ଦମୋହ, ୦୬/୦୩: ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ ଜନ୍ମଦିନ ସମାରୋହରେ ଏକ ଅଭାବନୀୟ ଘଟଣା ଘଟିଛି । ବିଜେପି ବିଧାୟକଙ୍କ ଜନ୍ମଦିନରେ ଆୟୋଜିତ ଏକ ସାର୍ବଜନୀକ ସମାରୋହରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ବିଧାୟକ ପ୍ରତିନିଧି ଥିବା ବେଳେ ଅନ୍ୟଜଣେ ଅତିଥି ଶିକ୍ଷକ ଥିବା ଜଣାପଡ଼ିଛି । ଏହି ସମୟରେ ସେ ଅଞ୍ଚଳର ବିଧାୟକ ଧର୍ମେନ୍ଦ୍ର ଲୋଧେ ଘଟଣାସ୍ଥଳରେ ଉପସ୍ଥିତ ନଥିଲେ ।
ପୋଲିସ୍ ଅଧିକ୍ଷକ ହେମନ୍ତ ଚୈହାନ୍ ଶନିବାର ଏନେଇ କହିଛନ୍ତି ଯେ, ମୃତକ ଦୁଇ ଜଣ ହେଉଛନ୍ତି ଅରବିନ୍ଦ ଜୈନ ଏବଂ ଯୋଗେନ୍ଦ୍ର ସିଂହ । ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ, ଯୋଗେନ୍ଦ୍ରଙ୍କ ଦେହରେ ଗୁଳି ବାଜିବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି ଏବଂ ଜୈନକୁ କିଛି ଲୋକ ପଥର ଓ ବାଡ଼ିରେ ବାଡ଼େଇ ବାଡ଼େଇ ମାରିଛନ୍ତି ।
ଘଟଣା ଅନୁସାରେ, ପୋଲିସ୍ ଜିଲ୍ଲା ମୁଖ୍ୟାଳୟ ଠାରୁ ୪୦ କିମି ଦୂର ନୋହଟା ଥାନା ଅଞ୍ଚଳର ବନବାର ଗ୍ରାମରେ ଶୁକ୍ରବାର ରାତିରେ ବିଧାୟକ ଧର୍ମେନ୍ଦ୍ର ଲୋଧେଙ୍କ ଜନ୍ମଦିନ ସମାରୋହ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜୈନ ଏବଂ ସିଂହଙ୍କ ଭିତରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହି କାରଣରୁ ଉଭୟଙ୍କ ମଧ୍ୟରେ ରକ୍ତ ସଂଘର୍ଷ ହୋଇଥିଲା । ଯେଉଁଥିରେ ଦୁହିଁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ତେବେ ଏହି ଘଟଣାକୁ ନେଇ ମଧ୍ୟପ୍ରଦେଶ ରାଜନୀତି ଗରମ ହୋଇଛି । ଜିଲ୍ଲାରେ ଅପରାଧ ବୃଦ୍ଧି ପାଇବା ନେଇ ଜିଲ୍ଲା କଂଗ୍ରେସ୍ କମିଟି ପୋଲିସ୍ ଉପରେ ପ୍ରଶ୍ନ ଉଠାଇଥିବା ବେଳେ ପୋଲିସ୍ର ନିଷ୍କ୍ରିୟତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।