ଜଗତସିଂହପୁର୨୯|୧୦: ମହାବାତ୍ୟାକୁ ପୂରିଲା ୧୯ ବର୍ଷ । ୧୯୯୯ ଆଜିର ଦିନରେ ଏତେ ବେଳକୁ ଧ୍ବସ୍ତବିଧ୍ୱସ୍ତ ହୋଇ ସାରିଥିଲା, ଉପକୂଳ ଓଡ଼ିଶା । ପବନର ବେଗ ଠାରୁ ଭୟଙ୍କର ଥିଲା ସମୁଦ୍ର । କାଲି ଭଳି ଲାଗୁଥିବା ସେହି ଦୁର୍ଦ୍ଦିନକୁ ଏଯାଏଁ ଭୁଲିପାରୁ ନାହାନ୍ତି ପ୍ରପୀଡ଼ିତ ।

୧୯ ବର୍ଷ ପୂରିଲା । ହେଲେ କାଲି ଭଳି ଲାଗୁଛି । ୧୯୯୯ ମହାବାତ୍ୟାକୁ ଅନୁଭବ କରିଥିବା ଲୋକେ ଏବେ ବି ଭୁଲିପାରି ନାହାନ୍ତି ସେଦିନର ସେ କରାଳ ରୂପ । କେଉଁଠି ମାଆ କୋଳରୁ ଛୁଆକୁ ଛଡ଼ାଇ ନେଲା ତ କେଉଁଠି ସ୍ତ୍ରୀ ପାଖରୁ ସ୍ବାମୀ । ପୁଣି କେଉଁଠୁ ପିଲାଙ୍କ ପାଖରୁ ସେମାନଙ୍କ ବାପା-ମାଆଙ୍କୁ ଛଡ଼ାଇ ନେଲା ମହାବାତ୍ୟା । ଏ ହେଉଛନ୍ତି ପଦ୍ମପୁର ପଞ୍ଚାୟତର ଅକ୍ଷୟ ଭୋଳ । ମହାବାତ୍ୟାରେ ଏକ ଡ୍ରମକୁ ଧରି ସେ ଭାସି ଯାଇଥିଲେ ୧୩ କିଲୋମିଟର । ଆଉ ୫ ଦିନ ପରେ ଫେରିଥିଲେ ଘରକୁ ।

ଅକ୍ଷୟଙ୍କ ଭଳି ଶଙ୍କା ଗାଁର ଅଶୋକ ମଙ୍ଗଳ ଏବଂ ରାହାସ ବିହାରୀ ମଣ୍ଡଳଙ୍କ କାହାଣୀ ମଧ୍ୟ ଥିଲା ହୃଦୟ ବିଦାରକ । ଗୋଟେ ବାଉଁଶକୁ ଧରି ୩୦ କିଲୋମିଟର ଭାସିଯିବା ପରେ ଗୋଟେ ଟାପୁରେ ଲାଗିଥିଲେ । ଆଉ ୭ ଦିନ ପରେ ଘରକୁ ଫେରିଥିଲେ । ସେହିଭଳି ରାହାସ ବିହାରୀ ଓ ତାଙ୍କ ସ୍ତ୍ରୀ ଏକ ଗଛ ଡାଳକୁ ଧରି ବଞ୍ଚିଗଲେ ସିନା, କିନ୍ତୁ ଆଖି ଆଗରେ ଭାସିଗଲେ ବାପା, ମାଆ, ଭଉଣୀ ଓ ପୁଅ-ଝିଅ … ମିଶି ୯ ଜଣ ।

ମହାବାତ୍ୟାରେ ପବନର ବେଗ ଯେତିକି ଭୟଙ୍କର ନଥିଲା, ତା ଠାରୁ ଅଧିକ ଭୟଙ୍କର ଥିଲା ସମୁଦ୍ର । ଦୁଇ କିଲୋମିଟର ପର୍ଯ୍ୟନ୍ତ ଗାଁ ଭିତରକୁ ମାଡ଼ି ଆସିଥିଲା ସମୁଦ୍ର । ୧୦ ହଜାରରୁ ଅଧିକ ଜୀବନ ଚାଲିଗଲା । ଅନେକ ଗାଁ ନିଶ୍ଚିହ୍ନ ହୋଇଗଲା । ହେନ୍ତାଳ ବଣ ଅବକ୍ଷୟ ଯୋଗୁଁ ହିଁ ଏତେ ବଡ଼ ବ୍ୟାପକ କ୍ଷତି ଘଟିଲା । ତେବେ ମହାବାତ୍ୟା ପରେ ସରକାର ଅନେକ ଯୋଜନାର ପ୍ରତିଶ୍ରୁତି ଦେଲେ । କିନ୍ତୁ ୧୯ ବର୍ଷ ପରେ ମଧ୍ୟ ମୁକୁଳା ପଡ଼ିଛି ଜଗତସିଂହପୁର ଜିଲ୍ଲାର ଜଟାଧାରୀ ମୁହାଁରୁ ଦେବୀ ମୁହାଁଣ ପର୍ଯ୍ୟନ୍ତ ୪୦ କିଲୋମିଟର ବେଳାଭୂମି । ପୁଣି ସ୍ଥାନେ ସ୍ଥାନେ ଥିବା ଜଙ୍ଗଲକୁ ମାଫିଆମାନେ ସଫା କରିବାରେ ଲାଗିଛନ୍ତି । ଏବେ ବି ବେଳେ ସମୁଦ୍ରର ଭୟଙ୍କର ରୂପ ଦେଖି ଉପକୂଳିଆ ଲୋକେ ଭୟଭୀତ ହୋଇ ପଡୁଛନ୍ତି ।

ମହାବାତ୍ୟାର ତାଣ୍ଡବ ଏବେ ବି ତାଜା ହୋଇ ରହିଛି । ଜଗତସିଂହପୁରର ଏରସମା ଅଞ୍ଚଳ ସବୁଠାରୁ ବେଶୀ ପ୍ରଭାବିତ ହୋଇଥିଲା । କିନ୍ତୁ ୧୯ ବର୍ଷ ପରେ ଏବେ ବି ସେଠାରେ ଚିହ୍ନ ରହିଯାଇଛି ।