ବ୍ୟାଙ୍କ କାରବାର ଉପରେ ପଡିପାରେ 2 ଦିନିଆ ହରତାଳର ପ୍ରଭାବ, ୩୧ ଜାନୁୟାରୀ ପୂର୍ବରୁ କାମସାରି ଦିଅନ୍ତୁ ଗ୍ରାହକ

Published By : Prameya-News7 Bureau | January 24, 2020 IST

ନୂଆଦିଲ୍ଲୀ ୨୪।୧: ଦୁଇ ଦିବସୀୟ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ୩୧ ତାରିଖରୁ ଆରମ୍ଭ ହେବ। ଏଥିଯୋଗୁ ବ୍ୟାଙ୍କ କାର୍ଯ୍ୟ ଗୁରୁତର ପ୍ରଭାବିତ ହେବ ବୋଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ଦପ୍ତର ଓ ଶାଖାର ସାଧାରଣ ପରିଚାଳନା ନିମନ୍ତେ  ଯଥାସମ୍ଭବ ଉଦ୍ୟମ କରାଯାଉଥିବା ଏସବିଆଇ ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ଆଶ୍ୱାସନା ଦେଇଛନ୍ତି।

ବେତନ ସଂଶୋଧନ ନେଇ ବ୍ୟାଙ୍କ କର୍ମଚାରୀଙ୍କ ସଙ୍ଗଠନର ଆଲୋଚନା ବିଫଳ ହେବା ପରେ ୩୧ ଜାନୁୟାରୀ ଓ ୧ ଫେବୃଆରୀ ଦେଶବ୍ୟାପୀ ହରତାଳ ଆହ୍ୱାନ ଦିଆଯାଇଥିଲା। ତେବେ ସେୟାର ବଜାରକୁ ମିଳିଥିବା ସୂଚନା ଅନୁସାରେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନସ୍  ଅନ୍ତର୍ଗତ ବ୍ୟାଙ୍କ କର୍ମଚାରୀଙ୍କ ସଙ୍ଗଠନମାନେ ଏହି ଆନ୍ଦୋଳନରେ ସାମିଲ ହେଉଥିବା ଆଇବିଏ କହିଛନ୍ତି। ଏଣୁ ୩୧ ଜାନୁୟାରୀ ଓ ୧ ଫେବୃଆରୀରେ ସାରା ଦେଶରେ ବ୍ୟାଙ୍କ କାର୍ଯ୍ୟ ବାଧିତ ରହିବ ବୋଲି ଜଣାପଡିଛି।

ଏହି ଆନ୍ଦୋଳନରେ ଅଖିଳଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ, ଅଖିଳ ଭାରତୀୟ ବ୍ୟାଙ୍କ ଅଧିକାରୀ ସଂଘ, ବ୍ୟାଙ୍କ କର୍ମଚାରୀଙ୍କ ଜାତୀୟ ସଂଘ ସମେତ ୯ଟି ସଂଘର ସଦସ୍ୟମାନେ ଆନ୍ଦୋଳନକୁ ଓହ୍ଲାଇବେ। ତେବେ ୧ ଫେବୃଆରୀରେ ସଂସଦରେ ବଜେଟ ଉପସ୍ଥାପନ ଦିନ ସେୟାର ବଜାର ଅନ୍ୟଦିନ ଭଳି ମଧ୍ୟ ଖୋଲା ରହିବ ବୋଲି ବିଏସଇ ପୂର୍ବରୁ ଘୋଷଣା କରିଛନ୍ତି। ଏଣୁ ସେୟାର କାରବାର ମଧ୍ୟ ପ୍ରଭାବିତ ହେବ ବୋଲି ଏବେ ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.