କର୍ଣ୍ଣାଟକରେ ଚିହ୍ନଟ ହୋଇଥିବା ଦୁଇ ଓମିକ୍ରନ ମାମଲାରୁ ଜଣେ ଡାକ୍ତର: ନାହିଁ କୌଣସି ଟ୍ରାଭେଲ ହିଷ୍ଟ୍ରୀ

Published By : Prameya-News7 Bureau | December 02, 2021 IST

ବେଙ୍ଗାଲୁରୁ ୦୨/୧୨ : ଦେଶରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଚିହ୍ନଟ ହୋଇଛି। କର୍ଣ୍ଣାଟକର ଦୁଇଜଣଙ୍କ ମଧ୍ୟ ଓମିକ୍ରନ ଚିହ୍ନଟ ହୋଇଛି। ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.କେ ସୁଧାକର କହିଛନ୍ତି ଯେ ସଂକ୍ରମିତଙ୍କ ମଧ୍ୟରୁ ଜଣକର ବୟସ ୬୬ ବର୍ଷ ଓ ସେ ଦକ୍ଷିଣ ଆଫ୍ରିକାର ନାଗରିକ। ଆଉ ଜଣକର ବୟସ ୪୬ ବର୍ଷ ଓ ସେ ଡାକ୍ତର। ତାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରୀ ନାହିଁ। ଡାକ୍ତର ନିକଟରେ ବିଦେଶ ଯାତ୍ରା କରିନାହାନ୍ତି।

ସେ କହିଛନ୍ତି ଯେ ଡାକ୍ତରଙ୍କ ପ୍ରାଥମିକ ଏବଂ ସେକଣ୍ଡାରୀ କଣ୍ଟାକ୍ଟ ପତ୍ତା ଲଗାଯାଇଛି। ଏମାନଙ୍କ ମଧ୍ୟରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାହା ପାଖରେ ଗମ୍ଭୀର ଲକ୍ଷଣ ପରିଲକ୍ଷିତ ହୋଇନାହିଁ। ସମସ୍ତଙ୍କୁ ଭ୍ୟାକସିନ ଡୋଜ ଦିଆଯାଇଛି। କେ. ସୁଧାକର କହିଛନ୍ତି ଆଉ ଜଣେ ଯିଏ ଦୁବାଇ ଦେଇ ଦକ୍ଷିଣ ଆଫ୍ରିକା ଫେରିଛନ୍ତି ସେ କରୋନା ନେଗେଟିଭ ରିପୋର୍ଟ ଦେଇଛନ୍ତି। କରୋନା ଯାଞ୍ଚ ପ୍ରାଇଭେଟ ଲ୍ୟାବରେ କରାଯାଇଥିଲା। ତାଙ୍କର ସମସ୍ତ କଣ୍ଟାକ୍ଟ ଯାଞ୍ଚ କରାଯାଇଛି। ସେମାନଙ୍କ ମଧ୍ୟରୁ ମୋଟ ୨୬୪ ଜଣଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଦକ୍ଷିଣ ଆଫ୍ରିକାର ଏହି ନାଗରିକ ଜଣକ ନଭେମ୍ବର ୨୦ରେ ବେଙ୍ଗାଲୁରୁ ଆସିଥିଲେ।

ଓମିକ୍ରନ ଚିହ୍ନଟ ହେବାପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ କହିଛନ୍ତି ଯେ ଆସନ୍ତାକାଲି ଏହାକୁ ନେଇ ବୈଠକ ବସିବ। ନୂଆ ଏସଓପି ଜାରି ହେବ। ଗାଇଡଲାଇନ ତିଆରି କରିବା ପୂର୍ବରୁ ବିଶେଷଜ୍ଞଙ୍କ ମତାମତ ନିଆଯିବ। ଏହା ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କର୍ଣ୍ଣାଟକର ଦୁଇ ମାମଲା ସ୍ପଷ୍ଟ କରିଥିଲା। ଏହାସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଥିଲା ଯେ ଓମିକ୍ରନ ମାମଲା ସାମ୍ନାକୁ ଆସିବା ପରେ ଭୟ କରିବା ଆବଶ୍ୟକ ନାହିଁ, ବରଂ ସଚେତନ ଓ ସତର୍କ ରହିବ ଆବଶ୍ୟକ। କୋଭିଡ ନିୟମ ପାଳନ କରି ଜନଗହଳିପୂର୍ଣ୍ଣ ସ୍ଥାନକୁ ନ ଯାଆନ୍ତୁ। ବର୍ତ୍ତମାନ କୋଭିଡ ଭ୍ୟାକସିନ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ। ବିଳମ୍ବ ନ କରି ଭ୍ୟାକସିନର ଦୁଇଟି ଡୋଜ ନେଇଯିବା ଉଚିତ ବୋଲି ସେ କହିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ବିଶ୍ୱର ୨୯ ଦେଶରେ ଓମିକ୍ରନ ଭାରିଏଣ୍ଟର ୩୭୩ ମାମଲା ସାମ୍ନାକୁ ଆସିଛି। ଭାରତ ସ୍ଥିତି ଉପରେ ନଜର ରଖିଛି। ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ଏହା ଆକଳନ କରିବା ମୁସ୍କିଲ ଯେ ଓମିକ୍ରନ ଗମ୍ଭୀର ସଂକ୍ରମଣ ସୃଷ୍ଟି କରିବ ନା ଡେଲଟା ତୁଳନାରେ କାମ ଘାତକ ରହିବ। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଭାରିଏଣ୍ଟକୁ ଚିନ୍ତାଜନକ ବୋଲି କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.