ପହଞ୍ଚିଲା ପ୍ରବାସୀ ଓଡ଼ିଆଙ୍କ ପ୍ରଥମ ଟ୍ରେନ୍ : କେରଳରୁ ଆସିଛନ୍ତି ୧୧୫୦, ସେପଟେ ସନ୍ଧ୍ୟାରେ ସୁରଟ୍ ଛାଡିବ ସ୍ପେଶାଲ ଟ୍ରେନ୍

Published By : Prameya-News7 Bureau | May 03, 2020 IST

ଗଞ୍ଜାମ ୦୩/୦୫ : ପ୍ରବାସୀ ଓଡ଼ିଆଙ୍କୁ ଧରି ଓଡ଼ିଶାରେ ପହଞ୍ଚିଲା ପ୍ରଥମ ଟ୍ରେନ୍‌ । ରାଜ୍ୟର ୧୧୫୦ ଯାତ୍ରୀଙ୍କୁ ଧରି କେରଳରୁ ପ୍ରଥମ ଟ୍ରେନ୍‌ ଆସି ପହଞ୍ଚିଛି । ସେପଟେ ଆଜି ଅପରାହ୍ନରେ ସୁରତ୍‌ରୁ ପ୍ରବାସୀ ଓଡିଆଙ୍କୁ ଧରି ଆଉ ଏକ ଟ୍ରେନ୍ ଗଞ୍ଜାମ ବାହାରିଛି ।….

{"id":264157,"sizeSlug":"large"}

ପ୍ରବାସୀ ଓଡିଆଙ୍କ ପ୍ରଥମ ଟ୍ରେନ୍ ପହଞ୍ଚିଲା ରାଜ୍ୟରେ । କେରଳରୁ ପ୍ରବାସୀ ଓଡିଆଙ୍କୁ ଧରି ଆସିଥିବା ଏହି ଟ୍ରେନ୍‌ ଆଜି ଭୋରରେ ବ୍ରହ୍ମପୁର ନିକଟ ଜଗନ୍ନାଥପୁର ଷ୍ଟେସନରେ ପ୍ରଥମେ ପହଞ୍ଚିଥିଲା । ଏହି ଟ୍ରେନରେ ଥିଲେ ୧୧୫୦ ଜଣ ଯାତ୍ରୀ । କଡା ସୁରକ୍ଷା ଭିତରେ ୫ଶହରୁ ଅଧିକ ପ୍ରବାସୀ ଓଡିଆ ଜଗନ୍ନାଥପୁର ଷ୍ଟେସନ୍‌ରେ ଓହ୍ଲାଇଥିଲେ । ସମସ୍ତଙ୍କୁ ସେଠାରେ ପ୍ରଥମେ ସ୍କ୍ରିନିଂ କରାଯାଇଥିଲା । ଏହାପରେ ସେମାନଙ୍କୁ ନିଜ ନିଜ ଅଞ୍ଚଳରେ ଥିବା କ୍ବାରାଣ୍ଟାଇନ୍ ସେଣ୍ଟରକୁ ପଠାଯାଇଥିଲା । ଏହାପରେ ଏହି ଟ୍ରେନ ଖୋର୍ଦ୍ଧାରୋଡ ଷ୍ଟେସନରେ ପହଞ୍ଚିଥିଲା । ଏଠାରେ ପ୍ରାୟ ୬ଶହ ପ୍ରବାସୀ ଓଡିଆ ଓହ୍ଲାଇଛନ୍ତି । ଏମାନେ ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର ଓ କେନ୍ଦ୍ରାପଡା ଅଞ୍ଚଳର ବୋଲି ଜଣାପଡିଛି । ସମସ୍ତ ଫେରନ୍ତାଙ୍କୁ ସେଠାରେ ସ୍କ୍ରିନିଂ କରାଯାଇ କ୍ବାରାଣ୍ଟାଇନ ସେଣ୍ଟରକୁ ପଠାଯାଇଛି । କେରଳରେ ଫସିଥିବା ଓଡିଆମାନଙ୍କ ସେଠାକାର ରାଜ୍ୟ ସରକାର ଯତ୍ନ ନେବା ସହ ଓଡିଶା ଫେରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେରଳ ମୁଖ୍ୟମନ୍ତ୍ରୀ ବିଜୟନ ପିନାରାୟୀ ଙ୍କୁ ଧନ୍ୟବାଦ ଦେଇଛନ୍ତି ।

{"id":264158,"sizeSlug":"large"}

ସେପଟେ ଓଡିଆ ଶ୍ରମିକଙ୍କୁ ନେଇ ବାଙ୍ଗାଲୋର ଛାଡିଛି ଏକ ଟ୍ରେନ୍ । ସକାଳ ସାଢେ ୯ଟାରେ ବେଙ୍ଗାଳୁରୁ ବାଣାବାର ରେଳ ଷ୍ଟେସନରୁ ଓଡିଶା ଅଭିମୁଖେ ବାହାରିଛି ଏହି ଟ୍ରେନ୍ । ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଭୁବନେଶ୍ବରରେ ଏହି ଟ୍ରେନ୍ ପହଞ୍ଚିବ । ତେବେ ଏହି ଟ୍ରେନ୍ ସଂପର୍କରେ ଗଣମାଧ୍ୟମକୁ କୌଣସି ତଥ୍ୟ ଦିଆଯାଇନାହିଁ । ତେବେ ପ୍ରବାସୀ ଓଡିଆମାନେ ଘରକୁ ଫେରିବାକୁ ଆଦୌ ବିଚଳିତ ନହେବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ଓଡିଆଙ୍କୁ  ସୁରକ୍ଷିତ ଭାବେ ରାଜ୍ୟକୁ ପଠାଯିବ ବୋଲି ବେଙ୍ଗାଳୁରୁ ପୋଲିସ କମିଶନର କହିଛନ୍ତି ।

{"id":264159,"sizeSlug":"large"}

ସେହିଭଳି ଆଜି ଅପରାହ୍ନରେ ସୁରତରୁ ପ୍ରବାସୀଙ୍କୁ ଧରି ଗଞ୍ଜାମ ବାହାରିଛି ଆଉ ଏକ ଟ୍ରେନ୍‌ । ଟ୍ରେନରେ କେବଳ ଗଞ୍ଜାମ ଜିଲ୍ଲା ବିଭିନ୍ନ ବ୍ଲକର ୧୨ଶହ ଲୋକ ରହିଛନ୍ତି । ଟ୍ରେନଟି ବ୍ରହ୍ମପୁର ନିକଟ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିବ । ଗଞ୍ଜାମ ଦାୟିତ୍ବରେ ଥିବା ବରିଷ୍ଠ ଆଇଏଏସ ଅଫିସର ଜି.ମାଥିଭାଥନନ, ଜିଲ୍ଲାପାଳ, ଏସପିଙ୍କ ସମେତ ବିଭିନ୍ନ ଅଧିକାରୀ ଷ୍ଟେସନରେ ସ୍ଥିତି ସମୀକ୍ଷା କରିଥିଲେ । ଷ୍ଟେସନରେ ପହଞ୍ଚିବାକୁ ଥିବା ସମସ୍ତ ବ୍ୟକ୍ତିଙ୍କୁ ପ୍ରାଥମିକ ସ୍କ୍ରିନିଂ କରାଯାଇ ନିଜ ନିଜ ବ୍ଲକ କ୍ବାରାଣ୍ଟାଇନ୍‌ ସେଣ୍ଟରକୁ ପଠାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.