ଅଫିସରେ ପଶି ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁଇ ଦୁର୍ବୃତ୍ତ

Published By : Prameya-News7 Bureau | February 27, 2020 IST

ସାଲେପୁର,୨୬ ।୨ : ୨୬ତାରିଖ ଦିନ ଦ୍ୱିପ୍ରହରରେ ରାଇସୁଙ୍ଗୁଡ଼ା ବିଦ୍ୟୁତ୍‌ ସେକ୍ସନ୍‌ କାର୍ଯ୍ୟାଳୟ ଭିତରେ ପଶି ଦୁଇ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇ ଫେରାର ହୋଇଯାଇଛନ୍ତି । ଏନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୁଲିସ ଅନୁସନ୍ଧାନ ଚଳାଇଥିଲେ ମଧ୍ୟ ଟଙ୍କା ଉଦ୍ଧାର କରିପାରିନି । ସାଲେପୁରର ୟୁନିକର୍ଣ୍ଣ କନ୍‌ଷ୍ଟ୍ରକ୍ସନ୍‌ ସଂସ୍ଥା ଜପକୁଦ ଓ ରାଇସୁଙ୍ଗୁଡ଼ା ସେକ୍ସନର ବିଦ୍ୟୁତ୍‌ ଗ୍ରାହକଙ୍କ ଠାରୁ ବିଦ୍ୟୁତ୍‌ ବିଲ୍‌ ଆଦାୟ କରିବା ପାଇଁ ଫ୍ରାଞ୍ଚାଇଜ୍‌ ନେଇଛି । ଉକ୍ତ ଏଜେନ୍ସିର କର୍ମଚାରୀ ଶୁଭଜ୍ୟୋତି ମହାପାତ୍ର ଜପକୁଦ ବିଦ୍ୟୁତ୍‌ ସେକ୍ସନ୍‌ ଅଞ୍ଚଳରୁ ବିଦ୍ୟୁତ୍‌ ଗ୍ରାହକଙ୍କଠାରୁ ବିଲ୍‌ ଅର୍ଥ ଆଦାୟ କରି ରାଇସୁଙ୍ଗୁଡ଼ା ସେକ୍ସନକୁ ଯାଇଥିଲେ ।

ରାଇସୁଙ୍ଗୁଡ଼ା ବିଦ୍ୟୁତ୍‌ ସେକ୍ସନ୍‌ କାର୍ଯ୍ୟାଳୟରେ ବସିଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ଏକ କଳା ପଲ୍‌ସର୍‌ରେ ଆସି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବ୍ୟାଗ୍‌ରେ ଥିବା ପ୍ରାୟ ୨ ଲକ୍ଷ ୭୦ହଜାର ଟଙ୍କା ଲୁଟିନେଇ  କାର୍ଯ୍ୟାଳୟର ବାହାରପଟୁ କବାଟ ବନ୍ଦ କରି ଦ୍ରୁତି ଗତିରେ  ପଳାଇଥିଲେ । ଅଫିସ୍‌ ଭିତରେ ବନ୍ଦ ଥିବା କର୍ମଚାରୀଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ପହଞ୍ଚି  ଉଦ୍ଧାର କରିଥିଲେ । ଏନେଇ ୟୁନିକର୍ଣ୍ଣ  କମ୍ପାନୀ ପକ୍ଷରୁ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏହି ଘଟଣାରେ ପୁଲିସ ଜଣକୁ ସନ୍ଦେହରେ ଅଟକ ରଖିଛି । ତଦନ୍ତରେ ବ୍ୟାଘାତ ଉପୁଜିବାର ଆଶଂକା କରି ପୁଲିସ ଅଟକ ସଂପର୍କରେ କୌଣସି ତଥ୍ୟ ପ୍ରକାଶ କରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.