ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ, କରୋନାକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଲେ ରାଜ୍ୟର ପ୍ରଥମ ସଂକ୍ରମିତ

Published By : Prameya-News7 Bureau | April 05, 2020 IST

ଭୁବନେଶ୍ୱର, ୦୫|୦୪:  ଓଡିଶାର ପ୍ରଥମ କରୋନା ଆତଙ୍କ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମାର୍ଚ୍ଚ ୧୫ ତାରିଖରେ ପଜିଟିଭ ରିପୋର୍ଟ ଆସିବା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ଗତ ୩ ତାରିଖରେ ସେ ସୁସ୍ଥ ହୋଇଛନ୍ତି । ତେବେ ସେ ଏଥିପାଇଁ ଏକ ଭିଡିଓ ମେସେଜରେ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ହିନ୍ଦୁସ୍ଥାନ ଟାଇମସର ରିପୋର୍ଟରେ ସେ ଭିଡିଓ ମେସେଜରେ କହିଛନ୍ତି ଯେ, ଜନତା କରୋନାକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଏହାସହ ଘରେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବା ସହ ଥଣ୍ଡା ଖାଦ୍ୟ ବର୍ଜନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ ତେବେ ଡାକ୍ତରଙ୍କ ସହ ଆଲୋଚନା କରିବାକୁ ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଯେତେବେଳେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଲା ସେତେବେଳେ ତାଙ୍କ ପିତା ଓ ରୋଷେୟାଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା ।

ମାର୍ଚ୍ଚ ୧୫ ତାରିଖ ରାତିରେ ତାଙ୍କର ଟେଷ୍ଟ୍ ରିପୋର୍ଟ  ପଜିଟିଭ୍ ଆସିବା ପରେ ମଧ୍ୟ ରିପୋର୍ଟକୁ ନେଇ କିଛି ଦ୍ୱନ୍ଦ୍ୱ ରହିଥିଲା । ପରେ ଏହି ଦ୍ୱନ୍ଦ୍ୱ ହଟିଥିଲା । ତାଙ୍କୁ ମେଡିକାଲରେ ଡାକ୍ତରମାନେ ସାନ୍ତ୍ୱନା ଦେଇଥିଲେ । ଏହି ଭାଇରସ କୌଣସି ମେଡିସିନ ନଥିବାରୁ ଅନ୍ୟ ମେଡିସିନରେ ଉପଚାର ଆରମ୍ଭ ହୋଇଥିଲା । କିଛିଦିନ ପରେ ଏହା କାମ କରିବା ଆରମ୍ଭ କରିଥିଲା । ଡାକ୍ତରମାନେ ତାଙ୍କ କ୍ୟାବିନ ବାହାରେ ଏକ ଟେବୁଲରେ ଖାଦ୍ୟ ସାମଗ୍ରୀ ରଖୁଥିଲେ । ସେ ନିଜେ ଟେବୁଲରୁ ଖାଦ୍ୟ ଥାଳି ଆଣୁଥିଲେ । ଅନେକ ସମୟରେ ସେ ବହି ଓ କିଛି ମାଗାଜିନ୍ ପଢୁଥିଲେ । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ମେଡିକାଲ ପରିସରରେ ରହୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.