ଜେସିଓ ସମେତ ପୁଣି ୨ ଯବାନ ସହିଦ, ୬ ଦିନ ହେଲା ଜାରି ଏନକାଉଣ୍ଟରରେ ଗଲାଣି ୯ ସୈନିକଙ୍କ ଜୀବନ

Published By : Prameya-News7 Bureau | October 16, 2021 IST

ଶ୍ରୀନଗର ୧୬।୧୦: ଜାମ୍ମୁ-କାଶ୍ମୀରର ରାଜୌରୀ-ପୁଞ୍ଝ ଜିଲ୍ଲା ସୀମାନ୍ତ ଘଞ୍ଚ ଜଙ୍ଗଲରେ ଗତ ଛଅ ଦିନରେ ଚାଲିଥିବା ଏନକାଉଣ୍ଟରରେ ଆଉ ଦୁଇ ଜଣ ସୈନିକ ସହିଦ ହୋଇଛନ୍ତି। ଶନିବାର ସର୍ଚ୍ଚ ଅପରେସନ ସମୟରେ ଜଣେ ଜେସିଓ ସହିତ ୨ ସୈନିକଙ୍କ ମୃତଦେହ ମିଳିଛି। ଛଅ ଦିନରୁ ଚାଲିଥିବା ଏହି ଏନକାଉଣ୍ଟରରେ ଏ ପର୍ଯ୍ୟନ୍ତ ୯ ଜଣ ସୈନିକ ସହିଦ୍ ହୋଇ ସାରିଲେଣି। ଏଥିରେ ଦୁଇ ଜେସିଓ ସାମିଲ୍।

ପୁଞ୍ଝର ସୁରନକୋଟ୍‌ ଜଙ୍ଗଲରେ ସୋମବାର ଆରମ୍ଭ ହୋଇଥିବା ଏନକାଉଣ୍ଟର ପରବର୍ତ୍ତୀ ସମୟରେ ରାଜୌରୀର ଥାନାମଣ୍ଡିରୁ ପୁଞ୍ଝର ମେଣ୍ଢର ପର୍ଯ୍ୟନ୍ତ ବ୍ୟାପିଥିଲା। ଅଧିକାରୀ କହିଛନ୍ତି, ଜଣେ ଜେସିଓ ଏବଂ ଜଣେ ଯବାନଙ୍କ ମୃତଦେହ ମେଣ୍ଢରର ନାର ଖାସ ଜଙ୍ଗଲରୁ ଉଦ୍ଧାର ହୋଇଛି। ଏଠାରେ ଗୁରୁବାର ସେନା ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିସହ ଆଜି ସହିଦ ଯବାନଙ୍କ ସଂଖ୍ୟା ବଢି ଚାରିରେ ପହଞ୍ଚିଛି। ଏହା ପୂର୍ବରୁ ରାଇଫଲମ୍ୟାନ୍ ବିକ୍ରମ ସିଂହ ନେଗି ଓ ୟୋଗମ୍ବର ସିଂହ ନାର ଖାସ ଜଙ୍ଗଲରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ସହିଦ ହୋଇଥିବା ସୂଚନା ରହିଥିଲା। ଉଭୟ ଉତ୍ତରାଖଣ୍ଡର ବାସିନ୍ଦା ଥିଲେ।

ଅଧିକାରୀ କହିଛନ୍ତି, ଏହା ପୂର୍ବରୁ ଅକ୍ଟୋବର ୧୧ରେ ଜଣେ ଜୁନିୟର କମିସଣ୍ଡ ଅଧିକାରୀ(ଜେସିଓ) ସମେତ ସେନାର ୫ ଯବାନ ସହିଦ ହୋଇଥିଲେ। ପୁଞ୍ଝର ସୁରନକୋଟ୍ ଜଙ୍ଗଲରେ ସେନାର ଏକ ଦଳ ପାଟ୍ରୋଲିଂ କରିବା ବେଳେ ଛପି ରହିଥିବା ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏଥିରେ ଏହି ୫ ଯବାନ ସହିଦ ହୋଇଥିଲେ। ସେହି ଦିନ ହିଁ ରାଜୌରୀର ଥାନାମଣ୍ଡି ଜଙ୍ଗଲରେ ଫେରାର ଆତଙ୍କବାଦୀ ଏବଂ ସେନାର ତଲାସି ଦଳ ମଧ୍ୟରେ ଗୁଳି ବିନିମୟ ଘଟିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.