କ୍ରୁଜ୍‌ ଡ୍ରଗ୍ସ ଲିଙ୍କ୍‌ ମାମଲା : ଓଡିଶାରୁ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି, ପୂର୍ବରୁ ଧରାପଡିଥିଲା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ

Published By : Prameya-News7 Bureau | October 05, 2021 IST

ମୁମ୍ବାଇ ୦୫/୧୦ : ଡ୍ରଗ୍ସ ଲିଙ୍କ୍‌ ମାମଲାର ଆଉ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି । ମୁମ୍ବାଇ କ୍ରୁଜ୍‌ରେ ଡ୍ରଗ୍ସ କାରବାର ମାମଲାରେ ଗିରଫ ହୋଇଥିବା ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ସମେତ ତାର ବନ୍ଧୁଙ୍କୁ ଗିରଫ କରିବା ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ଏହି ଘଟଣାରେ ଓଡିଶା ଲିଙ୍କ୍‌ ବାହାରିଛି । ଓଡିଶାରୁ ୨ ଜଣଙ୍କୁ ଏହି ମାମଲାରେ ଗିରଫ କରିଛି ନାର୍କୋଟିକ୍ସ କଣ୍ଟେ୍ରାଲ ବ୍ୟୁରୋ ଏନ୍‌ସିବି । ଗିରଫ ୨ ଜଣ ହେଉଛନ୍ତି ମନୀଷ ରାଜଗରିଆ ଏବଂ ଅବିନ ସାହୁ । ମନୀଷର ଘର ରାଉରକେଲା ହୋଇଥିବା ବେଳେ ଅବିନର ଘର ରଘୁନାଥପାଲି ବୋଲି ଜଣାପଡିଛି । ଉଭୟଙ୍କୁ ଗିରଫ କରାଯାଇଥିବା ସୂଚନା ରହିଥିବା ବେଳେ ଏମାନେ ଡ୍ରଗ୍ସ ଯୋଗାଉଥିଲେ କିମ୍ବା ପାର୍ଟିରେ ସାମିଲ ଥିଲେ ତାହା ସ୍ପଷ୍ଟ ହୋଇନାହିଁ ।

ପୂର୍ବରୁ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନ, ଅରବାଜ ମର୍ଚେଣ୍ଟ ଏବଂ ମୁନ୍‌ମୁନ୍‌ ଧମାଚେକୁ ଗିରଫ କରି ରିମାଣ୍ଡରେ ନେଇ ପଚରାଉଚରା ଜାରି ରଖିଛି ଏନ୍‌ସିବି । ଏହି ୩ ଜଣ ଷ୍ଟାର କିଡ୍‌ଙ୍କ ସମେତ ୮ ଜଣଙ୍କୁ ଗିରଫ କରି ସତ ଓଗାଳୁଛି ଏନ୍‌ସିବି । ଆର୍ଯ୍ୟନ୍‌କୁ ଆସନ୍ତା ୭ ତାରିଖ ଯାଏଁ ରିମାଣ୍ଡରେ ନେଇ ତୁହାକୁ ତୁହା ଜେରା କରାଯାଉଥିବା ବେଳେ ନୂଆ ନୂଆ ଲିଙ୍କ୍‌ ସାମ୍ନାକୁ ଆସିବା​‌ରେ ଲାଗିଛି ।

ପୂର୍ବରୁ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାରେ ରିୟା ଚକ୍ରବର୍ତ୍ତୀଙ୍କୁ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ କରିଥିଲା ଏନ୍‌ସିବି । ତେବେ ରିୟା ମଧ୍ୟ ଓଡିଶାରୁ ଡ୍ରଗ୍ସ ନେଇ ସେବନ କରିବା ସହ କାରବାର କରୁଥିଲେ । ବଡ କଥା ହେଉଛି ଏବେ ଡ୍ରଗ୍ସ ଲିଙ୍କ୍‌ରେ ଓଡିଶା ବାରମ୍ବାର ଛନ୍ଦି ହୋଇଯାଉଛି । ସେତେବେଳେ ଡ୍ରଗ୍ସ ଲିଙ୍କ ମାମଲାରେ ରିୟା ଚକ୍ରବର୍ତ୍ତୀ ଆଉ ଏବେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଗିରଫ ଘଟଣାରେ ମଧ୍ୟ ଓଡିଶା ଲିଙ୍କ ବାହାରିଛି । ୨ ଜଣଙ୍କୁ ଗିରଫ କରାଯାଇଛି ।

