କରୋନା ଟେଷ୍ଟ୍ ପାଇଁ ୨ଟି କମ୍ପାନୀର କିଟ୍ସକୁ ମଞ୍ଜୁରୀ, ଲକଡାଉନକୁ କଡାକଡି ପାଳନ ପାଇଁ ନିର୍ଦ୍ଦେଶ
23/03/2020 at 5:50 PM

ନୂଆଦିଲ୍ଲୀ, ୨୩|୦୩: କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଦେଶର ମୋଟ ୧୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଲକଡାଉନ୍ କରାଯାଇଛି। ସେହିପରି ୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କିଛି ସ୍ଥାନକୁ ଲକଡାଉନ୍ କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଦେଶରେ ମୋଟ ୪୧୫ଜଣ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏବେସୁଦ୍ଧା ୭ଜଣ ପ୍ରାଣ ହରାଇଛନ୍ତି। ଏବେ ଜରୁରୀ ସେବାକୁ ଛାଡି ଅନ୍ୟ ସମସ୍ତ ସେବା ଉପରେ ରୋକ ଲଗାଇବା ପାଇଁ ଚେଷ୍ଟା କରାଯାଉଛି। ଏହାସହ ଲକଡାଉନକୁ କଡାକଡି ପାଳନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଆଇସିଏମଆରର ଡାଇରେକ୍ଟର ଜେନେରାଲ ବଳରାମ ଭାର୍ଗବ କହିଛନ୍ତି, ଦେଶରେ ୧୨ଟି ଲ୍ୟାବ୍ ଆରମ୍ଭ କରାଯାଇଛି। ଏହି ଲ୍ୟାବ ପାଖରେ ୧୫ହଜାର କଲେକ୍ସନ ସେଣ୍ଟର ରହିଛି। ଟେଷ୍ଟିଂ କିଟ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଉଛି। ଦୁଇଟି ନୂଆ କମ୍ପାନୀର ଟେଷ୍ଟିଂ କିଟ୍ସକୁ ଅନୁମତି ପ୍ରଦାନ କରାଯାଇଛି।