ଭାରତୀୟ ଦୂତାବାସ କର୍ମଚାରୀଙ୍କ ପ୍ରତି ପାକିସ୍ତାନର ଅମାନବୀୟ ବ୍ୟବହାର : ଲୁହା ରଡରେ ପିଟିଥିଲା ପାକିସ୍ତାନ ପୋଲିସ, ପିଆଇଲା ଅସନା ପାଣି

Published By : Prameya-News7 Bureau | June 16, 2020 IST

ନୂଆଦିଲ୍ଲୀ ୧୬/୦୬ : ଜୁନ ୧୫ ତାରିଖରେ ପାକିସ୍ତାନରେ ଦୁଇ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଉଠାଇ ନେଇଥିଲା | ଦୁଇ କର୍ମଚାରୀଙ୍କୁ ଗତକାଲି ରାତିରେ ପାକିସ୍ତାନ ମୁକ୍ତ କରିଥିଲା | ଦୁଇ କର୍ମଚାରୀ ପାକିସ୍ତାନ ପୋଲିସ ବିରୋଧରେ ବିସ୍ଫୋରକ ବୟାନ ଦେଇଛନ୍ତି | ପାକିସ୍ତାନ ପୋଲିସ ସେମାନଙ୍କ ଅମାନବୀୟ ବ୍ୟବହାର କରିଥିବା ସେମାନେ କହିଛନ୍ତି | ପୀଡିତଙ୍କ ଅନୁଯାୟୀ, ସେମାନଙ୍କୁ ୧୨ ଘଣ୍ଟା ଯାଏଁ ହେପାଜତରେ ରଖାଯାଇଥିଲା | ହେପାଜତରେ ପୋଲିସ ତାଙ୍କୁ ଲୁହା ରଡରେ ମାଡ ମାରିଥିଲା | କେବଳ ସେତିକି ନୁହେଁ, ଯେତେବେଳେ ଭାରତୀୟ ଦୂତାବାସ କର୍ମଚାରୀ ପାଣି ମାଗିଥିଲେ ତାଙ୍କୁ ପିଇବାକୁ ଅସନା ପାଣି ଦେଇଥିଲେ ଏବଂ ସେହି ଅସନା ପାଣି ପିଇବାକୁ ବାଧ୍ୟ କରିଥିଲେ | ମିଳିଥିବା ସୂଚନା ଅନୁଯାୟୀ, ଉଭୟ କର୍ମଚାରୀଙ୍କ ଶରୀରରେ ମାଡର ଅନେକ ଚିହ୍ନ ରହିଛି |

ଭାରତୀୟ ଦୂତାବାସର ଏହି ଦୁଇ କର୍ମଚାରୀ ଗତକାଲି, ସୋମବାର ସକାଳ ୮ଟା ରୁ ନିଖୋଜ ଥିଲେ | ପରେ ଜଣାପଡିଥିଲା ତାଙ୍କୁ ପାକିସ୍ତାନ ପୋଲିସ ଟେକି ନେଇଛି | ହିଟ ଆଣ୍ଡ ରନ ମାମଲାରେ ପୋଲିସ ତାଙ୍କୁ ଉଠାଇ ନେଇଥିବା ଜଣାପଡିଥିଲା | ଦୁଇଜଣଙ୍କୁ ହାଥକଡୀ ଲଗାଇ ଆଖିରେ ପଟି ବାନ୍ଧି ତାଙ୍କୁ ପୋଲିସ ନେଇଯାଇଥିଲା ବୋଲି ପୀଡିତ କର୍ମଚାରୀ କହିଛନ୍ତି | ଭାରତୀୟ ଦୂତାବାସ ନିକଟରେ ହିଁ କେଉଁ ଏକ ସ୍ଥାନରେ ସେମାନଙ୍କୁ ୧୨ ଘଣ୍ଟା ଯାଏଁ ରଖାଯାଇଥିଲା ଯେପରିକି ଦୂତାବାସ ଅଧିକାରୀଙ୍କ ପ୍ରତିକ୍ରିୟା ଉପରେ ନଜର ରଖାଯାଇପାରିବ |

