ଆଜି ତେଜ ପ୍ରତାପ ଏବଂ ଐଶ୍ଵର୍ଯ୍ୟାଙ୍କ ଛାଡପତ୍ର ମାମଲାର ପ୍ରଥମ ଶୁଣାଣି

Published By : Prameya-News7 Bureau | November 29, 2018 IST

ପାଟଣା ୨୯/୧୧ : ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବଙ୍କ ଛାଡପତ୍ର ମାମଲାର ଆଜି ପ୍ରଥମ ଶୁଣାଣି ହେବାର ଅଛି | ଗତ ନଭେମ୍ବର ୩ ତାରିଖରେ ପାଟଣା ଫ୍ୟାମିଲି କୋର୍ଟରେ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଛାଡପତ୍ର ପାଇଁ ଲିଖିତ ଆବେଦନ କରିଥିଲେ | ସୂଚନାଯୋଗ୍ୟ ଯେ,ସ୍ତ୍ରୀ ଐଶ୍ଚର୍ଯ୍ୟାଙ୍କୁ ବିବାହର ୬ମାସ ନପୂରୁଣୁ ଛାଡ଼ପତ୍ର ଦେବାପାଇଁ ତେଜପ୍ରତାପ ପାଟଣା ପାରିବାରିକ ଅଦାଲତରେ ଆବେଦନ କରିଥିଲେ। ଛାଡ଼ପତ୍ର ଦେବା ପଛର ମୁଖ୍ୟ କାରଣ ପ୍ରତାରଣା ବୋଲି ତେଜପ୍ରତାପ ଅଦାଲତରେ ଦାଖଲ କରିଥିବା ଆବେଦନରେ ଦର୍ଶାଇଛନ୍ତି। ତେଜପ୍ରତାପଙ୍କ ଛାଡ଼ପତ୍ର ଆବେଦନକୁ ତାଙ୍କ ପରିବାର ସଦସ୍ୟମାନେ ସମର୍ଥନ କରୁନାହାନ୍ତି। ସେଥିପାଇଁ ତେଜପ୍ରତାପ ଅଭିମାନ କରି ଘରକୁ ଆସୁନାହାନ୍ତି। ଆଜିକାଲି ସେ ମଥୁରା ଓ ବୃନ୍ଦାବନରେ ତୀର୍ଥ କରୁଥିବା ଜଣାପଡ଼ିଛି। ପରିବାରର ମଙ୍ଗଳ ପାଇଁ ସେ ଯଜ୍ଞ ଆାଦି ଅନୁଷ୍ଠାନ କରାଉଛନ୍ତି। ଇତିମଧ୍ୟରେ ତେଜପ୍ରତାପଙ୍କ ଭାଇ ତେଜସ୍ବୀ ପ୍ରସାଦ ଏବଂ ମା ରାବଡ଼ୀ ଦେବୀ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣଭାବେ ,କ ବ୍ୟକ୍ତିଗତ ଏବଂ ପାରିବାରିକ ମାମଲା। ପରିବାର ମଧ୍ୟରେ ହିଁ ଏହାର ସମାଧାନ କରାଯିବ। ଆସନ୍ତାକାଲି ପାରିବାରିକ ଅଦାଲତରେ ମାମଲାର ଶୁଣାଣି ଥିବାରୁ ତେଜପ୍ରତାପ ପାଟଣା ଆସିପାରନ୍ତି ବୋଲି ଆଲୋଚନା ହେଉଛି। କେବଳ ସେତିକି ନୁହେଁ; ବର୍ତ୍ତମାନ ପାଟଣା ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲିଥିବାରୁ ଅଧିବେଶନରେ ସାମିଲ ହେବାପାଇଁ ମଧ୍ୟ ତେଜପ୍ରତାପ ପାଟଣା ଆସିପାରନ୍ତି। ଅନ୍ୟପକ୍ଷରେ ତେଜପ୍ରତାପଙ୍କ ଶ୍ବଶୁର ତଥା ଐଶ୍ଚର୍ଯ୍ୟାଙ୍କ ପିତା ଚନ୍ଦ୍ରିକା ରାୟ ରାଷ୍ଟ୍ରୀୟ ଜନତା ଦଳର ବିଧାୟକ ଅଛନ୍ତି। ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ଅନୁଷ୍ଠିତ ରାଷ୍ଟ୍ରୀୟ ଜନତା ଦଳ ବିଧାୟକ ଦଳ ବୈଠକରେ କିନ୍ତୁ ସେ ଯୋଗ ଦେଇନାହାନ୍ତି। ଏକଦା ଲାଲୁଙ୍କ ଦୃଢ଼ ଅନୁଗତ ଥିବା ଚନ୍ଦ୍ରିକା ରାୟଙ୍କ ଲାଲୁ ପରିବାର ପ୍ରତି ମୋହଭଙ୍ଗ ହୋଇଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.