ଚୀନର ୨ଟି ରାପିଡ୍ ଟେଷ୍ଟିଂ କିଟ୍ସ୍ ଉପରେ ରୋକ, ବ୍ୟବହାର ତୁରନ୍ତ ବନ୍ଦ ପାଇଁ ଆଇସିଏମଆରର ଆଡଭାଇଜରୀ
27/04/2020 at 7:25 PM

ନୂଆଦିଲ୍ଲୀ, ୨୭|୦୪: ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ସମସ୍ତ ରାଜ୍ୟ ସରକାରଙ୍କୁ କରୋନା ଟେଷ୍ଟ୍ ପାଇଁ ବ୍ୟବହୃତ ରାପିଡ୍ ଟେଷ୍ଟିଂ କିଟ୍ସର ବ୍ୟବହାର ତୁରନ୍ତ ବନ୍ଦ କରିବାକୁ କହିଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ଆଡଭାଇଜାରୀ ଜାରି କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ ଚୀନର ଗୁଆଙ୍ଗଝାଉ ବୋଡଫୋ ବାୟୋଟିକ୍ ଓ ଝୁହାଇ ଲିବଜାନ୍ ଡାଏଗ୍ନୋଷ୍ଟିକର କିଟ୍ ବ୍ୟବହାର ନକରିବା ପାଇଁ କହିଛନ୍ତି ।
ଆଇସିଏମଆର ଟେଣ୍ଡର କରି କିଟ୍ ଅର୍ଡର୍ କରିଥିଲା । ଏଥିରେ ଅନେକ ଅନ୍ତରାଷ୍ଟ୍ରୀୟ କମ୍ପାନୀ ସାମିଲ ଥିଲେ । ଟେଣ୍ଡରକୁ ଶେଷ ମଞ୍ଜୁରୀ ଦେବା ପୂର୍ବରୁ ଜରୁରୀ ଗୁଣବତ୍ତା ଉପରେ ଧ୍ୟାନ ରଖାଯାଇଥିଲା । ଲଗ୍ ଅଗ୍ରଓ୍ୱାଲ କହିଛନ୍ତି ଯେ, ଅର୍ଡର ଦିଆଯାଇଥିବା କମ୍ପାନୀର କିଟକୁ ନେଇ ଅନେକ ଅଭିଯୋଗ ଆସିଥିଲା । ତେଣୁ ଆଇସିଏମଆର ଏହାକୁ ତୁରନ୍ତ ରବ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏବେ ଅନ୍ୟ କୌଣସି କମ୍ପାନୀକୁ ଟେଣ୍ଡର ଦିଆଯାଇ ନାହିଁ । ଅନ୍ତରାଷ୍ଟ୍ରୀୟ ଟେଣ୍ଡର ଫାଇନାଲ କରିବା ପାଇଁ କିଛି ନିୟମ ରହିଛି । ଯଦି କମ୍ପାନୀର ଅର୍ଡର୍ ଠିକ୍ ରହେ ନାହିଁ ତେବେ ପେମେଣ୍ଟ କରାଯାଏ ନାହିଁ ।
ସେ ଆହୁରି କହିଛନ୍ତି ଯେ, ଦେଶରେ ମାତ୍ରାଧିକ ରାପିଡ୍ ଟେଷ୍ଟିଂ କିଟ୍ସ ଉପଲବ୍ଧ ଅଛି । ସ୍ଥିତି ହିସାବରେ ଏହାର କ୍ଷମତା ବୃଦ୍ଧି କରାଯିବ । ସଂକ୍ରମିତଙ୍କ ଟେଷ୍ଟିଂ ପାଇଁ କୌଣସି ଅସୁବିଧା ହେଉନାହିଁ । ଲ୍ୟାବ୍ ଓ କଲେକ୍ସନ ସେଣ୍ଟର ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଦେଶର ସମସ୍ତ ପ୍ରାନ୍ତରେ ଲ୍ୟାବ୍ ତିଆରି କରାଯାଉଛି । ଫଳରେ ଯାଂଚ୍ ବୃଦ୍ଧି ପାଇବ ।