କାର ଭିତରେ ଜୀବନ୍ତ ଜଳିଗଲେ ୩ଯୁବକ, ଲୋକେ ଉଦ୍ଧାର ପାଇଁ ନ ଆସି କରୁଥିଲେ ଭିଡିଓ ରେକଡିଂ: ସାହାଯ୍ୟ ପାଇଁ ବାପାଙ୍କୁ ମେସେଜ କରିଥିଲେ ଜଣେ, କିନ୍ତୁ ଦୁର୍ଭାଗ୍ୟବଶତଃ ବାପା ବି ଦେଖିନଥିଲେ ମେସେଜ
25/01/2019 at 3:20 PM

ଦିଲ୍ଲୀ ୨୫/୧ : ରାଜଧାନୀ ଦିଲ୍ଲୀର ଆନନ୍ଦ ବିହାର ନିକଟରେ ଥିବା ଫ୍ଲାଇଓଭର ମଝି ରାସ୍ତାରେ ହୋଇଥିବା ଭୟଙ୍କର ଦୁର୍ଘଟଣାରେ ଦୁଇଟି ଗାଡି ଏକାଥରକେ ଧୁ ଧୁ ହୋଇ ଜଳିଗଲା | ଦୁଇଟି ଗାଡିରେ ଫସି ରହିଥିଲେ ଲୋକେ | ଗାଡିରେ ନିଆଁ ଲାଗିଲା ପରେ ଗାଡି ଭିତରେ ଫସି ରହିଥିବା ଲୋକେ ଉଦ୍ଧାର ପାଇଁ ବିକଳ ହୋଇ ଚିତ୍କାର କରିଥିଲେ | କିନ୍ତୁ କେହି ମଧ୍ୟ ତାଙ୍କୁ ସାହାଯ୍ୟ କରିନଥିଲେ | ଲୋକେ ପାଖରେ ଛିଡା ହୋଇ ଭିଡିଓ ରେକଡିଂ କରୁଥିଲେ ପଛେ ପାଖକୁ ଯାଇ ନା ନିଆଁ ଲିଭାଇଥିଲେ ନା କାହାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ | ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି | ଉଭୟ କାରରେ ଯାତ୍ରା କରୁଥିବା ପରିବାରରେ ଶୋକର ଛାୟା ଖେଳି ଯାଇଛି |
ବୁଧବାର ସନ୍ଧ୍ୟାରେ ଘଟିଥିଲା ଏହି ଦୁର୍ଘଟଣା | ଦିଲ୍ଲୀ ସ୍ଥିତ ଆନନ୍ଦ ବିହାର ଫ୍ଲାଇଓଭର ଉପରେ ଏକ ଫୋର୍ଡ଼ ଇକୋସ୍ପୋର୍ଟ କାର ବିପରୀତ ଦିଗରୁ ଆସୁଥିବା ମାରୁତି ଇକୋ କାରକୁ ଧକ୍କା ଦେଇଥିଲା | ଫୋର୍ଡ଼ର ସ୍ପିଡ଼ ଏତେ ଅଧିକ ଥିଲା ଯେ, ଦୁଇଟି କାର ଧକ୍କା ହେବା ପରେ ଫୋର୍ଡ଼ ଇକୋ ଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେଇଥିଲା | ଡିଭାଇଡରକୁ ଧକ୍କା ଦେବା ପରେ ଫୋର୍ଡ଼ ଇକୋରେ ନିଆଁ ଲାଗି ଯାଇଥିଲା | ମାରୁତି ଇକୋରେ ସିଏନଜି କୀଟ ଲାଗିଥିଲା | ଉଭୟ କାର ଧକ୍କା ହେବା ଫଳରେ ଗ୍ୟାସ ଲିକ ହୋଇ କାରରେ ନିଆଁ ଲାଗିଯାଇଥିଲା |
ଫୋର୍ଡ଼ରେ ରହିଥିଲେ, ଅକ୍ଷୟ ଏବଂ ଗର୍ବ | ମାରୁତି କାରରେ ଥିଲେ ସମସାଦ, ଅବଦୁଲ ଏବଂ ଇମ୍ରାନ | କାରରେ ନିଆଁ ଲାଗିବ ପରେ ଏ ସମସ୍ତେ ଜଳନ୍ତା ଗାଡି ଭିତରେ ଫସି ରହିଗଲେ | କାରରେ ନିଆଁ ଲାଗିବ ପରେ ଏମାନେ ଚିତ୍କାର କରି ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ମାଗିଥିଲେ | କିନ୍ତୁ ସେଠାରେ ଉପସ୍ଥିତ ଲୋକେ ମାନବିକତା ହରାଇ ସେମାନଙ୍କୁ ଉଦ୍ଧାର ନକରି ନିଜ ନିଜ ମୋବାଇଲରେ ଭିଡିଓ ରେକର୍ଡିଙ୍ଗ କରିବାରେ ବ୍ୟସ୍ତ ଥିଲେ |
ଲୋକଙ୍କ ଅମାନବିକତା ଦେଖି ଗର୍ବ ନିଜ ବାପାଙ୍କୁ ଫୋନ କରିଥିଲେ | ହ୍ୱାଟ୍ସ ଆପ୍ପରେ ମେସେଜ ମଧ୍ୟ ପଠାଇଥିଲେ | ଠିକ ସେତିକିବେଳେ ଗର୍ବଙ୍କ ବାପା ପଡୋଶୀଙ୍କ ଜଣେ ଲୋକଙ୍କ ଅନ୍ତିମ ସଂସ୍କାରରେ ଯାଇଥିଲେ | ଯେଉଁଥିପାଇଁ ସେ ନିଜ ପୁଅର ଶେଷ ମେସେଜ ଦେଖିପାରିନଥିଲେ | ଶେଷରେ ଗର୍ବଙ୍କ ମୃତ୍ୟୁ ହୋଇଯାଇଥିଲା | ମେସେଜ ଦେଖିଥିଲେ ହୁଏତ ତାଙ୍କ ବାପା କିଛି କରିପାରିଥାନ୍ତେ | କିନ୍ତୁ ଭାଗ୍ୟର ବିଡମ୍ବନା ଏପରି ଯେ, ବାପା ପୁଅର ଶେଷ ମେସେଜ ଠିକ ସମୟରେ ଦେଖିନଥିଲେ | ଶେଷରେ ବାପା ପାଖକୁ ପୁଅର ମୃତ୍ୟୁ ଖବର ଆସିଥିଲା |
ଠିକ ସମୟରେ ସାହାଯ୍ୟ ନମିଳିବାରୁ ଦୁର୍ଘଟଣାରେ ଗର୍ବ, ଅବଦୁଲ ଏବଂ ସମସାଦଙ୍କ ମୃତ୍ୟୁ ହୋଇଯାଇଥିଲା | ଅନ୍ୟ ଦୁଇ ଯୁବକ ଅକ୍ଷୟ ଏବଂ ଇମ୍ରାନଙ୍କୁ ଅଗ୍ନିଶମ ବିଭାଗ ଆସି ଉଦ୍ଧାର କରିଥିଲା | ଏ ଦୁଇ ଯୁବକ ଏବେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି |