ଆସନ୍ତା ୧୪ରେ ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ

Published By : Prameya-News7 Bureau | August 10, 2019 IST

ସମ୍ବଲପୁର ୧୦/୮: ଆସନ୍ତା ୧୪ରେ ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ । ଗଲା ତିନି ଦିନ ହେଲା ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି । ତେବେ ବନ୍ୟାଜଳ ନିସ୍କାସନ ନଇେ ମହାନଦୀ ତଳିଆ ଅଂଚଳରେ ୬ଟି ଜିଲ୍ଲା ଜିଲ୍ଲାପାଳ ଓ ଏସପିଙ୍କୁ ସୂଚନା ଦିଆଯାଇଛି । ଗୋଟେ ପଟେ ସରକାର ହୀରାକୁଦରେ ପାଣି ନାହିଁ କହି ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ରହିଥିବା କହୁଥିବା ବେଳେ ଗତକାଲି ଠାରୁ ବର୍ଷା ବନ୍ଦ ହୋଇଯାଇଥିଲେ ମଧ୍ୟ କେଉଁ ଆଧାରରେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିସ୍କାସନ କରାଯିବ ତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ ।

{"id":142913}

ଆସନ୍ତା ୧୪ରେ ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ । ମହାନଦୀ ଉପରମୁଣ୍ଡରେ ଗଲା ୩ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି । ବର୍ତମାନ ଜଳ ପ୍ରବେଶ ପରିମାଣକୁ ଦେଖିଲେ ଆସନ୍ତା ୧୪ ତାରିଖ ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୫ଫୁଟ ଅତିକ୍ରମ କରିବ ବୋଲି ଅନୁମାନ କରୁଛନ୍ତି ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ । ଏଣୁ ହୀରାକୁଦ ଜଳଭଣ୍ଡାର ନଦୀବନ୍ଧର ସୁରକ୍ଷା ଓ ଜଳଭଣ୍ଡାର ଭିତରୁ ପ୍ରବେଶ କରୁଥିବା ଜଳ ପରିଚାଳନା ପାଇଁ ଗେଟ୍‌ ଖୋଲିବା ନିହାତି ଆବଶ୍ୟକ ବୋଲି କହୁଛନ୍ତି । ହେଲେ କେତୋଟି ଗେଟ୍‌ ଖୋଲାଯିବ ତାହା ୧୪ ତାରିଖରେ ହିଁ ନିର୍ଣ୍ଣୟ କରାଯିବ ବୋଲି କହିଛନ୍ତି ଅଧୀକ୍ଷଣ ଯନ୍ତ୍ରୀ ।

{"id":142914}

ଅଗଷ୍ଟମାସ ପ୍ରଥମ ସପ୍ତାହରେ ଜଳଭଣ୍ଡାରର ଜଳସ୍ତର ୬ଶହ ଫୁଟ୍‌ ରହିଥିଲା । ଯାହାକୁ ନେଇ ଚିନ୍ତାରେ ପଡ଼ିଥିଲେ ନଦୀବନ୍ଧ କର୍ତ୍ତୃପକ୍ଷ । ଏମିତିକି ଗଲା ସପ୍ତାହରେ ୫ଦିନ ଧରି ହୀରାକୁଦ ଜଳବିଦ୍ୟୁତ୍‌ ଉତ୍ପାଦନ ପ୍ରକଳ୍ପକୁ ପାଣି ଛଡ଼ାଯାଇନଥିଲା । ଫଳରେ ହୀରାକୁଦ ଜଳବିଦ୍ୟୁତ୍‌ ପ୍ରକଳ୍ପ ଓ ଚିପିଲିମା ଜଳବିଦ୍ୟୁତ୍‌ ପ୍ରକଳ୍ପରେ ବିଦ୍ୟୁତ୍‌ ଉତ୍ପାଦନ ପୂରା ଠପ୍‌ ହୋଇଯାଇଥିଲା । ଏଭଳି ପରିସ୍ଥିତିରେ ଯେତେବେଳେ ଗଲା କାଲିଠାରୁ ମହାନଦୀ ଉପରମୁଣ୍ଡରେ ବର୍ଷା ବନ୍ଦ ହୋଇଯାଇଛି, ସେତେବେଳେ କେଉଁ ଆଧାରରେ ଜଳଭଣ୍ଡାରରୁ ଜଳ ନିସ୍କାସନ ପାଇଁ ନିଷ୍ପତି ନିଆଯାଇଛି ତାକୁ ନେଇ ଉଠିଛି ପ୍ରଶ୍ନ । ଏହାକୁ ନେଇ ହୀରାକୁଦ ନଦୀବନ୍ଧ ଯୋଜନାର ନିର୍ବାହୀ ଯନ୍ତ୍ରୀ କ’ଣ ଉତ୍ତର ରଖୁଛନ୍ତି ଚାଲନ୍ତୁ ଦେଖିବା ।

{"id":142915}

୧୨ ତାରିଖରେ ପୁଣି ଏକ ଲଘୁଚାପ ସମ୍ଭାବନାକୁ ନେଇ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ତେବେ ୨୦୧୩ ମସିହାରେ ଠିକ୍‌ ଏଭଳି ଅନୁମାନ କରି ଜଳଭଣ୍ଡାରରୁ ବନ୍ୟାଜଳ ନିସ୍କାସନ କରାଯାଇଥିଲା ।ପରବର୍ତ୍ତୀ ସମୟରେ ଉପରମୁଣ୍ଡରେ ବର୍ଷା ନହେବାରୁ ପ୍ରାୟ ୪ମାସ କାଳ ଖାଲି ପଡ଼ିଥିଲା ଜଳଭଣ୍ଡାର । ଫଳରେ ଦୁଇଟି କେନାଲ ଓ ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା ।

{"id":142916}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.