ପ୍ରବଳ ବର୍ଷା ଯୋଗୁଁ ଭୁଶୁଡିଲା ଡ୍ୟାମ୍ : ଦୁଇ ମୃତ, ୨୨ ନିଖୋଜ
3/07/2019 at 8:28 AM

ରତ୍ନାଗିରି ୩|୭: ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ର ରତ୍ନାଗିରି ସ୍ଥିତ ତବରେ ଡ୍ୟାମ୍ ଭାଙ୍ଗିଯାଇଛି । ଫଳରେ ଡ୍ୟାମ୍ ତଳେ ଥିବା ୭ଟି ଗାଁରେ ବନ୍ୟା ବିତ୍ପାତ ସୃଷ୍ଟି ହୋଇଛି । ବନ୍ୟା ଆସିବା ଯୋଗୁଁ ୨୨ଜଣ ନିଖୋଜ ହୋଇଯାଇଛନ୍ତି । ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।
ସୂଚନା ଅନୁସାରେ ମହାରାଷ୍ଟ୍ରରେ ରବିବାରଠାରୁ ମୌସୁମୀ ବର୍ଷା ଲାଗି ରହିଛି । ବର୍ଷା ଜାରି ରହିଥିବା ଯୋଗୁଁ ରତ୍ନଗିରି ତବରେ ଡ୍ୟାମର ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ଡ୍ୟାମ୍ ଭାଙ୍ଗି ତଳିଆ ଗାଁ ଗୁଡିକରେ ବନ୍ୟା ଆସିଥିଲା । ଡ୍ୟାମ ପାଣିର ସ୍ରୋତରେ ୧୨ଟି ଘର ସମ୍ପୂର୍ଣ୍ଣ ଭାସିଯାଇଛି । ସେହି ଘରେ ରହୁଥିବା ଲୋକମାନେ ନିଖୋଜ ହୋଇଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ ସୁଦ୍ଧା ନିଖୋଜଙ୍କୁ ଉଦ୍ଧାର କରାଯାଇ ପାରିନାହିଁ । ଜିଲ୍ଲା ପ୍ରଶାସନ,ପୋଲିସ ଓ କିଛି ସ୍ବେଚ୍ଛାସେବୀ ସଂଗଠନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।
ମୁମ୍ବାଇ ସମେତ ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ବର୍ଷା ଯୋଗୁଁ ସ୍ଥିତି ସଙ୍ଗୀନ ରହିଛି । ମହାରାଷ୍ଟ୍ରରେ ଗତ କିଛି ଦିନରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ୩୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭୫ ଜଣ ଲୋକ ଆହତ ହୋଇଛନ୍ତି ।