ବେଆଇନ କଫ ସିରପ ଘଟଣାର ପର୍ଦ୍ଦାଫାଶ, ୨ ନିଶା ବେପାରୀ ଗିରଫ
28/01/2021 at 5:49 PM

ବଲାଙ୍ଗୀର୨୮/୧: ୬ ଲକ୍ଷ ଟଙ୍କାର କଫ ସିରପ୍ ଜବତ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଫିଲ୍ମ ଷ୍ଟାଇଲ୍ରେ ଗୋଡାଇ ଗୋଡାଇ ନିଶା ବେପାରୀଙ୍କୁ ଧରିଥିଲା ପୋଲିସ। ଏଥିପାଇଁ ବ୍ୟବହୃତ ହୋଇଥିବା ଗାଡି ଏବଂ ୫୪୪୦ ବୋତଲ ଏସ୍ କଫ ସରିପ୍ ଜବତ କରିଛି ପୋଲିସ। ଗତକାଲି ବଲାଙ୍ଗୀରରୁ ପାଟଣାଗଡ ଅଭିମୁଖେ ବେଆଇନ୍ କଫ ସିରପ୍ ବୋଝେଇ ଏକ କାର ଯାଉଥିବାର ଖବର ପୋଲିସ କାନରେ ପଡିଥିଲା।
ଏହାପରେ ବଲାଙ୍ଗୀର ସଦର ପୋଲିସର ସ୍ବତନ୍ତ୍ର ଟିମ୍ କଫ ସିରପ୍ ବୋଝେଇ କାରର ପିଛା କରିଥିଲା। ଶେଷରେ ବାରପୁଡୁଗିଆଠାରେ ପୋଲିସ କାରଟିକୁ ଅଟକାଇଥିଲା। କାର ଭିତରୁ ୫୪୪୦ ବୋତଲ ବେଆଇନ କୋରେକ୍ସ କଫ ସିରପ୍ ବୋତଲ ଜବତ କରିଥିଲା ପୋଲିସ। କେଉଁ ସ୍ଥାନରୁ ଏତେ ପରିମାଣର କଫ ସିରପ୍ ଆସିଲା ? କୁଆଡେ ଯାଉଥିଲା? ଏହାର ମାଲିକ କିଏ? ଗିରଫ ବ୍ୟକ୍ତିଙ୍କୁ ଏମିତି ଅନେକ ପ୍ରଶ୍ନ ପଚାରିଥିଲା ପୋଲିସ। ତେବେ ଗିରଫ ହୋଇଥିବା କଫ ସିରପ୍ ମାଫିଆଙ୍କ ସୂଚନା ଅନୁସାରେ ପୋଲିସ ତଦନ୍ତ ଜାରି ରଖିଛି।