କ୍ରୁଜରେ ଡ୍ରଗ୍ ପାର୍ଟି ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସମେତ ଏନସିବି ତିନି ଜଣଙ୍କୁ ଗିରଫ କରିଛି। ଆର୍ଯ୍ୟନ ଡ୍ରଗ୍ସ ସେବନ କରିଥିବା ସ୍ୱୀକାର କରିବା ପରେ ଏହି ମାମଲା ଆହୁରି ଗୁରୁତର ହୋଇଯାଇଛି। ଯଦିଓ ଷ୍ଟାର୍ କିଡ୍ ବ୍ୟତୀତ ଅନ୍ୟ ଲୋକମାନେ ମଧ୍ୟ ରେଭ୍ ପାର୍ଟିରେ ଜଡିତ ଥିଲେ, କିନ୍ତୁ ବର୍ତ୍ତମାନ ସମୟରେ ଆର୍ଯ୍ୟନ୍ ଖାନ୍, ଅରବାଜ୍ ମର୍ଚାଣ୍ଟ ଏବଂ ମୁମୁନ୍ ଧାମେଚାଙ୍କ ଉପରେ କଡାକଡି କରାଯାଇଛି। ଏବେ ପ୍ରଶ୍ନ ହେଉଛି, ମୁନମୁନ୍ ଧାମେଚା କିଏ, ଯାହାଙ୍କ ନାମ ଏହି ମାମଲାରେ ସାମ୍ନାକୁ ଆସୁଛି।

ବଲିଉଡର କିଙ୍ଗ୍ ଖାନ ନାମରେ ପରିଚିତ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ବର୍ତ୍ତମାନ ଏନସିବି ହେପାଜତରେ ଅଛନ୍ତି। ଆର୍ୟନ ହ୍ଵାଟ୍ସଆପ୍‌ରେ ଅଜଣା ଲୋକଙ୍କ ସହ ଚରସ କିଣିବା ଏବଂ ଟଙ୍କା ନେଣଦେଣ କରୁଥିବା ଜଣା ପଡିଛି। ଏହାର ସନ୍ଧାନ ଜାରି ରହିଥିବା ବେଳେ ଏବେ ଓଡିଶା ଲିଙ୍କ୍‌ ବାହାରିବା ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି । କାରଣ ଆର୍ୟନ ହ୍ଵାଟ୍ସଆପ୍‌ରେ କଥା ହେଉଥିବା ବେଳେ କୋଡ୍ ଓ୍ଵାର୍ଡର ବ୍ୟବହାର କରୁଥିଲେ। ସୋମବାର କେସ୍‌ର ଶୁଣାଣି ସମୟରେ କୋର୍ଟରେ ଆଡିସିନାଲ ସଲିସିଟର ଜେନେରାଲ ଅନିଲ୍ ସିଂହ କହିଛନ୍ତି, ଏନସିବି ଆର୍ୟନ ଖାନଙ୍କ ଫୋନ ଜବତ କରିଛି। ଏହି ଫୋନରେ ଏମିତି ଅନେକ ସନ୍ଦିଗ୍ଧ ଚାଟ୍ ମିଳିଛି, ଯାହା ଡିଲର୍ସଙ୍କ ସହ ତାଙ୍କର କନେକ୍ସନ ଆଡକୁ ଇସାରା କରୁଛି। କୋର୍ଟ ଆର୍ୟନଙ୍କୁ ଅକ୍ଟୋବର ୭ ପର୍ଯ୍ୟନ୍ତ ଏନସିବି ରିମାଣ୍ଡରେ ପଠାଇଛନ୍ତି। ଏହି ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ସାମ୍ନା ସାମ୍ନି ବସାଯାଇ ଜେରା କରାଯିବ।

ତେବେ ଏହି ଡ୍ରଗ୍ସ ଡିଲରମାନେ କିଏ ? କେଉଁ ସ୍ଥାନରୁ ଡ୍ରଗ୍ସ ମଗାଉଥିଲେ କିଙ୍ଗ୍‌ ଖାନଙ୍କ ପୁଅ ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ହୋଇଥିବା ବେଳେ ଏନ୍‌ସିବି ସତ ଓଗାଳିବାରେ ଲାଗିଛି । ତେବେ ଏନ୍‌ସିବି ଡ୍ରଗ୍ସ ଲିଙ୍କ ମାମଲାରେ ଏବେ ଓଡିଶାରୁ ୨ ଜଣ ଗିରଫ ହେବା ପର ଓଡିଶାରୁ ହିଁ ବଲିଉଡକୁ ଡ୍ରଗ୍ସ ପଠାଯାଉଥିବା କଥା ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.