ ଦକ୍ଷିଣ ଆଫ୍ରିକାରେ ଓମିକ୍ରୋନ୍‌ ଭ୍ୟାରିଆଣ୍ଟ ତୀବ୍ର ହେବାରେ ଲାଗିଛି ତେଣୁ ଭାରତରେ ମଧ୍ୟ ଭୟର ବାତାବରଣ ରହିଛି ।

ମିଳିଥିବା ସୂଚନା ଅନୁସାରେ, ଗତ ୧୦ ଦିନ ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ କର୍ଣ୍ଣାଟକ ଫେରିଛନ୍ତି ପ୍ରୟେ ହଜାରେରୁ ଅଧିକ ବ୍ୟକ୍ତି । ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ କରୋନା ଟେଷ୍ଟ କରାଯାଇଛି । ଏବେ ସାଉଥ୍‌ ଆଫ୍ରିକାରେ ଓମିକ୍ରୋନ୍‌ ଭୟଙ୍କର ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସମତେ ଦେଶର ବିଭିନ୍ନ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଶେଷ କରି କର୍ଣ୍ଣାଟକରେ ୨ ଜଣ ସାଉଥ୍‌ ଆଫ୍ରିକା ଫେରନ୍ତା ପଜିଟିଭ ଚିହ୍ନଟ ହେବାପରେ ସେମାନଙ୍କ ନମୂନା ଲ୍ୟାବ୍‌କୁ ପଠାଯାଇଛି । ତେବେ ଯଦି ସେମାନଙ୍କ ସାମ୍ପୁଲରୁ ଓମିକ୍ରୋନ୍‌ ଭ୍ୟାରିଆଣ୍ଟ ଚିହ୍ନଟ ହୁଏ ତ ଏହା କର୍ଣ୍ଣାଟକ ସମେତ ସମଗ୍ର ଦେଶ ପାଇଁ ବିପଦ ସୃଷ୍ଟି କରିବ ।

ଏହା ସହିତ ସେମାନେ କାହା ସହିତ ମିଶିଛନ୍ତି ସମସ୍ତଙ୍କୁ ଟ୍ରେସିଂ ଏବଂ ଟ୍ରାକିଂ ଜାରି ରଖିଛି ପ୍ରଶାସନ । ଚିହ୍ନଟ ହୋଇଥିବା ୨ଜଣ ବ୍ୟକ୍ତି କାହା ସହିତ ମିଶିଛନ୍ତି, କେଉଁ କେଉଁ ସ୍ଥାନକୁ ଯାଇଥିଲେ ତାହାର ତଥ୍ୟ ସଂଗ୍ରହ ଜାରି ରହିଛି ।

କର୍ଣ୍ଣାଟକ ସ୍ବାସ୍ଥ୍ୟ ମନ୍ତ୍ରୀ ଆର୍‌ ଅଶୋକ ଏ ନେଇ ସୂଚନା ଦେବା ପରେ ସାରା ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି । କେଉଁ କେଉଁ ସ୍ଥାନକୁ ନେଇ କଟକଣା ଜାରି କରାଯିବ ତାହା ଆସନ୍ତାକାଲି ସୁଦ୍ଧା ଜଣାପଡିବ । ସ୍ବାସ୍ଥ୍ୟମନ୍ତ୍ରୀ ଆର୍‌ ଅଶୋକ କହିଛନ୍ତି, କର୍ଣ୍ଣାଟକରେ ବର୍ତ୍ତମାନ ସୁଦ୍ଧା ଓମିକ୍ରୋନ୍‌ ଭ୍ୟାରିଆଣ୍ଟ ମିଳିନାହିଁ । ବର୍ତ୍ତମାନ ମଧ୍ୟ କରୋନା ସଂକ୍ରମଣ ଆୟତରେ ରହିଛି । ଯେହେତୁ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ତେଣୁ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏଥି ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.