ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ ବ୍ୟାଟିଂ ବେଳେ ହଠାତ ଲାଗିଲା ସୁସୁ, ପ୍ୟାଡ୍ ସହ ପଡିଆରୁ ଦୌଡିଲେ, ଟ୍ରାେଲ ହେଲେ ମହମ୍ମଦ ହାଫିଜ

Published By : Prameya-News7 Bureau | November 15, 2020 IST

ନୂଆଦିଲ୍ଲୀ ୧୫।୧୧: ପାକିସ୍ତାନ ପ୍ରିମିୟର ଲିଗ୍‌(ପିଏସଏଲ)୨୦୨୦ ସଂସ୍କରଣ ପୁଣି ଥରେ ଶନିବାରଠୁ ଆରମ୍ଭ ହୋଇଛି। ମାର୍ଚ୍ଚ ମାସରେ ଲିଗ୍‌ ପର୍ଯ୍ୟାୟ ସମାପ୍ତ  ହେବା ପରେ କରୋନା ସଂକ୍ରମଣ କାରଣରୁ ଟୂର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା। ହେଲେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ସମାପ୍ତ ହେବା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ପୁଣି ଥରେ ପିଏସଏଲର ଶେଷ ୪ ମୁକାବିଲା ଆୟୋଜନ କରିଛି।

ସୂଚନା ଅନୁଯାୟୀ ପଏଣ୍ଟ ତାଲିକାରେ ଥିବା ଦୁଇ ଟିମ୍‌ ମୁଲତାନ ସୁଲତାନ ଓ କରାଚି କିଙ୍ଗ୍ସ କ୍ଵାଲିଫାୟର ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି। ଅନ୍ୟପଟେ ଲାହୋର କଲନ୍ଦର୍ସ ଓ ପେଶାଓ୍ଵର ଜଲମି ମଧ୍ୟରେ ଏଲିମିନେଟର ମୁକାବିଲା ଖେଳା ଯାଇଛି। ହେଲେ ଦିନର ଦ୍ଵିତୀୟ ମ୍ୟାଚ୍‌ ତଥା ଏଲିମିନେଟର ମୁକାବିଲାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଦର୍ଶକଙ୍କୁ ଆମୋଦିତ କରିଛି।

୧୭୧ ରନର ପିଛା କରିଥିବା କଲନ୍ଦର୍ସ ୩୩ ରନରେ ୩ ଓ୍ଵିକେଟ୍ ହରାଇ ଅଡୁଆରେ ପଡିଥିଲା। ଏହା ପରେ ଅଭିଜ୍ଞ ମହମ୍ମଦ ହାଫିଜ ଓ ବେନ ଡଙ୍କ କ୍ରିଜରେ ରହିଥିଲେ। ମ୍ୟାଚ୍‌ର ୧୨ତମ ଓଭର ଚାଲିଥିଲା। ମହମ୍ମଦ ଇର୍ଫାନ ପ୍ରଥମ ବଲ୍ ଫିଙ୍ଗିବା ବେଳକୁ ହାଫିଜ ଅଚାନକ ଡ୍ରେସିଂ ରୁମ ଅଭିମୁଖେ ଦୌଡିଥିଲେ। ଏହା ଦେଖି ସମସ୍ତେ ଆଚମ୍ବିତ ହୋଇ ପଡିଥିଲେ। କେହି ଜାଣି ପାରୁନଥିଲେ ଯେ ପଡିଆରେ କଣ ଘଟୁଛି। କିଛି ସମୟ ଖେଳ ବନ୍ଦ ରହିଥିଲା।

ଏହି ସମୟରେ ପଡିଆରେ ପେଶାଓ୍ଵର ଜଲମିର ଓ୍ଵାହବ ରିଆଜ, ଇମାମ ଉଲ ହକ ଓ ସୋଏବ ମଲିକଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା। ଏହି ସମୟରେ ସ୍ପାଇଡର କ୍ୟାମେରା ସେମାନଙ୍କୁ ଧରି ନେଇଥିଲା। ଭାଷ୍ୟକାର ରମିଜ ରାଜା ସେମାନଙ୍କ ସହ ଆଲୋଚନା କରିବା ଆରମ୍ଭ କରିଥିଲେ। ଆଲୋଚନାକାଳରେ ରାଜା ଖେଳାଳିଙ୍କୁ ଗମ୍ଭୀରତାର ସହ ପ୍ରଶ୍ନ କରିଥିଲେ ଯେ, କଣ ମହମ୍ମଦ ହାଫିଜଙ୍କୁ ଟାଇମ୍ ଆଉଟ୍ କରି ପାରିବେ, ଯିଏ ଅଧା ଖେଳରୁ ଡ୍ରେସିଂ ରୁମ ଚାଲିଗଲେ। ସେହି ସମୟରେ ଇମାମ ଉଲ ହକ ହାଫିଜ ଓ ତାଙ୍କ ବ୍ୟାଟସମ୍ୟାନଙ୍କ ମଧ୍ୟରେ ହୋଇଥିବା କଥା ଉଲ୍ଲେଖ କରିଥିଲେ।

wp:html /wp:html

ସେ କହିଛନ୍ତି ଯେ, ହାଫିଜ ଶେଷ ୨ ଓଭରରୁ କହି ଆସୁଥିଲେ ଯେ, ତାଙ୍କୁ ଓ୍ଵାସରୁମ ଯିବାକୁ ପଡିବ। ୨ ଓଭରରି କହୁଛି ମୋତେ ସୁସୁ ଲାଗୁଛି। ଏହା କହି ଇମାମ ରମିଜ ରାଜାଙ୍କ ଉପରେ ବାକି କଥା ଛାଡି ଦେଇଥିଲେ। ଏହା ମଧ୍ୟରେ ହାଫିଜ ପଡିଆକୁ ଫେରିଥିଲେ ଏବଂ ପୁଣି ଥରେ ଖେଳ ଆରମ୍ଭ ହୋଇଥିଲା। ଏହି ବିରତି ହାଫିଜଙ୍କ ଏକାଗ୍ରତାରେ ବାଧା ଦେଇନଥିଲା ଏବଂ ସେ ୭୪ ରନର ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ। ହାଫିଜଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ ବଳରେ ଲାହୋର କଲନ୍ଦର୍ସ ୧୯ ଓଭରରେ ୫ ଓ୍ଵିକେଟ୍ ହରାଇ ୧୭୧ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.