ଖେଳି ସାରି ଲିଫ୍ଟରେ ଚଢ଼ିଲେ କୁନି ଭାଇ-ଭଉଣୀ, ଦଶମ ମହଲାରେ ଜଗିଥିଲା ମା’, କିନ୍ତୁ ସବୁ ଓଲଟ ପାଲଟ ହୋଇଗଲା

Published By : Prameya-News7 Bureau | October 25, 2021 IST

ନୋଏଡା ୨୫/୧୦: ଗ୍ରେଟର ନୋଏଡାରେ ଥିବା ଏକ ସୋସାଇଟ୍‌ରେ ବଡ଼ ଅଘଟଣ ଘଟିଛି। ରବିବାର ରାତିରେ ଲିଫ୍ଟ ଅଟକିଯିବା ପରେ ମାମଲା ସାମ୍ନାକୁ ଆସିଛି। ଏହି ସମୟରେ ତଳ ମହଲାରୁ ଉପରକୁ ଯାଉଥିବା ବେଳେ ଦୁଇ ପିଲା ପାଖାପାଖି ୪୦ ମିନିଟ୍‌ ପର୍ଯ୍ୟନ୍ତ ଲିଫ୍ଟରେ ଫସି ରହିଥିଲେ। ମିଳିଥିବା ସୂଚନା ଅନୁସାରେ, ଘଟଣା ସମୟରେ ବିଜୁଳୀ ଚାଲିଯାଇଥିଲା ଏବଂ ଜେନେରେଟର ଚାଲିନଥିଲା। ଲିଫ୍ଟର ଚାବି ଖୋଜା ଖୋଜି କରିଥିଲେ ବି ମିଳିନଥିଲା।

ପିଲାମାନଙ୍କ ମା ରୀନା କାଲରା କହିଛନ୍ତି, ସେ ନିଜ ପରିବାର ସହ ବିଲ୍ଡିଂର ଦଶମ ମହଲାରେ ରହୁଛନ୍ତି । ରବିବାର ରାତିରେ ପାର୍କରୁ ଖେଳା ଖେଳି ସାରି ତାଙ୍କର ୧୩ ବର୍ଷର ପୁଅ ଏବଂ ୯ ବର୍ଷର ଝିଅ ଲିଫ୍ଟ ଯୋଗେ ଫେରୁଥିଲେ। ଲିଫ୍ଟ​‌ରେ ଚଢ଼ିବା ପୂର୍ବରୁ ଦୁହେଁ କଲ କରି ଜଣାଇଥିଲେ । ଏହା ପରେ ସେ ଲିଫ୍ଟର ଗେଟ୍‌ ପାଖରେ ଅପେକ୍ଷା ମଧ୍ୟ କରିଥିଲେ । କିନ୍ତୁ ୨ ମିନିଟ୍‌ ପରେ ପିଲାମାନେ ଆସିନଥିଲେ । ପରେ ପରେ ବିଜୁଳୀ ମଧ୍ୟ ଚାଲିଯାଇଥିଲା।

ପରିବାର ଲୋକେ ଦଶ ମହଲା ତଳକୁ ଲିଫ୍ଟ ଦେଖି ଦେଖି ଗଲେ। କିନ୍ତୁ ଭାଇ-ଭଉଣୀ କେଉଁଠି ନଜର ଆସିନଥିଲେ । କରେଣ୍ଟ ଚାଲିଯାଇଥିଲା, ଜେନେରେଟର କାମ କରୁନଥିଲା ଏପରିକି ଲିଫ୍ଟର ଚାବି ବି ନଥିଲା। ବହୁ ଚେଷ୍ଟା ପରେ ବି କିଛି ସୁଫଳ ମିଳିନଥିଲା। ଶେଷରେ ୪୦ ମିନିଟ୍‌ ପରେ ବିଜୁଳୀ ଆସିଥିଲା ଏବଂ ପିଲା ଦୁହେଁ ବାହାରକୁ ଆସିଥିଲେ। ଘଟଣା ପରଠୁ ଭାଇ-ଭଉଣୀ ଭୟ ପାଇଯାଇଛନ୍ତି । ସେପଟେ ସୋସାଇଟି ପରିଚାଳକଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.