୨ ନାବାଳିକାଙ୍କୁ ଅପହରଣ ପରେ ହତ୍ୟା : ପୋଖରୀରୁ ୭ ଦିନ ପରେ ମିଳିଲା ମୃତଦେହ, ଅଭିଯୋଗ ପାଇ ଚୁପ୍ ବସିଥିଲା ପୋଲିସ

Published By : Prameya-News7 Bureau | January 10, 2021 IST

ପାଟନା, ୧୦୦୧ବିହାରରେ ଦୁଇଜଣ ଦଳିତ ନାବାଳିକାଙ୍କ ଅପହରଣ ଓ ହତ୍ୟା ପରେ ପୋଲିସ ଉପରେ ଗୁରୁତର ଅଭିଯୋଗ ଆସିଛି । ସବୁ ଜାଣି ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ବି ପୋଲିସ କେବଳ ଆଶ୍ୱାସନା ଦେଇ ଚୁପ୍ ରହିଯାଇଥିଲା । ଏହାର କିଛି ଦିନ ପରେ ୨ ଝିଅଙ୍କ ମୃତଦେହ ଏକ ପୋଖରୀରରୁ ମିଳିଥିଲା ।

ସୂଚନାନୁସାରେ, ବିହାରର ବୈଶାଳୀ ଜିଲ୍ଲାରେ ଜାନୁଆରୀ ୨ ତାରିଖରେ ୧୪ ଓ ୧୬ ବର୍ଷର ୨ ନାବାଳିକା ଘରୁ ହଠାତ ଗାଏବ ହୋଇଯାଇଥିଲେ । ଦୁଇ ନାବାଳିକା ସାଙ୍ଗ ଥିଲେ । ଏନେଇ ପୋଲିସରେ ଅଭିଯୋଗ ହୋଇଥିଲା । କିନ୍ତୁ ପୋଲିସ ନିଜେ ସେମାନଙ୍କୁ ଖୋଜିବା ବଦଳରେ ପରିବାର ଲୋକଙ୍କୁ ଖୋଜିବା ପାଇଁ ପରାମର୍ଶ ଦେଇଥିଲା ।

ଅଭିଯୋଗ ଦାଖଲର ୭ ଦିନ ପରେ ୨ ଝିଅଙ୍କୁ ଗଳିତ ମୃତଦେହ ଏକ ପୋଖରୀରୁ ମିଳିଥିଲା । ଅପହରଣ ନେଇ ପରିବାର ଲୋକେ ଗାଁର କିଛି ଯୁବକଙ୍କ ବିରୋଧରେ ମାମଲା ଦାଖଲ କରିଥିଲେ । କିନ୍ତୁ ପୋଲିସର ଖାମଖିଆଲି ମନୋଭାବ ପାଇଁ ଏହି ଅଘଟଣ ଘଟିଥିବା ଗାଁ ଲୋକେ କହିଛନ୍ତି । ତେବେ ମୃତଦେହ ଉଦ୍ଧାର ପରେ ପୋଲିସ ଆକ୍ସନ ମୋଡକୁ ଆସିଥିଲା ।

ମୃତଦେହକୁ ପୋଷ୍ଟମଟର୍ମ ପାଇଁ ପଠାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ୨ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.