ଦୁଇ ଭାରତୀୟ ଅଧିକାରୀ ହେଲେ ପଲ ସିଲବାଦେସ ଇ ଦ୍ୟୁମୁ ବ୍ରହ୍ମା | ସେ କହିଛନ୍ତି ପାଖାପାଖି ୧୫ ରୁ ୧୬ ଜଣ ୬ଟି ଗାଡିରେ ଆସି ତାଙ୍କ ଗାଡିକୁ ଘେରି ପକାଇଥିଲେ | ତାପରେ ଦୁଇଜଣଙ୍କ ଆଖିରେ ପଟି ବାନ୍ଧି ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇଯାଇଥିଲେ | ସେଠାରେ ୬ ଘଣ୍ଟା ଧରି ତାଙ୍କୁ ପଚରାଉଚୁରା କରାଯାଇଥିଲା ଏବଂ ମାରପିଟ କରାଯାଇଥିଲା | ତାଙ୍କୁ ଲୁହା ରଡରେ ପାକିସ୍ତାନୀ ପୋଲିସ ମାଡ଼ ମାରିଥିବା ସେମାନେ କହିଛନ୍ତି | ତାଛଡା ଅସନା ପାଣି ପିଇବା ପାଇଁ ମଧ୍ୟ ବାଧ୍ୟ କରାଯାଇଥିଲା | ସୂଚନାଯୋଗ୍ୟ ଯେ, ପାକିସ୍ତାନୀ ପୋଲିସ ଏମାନଙ୍କୁ ଦୂତାବାସରେ କାର୍ଯ୍ୟରତ ସମସ୍ତଙ୍କ ବ୍ୟକ୍ତିଗତ ସୂଚନା ମାଗିଥିଲା | ରାତି ପ୍ରାୟ ୯ଟା ସମୟରେ ଉଭୟଙ୍କୁ ମୁକ୍ତ କରିଦିଆଯାଇଥିଲା |

ପାକିସ୍ତାନ ମିଡ଼ିଆ ଏ ସମ୍ପର୍କରେ କହିଛି ଯେ ଦୂତାବାସର ଦୁଇ କର୍ମଚାରୀଙ୍କୁ ପୋଲିସ ହିଟ ଆଣ୍ଡ ରନ ମାମଲା ସହିତ ଜଡିତ ଏକ ମାମଲାର ଯାଞ୍ଚ ପାଇଁ ଡାକିଥିଲା | ଏହି ଦୁଇ କର୍ମଚାରୀ ଇସ୍ଲାମଵାଦରେ ହୋଇଥିବା ଏକ କାର ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତ |


ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ଅନୁଯାୟୀ, ଦୁଇଜଣ ଭାରତୀୟ ଦୂତାବାସରେ କାର୍ଯ୍ୟରତ ଥିଲେ ମଧ୍ୟ ଉଭୟଙ୍କ ପାଖରେ ଡିପ୍ଲୋମେଟିକ ପାସପୋର୍ଟ ଅଛି | ଡନରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ ଉଭୟଙ୍କ ବିରୋଧରେ ଇସ୍ଲାମଵାଦ ସେକ୍ରେଟେରିଏଟ ପୋଲିସ ଥାନାରେ ମାମଲା ରୁଜ୍ଜୁ କରାଯାଇଛି | ଫୁଟପାଥରେ ଚାଲୁଥିବା ଜଣେ ବ୍ୟକ୍ତିଙ୍କ ଉପରେ ଗାଡି ଚଢାଇ ଦେଇ ଘଟଣାସ୍ଥଳରୁ ଫେରାର ହେବ ପାଇଁ ଉଦ୍ୟମ କରିଥିଲେ ବୋଲି ଉଭୟଙ୍କ ବିରୋଧରେ ଅଭିଯୋଗ ରହିଛି ବୋଲି କହିଛି ପାକିସ୍ତାନ ପୋଲିସ | ଉଭୟଙ୍କ ପାଖରୁ ନକଲି ଟଙ୍କା ମଧ୍ୟ ଜବତ ହୋଇଛି ବୋଲି ଏଫଆଇଆରରେ ଲେଖାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.