୧୪ ଓ ୧୬ ବର୍ଷର ଦୁଇ ଭଉଣୀଙ୍କୁ ଗଣଦୁଷ୍କର୍ମ: ସଂପର୍କୀୟ ଭାଇ ସହ ୧୧ ଗିରଫ, ଅଭିଯୁକ୍ତଙ୍କ ଭିତରେ ୩ ନାବାଳକ

Published By : Prameya-News7 Bureau | July 31, 2020 IST

ରାୟପୁର ୩୧।୦୭: ଛତିଶଗଡର ବଲୌଦାବଜାର ଜିଲ୍ଲାରେ ଦୁଇ ଜଣ ନାବାଳିକା ଭଉଣୀଙ୍କୁ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ ତିନି ଜଣ ନାବାଳକ ସମେତ ଆଠ ଜଣ ଅଭିଯୁକ୍ତ ସାମିଲ। ପୋଲିସ୍ ଅନୁଯାୟୀ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଭଉଣୀର ସଂପର୍କୀୟ ଭାଇ। ଦୁଇ ନାବାଳିକାଙ୍କ ବୟସ ଯଥାକ୍ରମେ ୧୪ ଓ ୧୬ ବର୍ଷ। ଭୟରେ ପ୍ରାୟ ଦୁଇ ମାସ ଚୁପ୍ ରହିବା ପରେ ଶେଷରେ ଥାନାରେ ଅଭିଯୋଗ କରିଛନ୍ତି ଦୁଇ ପୀଡିତା ନାବାଳିକା ଭଉଣୀ।

ବଲୌଦାବଜାରର ପୋଲିସ ଅଧୀକ୍ଷକ(ଏସପି) ଇନ୍ଦିରା କଲ୍ୟାଣ ଏଲେସେଲା କହିଛନ୍ତି ବୁଧବାର ରାତିରେ ପୋଲିସ ପାଞ୍ଚ ଜଣ ଅଭିଯୁକ୍ତକୁ ଗିରଫ କରିଛି ଏବଂ ତିନି ଜଣ ନାବାଳକଙ୍କୁ ନିଜ ହେପାଜତରେ ରଖିଛି। ଏହି ଘଟଣାରେ ଆଇପିସି ଓ ପୋକ୍ସୋ ଆକ୍ଟର ସମ୍ବନ୍ଧିତ ଧାରା ଆଧାରରେ କେସ ରୁଜୁ ହୋଇଛି। ମୋଟ୍ ୧୧ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି। ଏଥିରୁ ଆଠ ଜଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗରେ ମାମଲା ରୁଜୁ ହୋଇଛି।

ଏହି ଘଟଣା ପୋଲାରି ଥାନା ଅନ୍ତର୍ଗତ ଅଞ୍ଚଳରେ ଘଟିଛି। ମେ ୩୧ରେ ଦୁଇ ନାବାଳିକା ଭଉଣୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ବୁଧବାର ସନ୍ଧ୍ୟାରେ ପୀଡିତାଙ୍କ ମଧ୍ୟରୁ ଜଣେ ଶିଶୁ କଲ୍ୟାଣ ବିଭାଗର ଏକ ଶାଖାରେ ପହଞ୍ଚି ଅଭିଯୋଗ କରିଥିଲେ ଯେ, ଆଠ ଜଣ ଅଭିଯୁକ୍ତ ତାଙ୍କ ସହିତ ଗଣଦୁଷ୍କର୍ମ କରିଛନ୍ତି। ଏହା ପରେ ପୋଲିସ ଯୁବତୀଙ୍କ ପିତାଙ୍କୁ କଲ କରି ଏହାର ସୂଚନା ଦେଇଥିଲେ। ପୀଡିତା ପୋଲିସ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି, ଦୁଇ ଦିନ ପୂର୍ବେ ଜଣେ ବ୍ୟକ୍ତି ତାଙ୍କ ପାଖକୁ ଫୋନ କରି ସେମାନଙ୍କ ପାଖରେ ଦୁଷ୍କର୍ମ ସମୟର ଭିଡିଓ ଥିବା କହିଥିଲା। ଯଦି ଏହି ଘଟଣା କାହାରି ଆଗରେ ପ୍ରକାଶ କରୁ ତେବେ ଏହାକୁ ସେ ଭାଇରାଲ କରି ଦେବ  ବୋଲି ଧମକ ଦେଇଥିଲା। ଅଧିକାରୀ କହିଛନ୍ତି ପୀଡିତା ବୁଝି ଯାଇଥିଲେ ଯେ, ଏହା ଦିନେ କି ଦୁଇ ଦିନର ଘଟଣା ନୁହେଁ ଭବିଷ୍ୟତରେ ଏହାକୁ ନେଇ ତାଙ୍କୁ ଆହୁରି ହଇରାଣ କରାଯାଇପାରେ।

ପୋଲିସ ତଦନ୍ତ ଆରମ୍ଭ କରିବାରୁ ଜଣା ପଡିଲା ଯେ, ଦୁଇ ଜଣ ନାବାଳକ ଭଉଣୀ ସହିତ ମେ ୩୧ରେ ଗଣ ଦୁଷ୍କର୍ମ କରିଥିଲା। ଏହି ଦୁଇ ପୀଡିତାଙ୍କ ଦୁଇ ଜଣ ଯୁବକ ସାଙ୍ଗ ଥିଲେ ଏବଂ ଯେଉଁ ଦିନ ଏହି ଘଟଣା ଘଟିଲା ଦୁଇ ଯୁବତୀ ନିଜ ସାଙ୍ଗ ସହିତ ବୁଲୁଥିଲେ। ଯେବେ ଦୁହେଁ ନି ନିଜ ଘରକୁ ଫେରୁଥିଲେ, ସେହି ସମୟରେ ଏହି ଆଠ ଜଣ ଅଭିଯୁକ୍ତ ସେମାନଙ୍କୁ ଅଟକାଇଥିଲେ। ସେଥିରୁ ଜଣେ ନାବାଳକ ଅଭିଯୁକ୍ତ ସେ ଆମ ଭଉଣୀ କହି ଯୁବତୀଙ୍କ ଦୁଇ ଯୁବକ ସାଙ୍ଗକୁ ପ୍ରଶ୍ନ କରିବା ଆରମ୍ଭ କରିଥିଲା। ଏଥିରେ ଡରି ଦୁଇ ଜଣ ଯୁବକ ସେଠାରୁ ପଳାଇଥିଲେ।

ଏହା ପରେ ସମସ୍ତ ଆଠ ଅଭିଯୁକ୍ତ ଦୁଇ ନାବାଳିକାଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ। ଅପରପକ୍ଷେ ପୋଲିସ ଯୁବତୀଙ୍କ ସହ ବୁଲୁଥିବା ସେମାନଙ୍କର ଦୁଇ ଯୁବକ ସାଙ୍ଗଙ୍କ ବିରୋଧରେ ଅପରହଣ ଧାରାରେ ମାମଲା ରୁଜୁ ହୋଇଛି। କାରଣ ଦୁଇ ଯୁବତୀ ନାବାଳିକା ଥିଲେ। ଏହି ସବୁ ଅଭିଯୁକ୍ତଙ୍କୁ ବୁଧବାର ରାତିରେ ଗିରଫ କରାଯାଇଥିବା ଏସପି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.