ରାଜମହଲ ଛକରେ ସ୍କୁଟିକୁ ପିଟିଲା ଟ୍ରକ୍, ଆଖି ବୁଜିଲେ ୨ ସାଙ୍ଗ : ଖାଇବା ଧରି ଘରକୁ ଫେରୁଥିଲେ...

Published By : Prameya-News7 Bureau | November 30, 2021 IST

ଭୁବନେଶ୍ୱର,୩୦/୧୧: ରାଜମହଲ ଛକରେ ଦୁର୍ଘଟଣା । ଚାଲିଗଲା ୨ ବନ୍ଧୁଙ୍କ ଜୀବନ । ଘରେ ପହଁଚିବା ଆଗରୁ ଆଖିବୁଜିଲେ ଉଭୟ । ଏହାସହ  ଆହତ ହେଲେ ଅନ୍ୟ ଜଣେ ସଫେଇ କର୍ମଚାରୀ ।  

ସୋମବାର ବନ୍ଦ ଥିଲା ମାର୍କେଟ । ବେପାର ବନ୍ଦ ଥିବାରୁ ୨ ବ୍ୟବସାୟୀ ସାଙ୍ଗ ବୁଲିବା ପାଇଁ ସନ୍ଧ୍ୟାରେ ମାର୍କେଟ ବାହାରିଲେ । ମାର୍କେଟ ବିଲ୍ଡିଂରେ କିଣାକିଣି କଲେ । ରାତିର ଖାଇବା ଧରି ଘରକୁ ବାହାରିଲେ । ଆଉ ଅଧଘଣ୍ଟା ବିତିଥିଲେ, ଘରେ ପହଞ୍ଚି ଖାଇପିଇ ପୁଣି ସକାଳୁ ବେପାର ମୁହାଁ ହୋଇଥାନ୍ତେ । କିନ୍ତୁ ବିଧିର ବିଧାନ ଅଲଗା ଥିଲା । ରାଜମହଲ ଛକରେ ଏକ ଟ୍ରକ ଧକ୍କାରେ ୨ ଜଣଙ୍କ ଜୀବନ ଅକାଳ ଚାଲିଗଲା ।

ସୋମବାର ରାତିରେ ଏଜି ଛକ-ରାଜମହଲ ରାସ୍ତାରେ ଦୁର୍ଘଟଣାରେ ୨ ବନ୍ଧୁଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଲେ ଲକ୍ଷ୍ମୀସାଗର ମଝିସାହିର ସାରଦା ସାହୁ ଓ ଭିଏସ୍‌ଏସ୍‌ ନଗରର ନୀତିଶ କୁମାର ସ୍ୱାଇଁ । କ୍ୟାପିଟାଲ ଥାନା ପୁଲିସ ଦୁର୍ଘଘଟଣା ସ୍ଥଳକୁ ଯାଇ ଉଭୟଙ୍କୁ ହସ୍ପିଟାଲ ନେଇଥିଲା । ସେଠାରେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନା ମୁତାବକ, ସାରଦା ଓ ନୀତିଶଙ୍କ ମାର୍କେଟ ବିଲ୍ଡିଂରେ ୨ ଦୋକାନ ଅଛି । ଦୁଇ ଜଣଙ୍କ ଦୋକାନ ପାଖାପାଖି ଥିବାରୁ ଦୀର୍ଘଦିନ ହେଲା ଉଭୟେ ଭଲ ବନ୍ଧୁ ପାଲଟି ଯାଇଥିଲେ । ସୋମବାର ମାର୍କେଟ ବନ୍ଦ ଥିବାରୁ ଦିନ ବେଳା ଘରେ ସମୟ ବିତାଇଲେ । ଏକ ସ୍କୁଟିରେ ସନ୍ଧ୍ୟାରେ ମାର୍କେଟ ବୁଲିବାକୁ ବାହାରିଲେ । ସନ୍ଧ୍ୟାରେ ମାର୍କେଟ ବିଲ୍ଡିଂ ବୁଲିବା ପରେ ରାତି ସାଢ଼େ ୧୦ଟା ବେଳେ ଏଜି ଛକରୁ ବାହାରି ରାଜମହଲ ଅଭିମୁଖେ ଯାଉଥିଲେ । ରାଜମହଲ ଛକରେ ପଛରେ ଆସୁଥିବା ଏକ ଟ୍ରକ ଅଣ୍ଡର ପାସ ପାଖରେ ସେମାନଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ସେମାନେ ଭାରସାମ୍ୟ ହରାଇ ଡିଭାଇଡର୍‌ରେ ଧକ୍କା ହୋଇଥିଲେ । ରାସ୍ତାରେ ଛିଟିକି ପଡ଼ି ଡିଭାଇଡ଼ର୍‌ ସିମେଣ୍ଟ ଚଟାଣରେ ପିଟି ହୋଇଯାଇଥିଲେ ।ଦୁର୍ଘଟଣାରେ ରାସ୍ତା ସଫେଇରେ ନିୟୋଜିତ ମନୋରମା ନାୟକ ନାମକ ମହିଳା ମଧ୍ୟ ଆହତ ହୋଇଥିଲେ । ସେ ବିଏମ୍‌ସିର ସଫେଇ କର୍ମୀ ବୋଲି ଜଣାପଡ଼ିଛି । ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ଗାଡ଼ି ଚାଳକଙ୍କ ଭିଡ ଜମିଥିଲା । ପରେ ଆମ୍ବୁଲାନ୍ସ ଓ ପୁଲିସ ସମସ୍ତଙ୍କୁ ହସ୍ପିଟାଲ ନେଇଥିଲେ । ହସ୍ପିଟାଲରେ ମୃତକଙ୍କ ପରିବାର ଲୋକେ ପହଞ୍ଚିଥିଲେ । ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.