ବ୍ରହ୍ମପୁର ମେରାଇନ ଥାନାର ନାବାଳିକା ଗଣଦୁଷ୍କର୍ମ ଘଟଣା : ଧରାପଡ଼ିଲେ ଦୁଇ ଅଭିଯୁକ୍ତ
15/01/2020 at 5:08 PM

ଗଞ୍ଜାମ ୧୫/୧: ଗଲା ୧୦ ତାରିଖରେ ବ୍ରହ୍ମପୁର ସୋନପୁର ମେରାଇନ୍ ଥାନା ଅଂଚଳରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ଜନାର୍ଦ୍ଦନ ବେହେରା ଓ ମିଥୁନ୍ ଦାସ । ସେପଟେ ଗୁରୁତର ଅବସ୍ଥାରେ ଥିବା ପୀଡ଼ିତାକୁ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସା କରାଯାଉଛି । ଦୋଷୀଙ୍କୁ କଠୋର ଦଣ୍ଡବିଧାନ ସହ ପୀଡ଼ିତାଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଦାବି ହୋଇଛି । ….

ଜାନୁଆରୀ ୨୨ରେ ୪ ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବ। ଯାହା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ଏଭଳି ଅମାନବୀୟକାଣ୍ଡ ଘଟାଉଥିବା ଯୌନପିପାଶୁଙ୍କ କିନ୍ତୁ ଏଥିପ୍ରତି ଖାତିର ନାହିଁ । ନିକଟରେ ବ୍ରହ୍ମପୁର ସୋନପୁର ମେରାଇନ୍ ଥାନା ଅଂଚଳରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଧରାପଡ଼ିଛନ୍ତି ୨ ଅଭିଯୁକ୍ତ । ସେମାନେ ହେଲେ ଜନାର୍ଦ୍ଦନ ବେହେରା ଓ ମିଥୁନ୍ ଦାସ । ପୀଡ଼ିତାର ୧୬୪ଧାରାରେ ରେକର୍ଡ଼ ହୋଇଥିବା ବୟାନକୁ ଆଧାର କରି ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ । ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ତା’ର ଖୋଳତାଡ଼ ଚାଲିଛି ।

ଅଭିଯୋଗ ମୁତାବକ ଗଲା ଜାନୁଆରୀ ୧୦ରେ ଅଭିଯୁକ୍ତମାନେ ସଂପୃକ୍ତ ନାବାଳିକାଙ୍କୁ ବାହୁଦା ନଦୀକୂଳକୁ ଟେକି ନେଇ ଦୁଷ୍କର୍ମ କରିବା ପରେ ମୁମୁର୍ଷୁ ଅବସ୍ଥାରେ ସେଇ ସ୍ଥାନରେ ଛାଡ଼ିଦେଇ ଚାଲିଯାଇଥିଲେ । ପ୍ରାୟ ୩୦ଘଣ୍ଟା ପରେ ଅର୍ଥାତ୍ ୧୧ ତାରିଖ ସଂଧ୍ୟାରେ ଚେତା ଫେରିବା ପରେ ଘରକୁ ଫେରିଥିଲେ ପୀଡ଼ିତା । ପରିବାର ଲୋକ ମେରାଇନ୍ ଥାନାରେ ଏନେଇ ଏତଲା ଦେବା ସହ ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଏମକେସିଜିରେ ଭର୍ତ୍ତି କରିଥିଲେ ।

ଏହି ଘଟଣାରେ ଅଭିଯୁକ୍ତମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ସହ ପୀଡ଼ିତା ପରିବାରକୁ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଦାବି ହୋଇଛି ।
