ଅଧିକ ନିଶା ପାଇଁ ମଶିଥିଲା ଦେଶୀ ଔଷଧ, ବିଷାକ୍ତ ମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ ଅଭିଯୋଗ

Published By : Prameya-News7 Bureau | January 20, 2022 IST

ରାୟଗଡା, ୨୦।୦୧: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେଙ୍ଗା ଗ୍ରାମରେ ବିଷାକ୍ତ ମଦ୍ୟପାନ କରି ଦୁଇ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ଦୁଇ ମୃତକ ହେଲେ ବିଶୁ ଝୋଡିଆ(୪୮) ଓ ଧନେଶ୍ୱର ଝୋଡିଆ(୫୨)। ଗତକାଲି ବିଳମ୍ବିତ ରାତିରେ ଏହି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ୍ୟୁ ପରେ ଆଜି ବିଶୁ ଓ ଧନେଶ୍ୱରଙ୍କ ଶେଷକୃତ୍ୟ ଗାଁ ମଶାଣିରେ କରାଯାଇଛି।

ଅନ୍ୟପଟେ ଏତେ ବଡ ଘଟଣା ସମ୍ପର୍କରେ ଅବକାରୀ ବିଭାଗ ନିକଟରେ କୌଣସି ସୂଚନା ନାହିଁ। ଖବରପାଇ କାଶୀପୁର ପୋଲିସ ରେଙ୍ଗା ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାରୁ ଜଣାପଡିଛି ଯେ, ନିର୍ବାଚନ ପାଇଁ ଅବାଧ ମଦ ବିକ୍ରି ଚାଲିଛି। ଏହି ଦୁଇ ଜଣ ଚୋରାରେ ବିକ୍ରି ହେଉଥିବା ମଦ ଗତ ଦୁଇ ଦିନ ଧରି ପିଇଥିଲେ। ମଦରେ ଅଧିକ ନିଶା ପାଇଁ କିଛି ଦେଶୀ ଔଷଧ ମିଶ୍ରଣ ହୋଇଥିଲା। ଏହାକୁ ଗତକାଲି ସନ୍ଧ୍ୟାରେ ବିଶୁ ଓ ଧନେଶ୍ୱର ପାନ କରିଥିଲେ। ମଦ ପିଇବା ପର ଉଭୟେ ଘରକୁ ଯାଇଥିଲେ। ଘରେ ରାତି ପ୍ରାୟ ୧୧ ଟା ସମୟରେ ଉଭଙ୍କର ମୃତ୍ୟୁ ହୋଇଥିଲା। ଏହା ଜଣାପଡିବା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।  

ତେବେ ଏହି ଘଟଣା ସମ୍ପର୍କରେ କୌଣସି ମତାମତ ଦେବା ପାଇଁ ଅବକାରୀ ଅଧିକ୍ଷକ ମନା କରିଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି ଘଟଣା ସମ୍ପର୍କରେ ସୂଚନା ମିଳିନାହିଁ। କିଭଳି ମଦ ବିକ୍ରି ବନ୍ଦ ହେବ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.