ନାସିକ୍ ଜେଲରେ ୟୁସୁଫ ମେମନ୍ର ମୃତ୍ୟୁ, 1993 ମୁମ୍ବାଇ ସିରିଏଲ ବିସ୍ଫୋରଣର ଥିଲା ଦୋଷୀ
26/06/2020 at 5:19 PM

ନାସିକ୍ ୨୬।୬: କୁଖ୍ୟାତ ଅଣ୍ଡରୱାର୍ଲଡ ଡନ୍ ତଥା ଦାଉଦ୍ ଇବ୍ରାହୀମର ସହଯୋଗୀ ଟାଇଗର ମେମନର ଭାଇ ୟୁସୁଫ ମେମନର ଶୁକ୍ରବାର ନାସିକ୍ ଜେଲରେ ମୃତ୍ୟୁ ହୋଇଛି। ୧୯୯୩ ମୁମ୍ବାଇ ସିରିଏଲ ବ୍ଲାଷ୍ଟ ମାମଲାରେ ପୋଲିସ ୟୁସୁଫ୍କୁ ଗିରଫ କରିଥିବା ବେଳେ କୋର୍ଟ ୨୦୦୭ ମସିହାରେ ତାକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ମୁମ୍ବାଇର ଆର୍ଥର ରୋଡ ଜେଲରେ ବନ୍ଦୀ ଥିବା ୟୁସୁଫକୁ ୨୦୧୮ ମସିହାରେ ନାସିକ ଜେଲକୁ ଟ୍ରାନ୍ସଫର କରାଯାଇଥିଲା। ତେବେ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢେ ୧୦ଟା ବେଳେ ଜେଲରେ ତାର ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ ସୂଚିତ କରିଛନ୍ତି।
ୟୁସୁଫର ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ। ତେବେ ହୁଏତ ହୃଦଘାତ ଯୋଗୁ ତାର ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି। ସକାଳେ ୟୁସୁଫ ସମ୍ପୂର୍ଣ୍ଣ ସ୍ୱଭାବିକ ଥିବା ତାର ଅନ୍ୟତମ ଭାଇ ଇସହାକ୍ ମେମନ, ସାଥୀ ବନ୍ଦୀ ଓ ଜେଲ କର୍ମଚାରୀ କହିଛନ୍ତି। ତେବେ ସକାଳ ପ୍ରାୟ ୧୦ଟା ବେଳେ ସେ ଅସୁସ୍ଥତା ଅନୁଭବ କରିଥିଲା। ଜେଲ କର୍ତ୍ତୃପକ୍ଷ ତାକୁ ହସ୍ପିଟାଲକୁ ପଠାଇବା ଲାଗି ପଦକ୍ଷେପ ନେବା ପୂର୍ବରୁ ହିଁ ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ପୋଲିସ ଶବକୁ ଜବତ କରିଥିବା ବେଳେ ପୋଷ୍ଟମର୍ଟମ ଲାଗି ପଠାଇଛି।
ମୁମ୍ବାଇ ସିରିୟୋଲ ବ୍ଲାଷ୍ଟରେ ୨୫୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ଦେଢ ହଜାର ଲୋକେ ଆହତ ହୋଇଥିଲେ। ଏହି ସବୁ ବିସ୍ଫୋରଣ ପଛରେ ଦାଉଦ୍ ଇବ୍ରାହୀମ, ଟାଇଗର ମେମନ୍ ଓ ସେମାନଙ୍କ ଗ୍ୟାଙ୍ଗର ଲୋକଙ୍କ ହାତ ଥିଲା। ବିସ୍ଫୋରଣ ପରେ ପରେ ଦାଉଦ୍ ଓ ଟାଇଗର ଦେଶ ଛାଡି ପଳାଇଥିଲେ। ପୋଲିସ ତଦନ୍ତ ବେଳେ ସିରିଏଲ ବ୍ଲାଷ୍ଟରେ ମେମନ ପରିବାରର ୫ଜଣଙ୍କ ସମ୍ପୃକ୍ତି ଜଣାପଡିଥିଲା।
ମାମଲାରେ ଟାଇଗର, ୟାକୁବ, ୟୁସୁଫ, ଆୟୁବ୍ ଓ ଇସହାକ୍ ମେମନ ସାମିଲ ଥିବା ବେଳେ ପୋଲିସ ୟାକୁବ, ୟୁସୁଫ ଓ ଇସହାକକୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରୁ ୟାକୁବକୁ କୋର୍ଟ ଫାଶୀଦଣ୍ଡରେ ଦଣ୍ଡିତ କରିଥିବା ବେଳେ ନାସିକ୍ ଜେଲରେ ୟୁସୁଫ ଓ ଇସହାକ୍ ସଜା କାଟୁଥିଲେ। ତେବେ ଟାଇଗର ଓ ଆୟୁବ ମେମନ୍ ଏବେବି ପୋଲିସ ଆଖିରେ ଧୂଳି ଦେଇ ବିଦେଶରେ ଆତ୍ମଗୋପନ କରିଛନ୍ତି।