୫ ଜଣଙ୍କଠାରୁ ସଂକ୍ରମିତ ହେଲେ ୧୯୮ ଜଣ : ଅସାବଧାନତା ଯୋଗୁଁ ବଢି ଚାଲିଲା ସଂକ୍ରମଣ, ଜଣେ ଡାକ୍ତରଙ୍କ ଠାରୁ ୨୭ଜଣଙ୍କୁ ଡେଇଁଲା

Published By : Prameya-News7 Bureau | April 10, 2020 IST

ଜୟପୁର ୧୦/୦୪ : କରୋନା ଯୋଗୁଁ ସାରା ଦୁନିଆର ସ୍ଥିତି ସଂଗୀନ ହୋଇଗଲାଣି | କରୋନା ସମସ୍ତଙ୍କୁ ଖୋଜୁଛି | ତେବେ ବଞ୍ଚିବାର ଗୋଟିଏ ହିଁ ଉପାୟ, ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ | ରାଜସ୍ଥାନ ବର୍ତ୍ତମାନ କରୋନାସ୍ଥାନ ହୋଇଗଲାଣି | ଏଠାରେ ସଂକ୍ରମଣ ସଂଖ୍ୟା ୪୬୩କୁ ପହଞ୍ଚିଲାଣି | ଲୋକଙ୍କ ଅସାଵଧାନ ଯୋଗୁଁ ପୁରା ରାଜ୍ୟରେ ସ୍ଥିତି ସଂଗୀନ ହୋଇପଡିଛି | ଏଠାରେ ୬ ଜଣଙ୍କ ଠାରୁ ୧୯୮ ଜଣଙ୍କୁ ସଂକ୍ରମଣ ହୋଇଛନ୍ତି | ଜୟପୁରରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୨୬ ଜଣ ସଂକ୍ରମିତ ହୋଇଛନ୍ତି | ଅପରପକ୍ଷରେ ଭୀଲବାଡାରେ ଜଣେ ଡାକ୍ତରଙ୍କ ଠାରୁ ୨୭ ଜଣ ଏବଂ କୋଟାରେ ଜଣେ ଡ୍ରାଇଭରଙ୍କ ଠାରୁ ୧୪ ଜଣ ସଂକ୍ରମିତ ହୋଇଛନ୍ତି | ପୋକରଣରେ ଜଣେ ଡ୍ରାଇଭରଙ୍କ ଠାରୁ ୧୮ ଜଣ ଏବଂ ଯୋଧପୁରରେ ଜଣେ ମହିଳାଙ୍କ ଠାରୁ ୧୩ ଜଣ ସଂକ୍ରମିତ ହୋଇଛନ୍ତି | 

ଜୟପୁରରେ ପ୍ରଥମ କରୋନା ପଜିଟିଭ ମାମଲା ମାର୍ଚ୍ଚ ୨ ତାରିଖରେ ସାମ୍ନାକୁ ଆସିଥିଲା | ଉକ୍ତ ବ୍ୟକ୍ତି ଇଟାଲିରୁ ଆସିଥିଲେ | ୨୫ ତାରିଖ ସୁଦ୍ଧା ଜୟପୁରରେ ୮ଜଣ ରୋଗୀ ଥିଲେ | ମାର୍ଚ୍ଚ ୨୬ ତାରିଖରେ ରାମଗଞ୍ଜରେ ନୂଆ ମାମଲା ସାମ୍ନାକୁ ଆସିଛି | ମାର୍ଚ୍ଚ ୯ ତାରିଖ ସୁଦ୍ଧା ଏଠାରେ ପୀଡିତଙ୍କ ସଂଖ୍ୟା ୧୬୮ ହୋଇଗଲା | ଏଥିରୁ ୧୨୭ ଜଣ କେବଳ ରାମଗଞ୍ଜର | ଏଥିପାଇଁ ଦାୟୀ କେବଳ ଜଣେ ବ୍ୟକ୍ତି | ୪୫ ବର୍ଷ ବୟସ୍କ ଏହି ବ୍ୟକ୍ତି କରୋନା ଆକ୍ରାନ୍ତ ହେବାର ୧୪ ଦିନ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୧୨ ତାରିଖରୁ ଓମାନରୁ ଫେରିଥିଲେ | ଦିଲ୍ଲୀ ବିମାନବନ୍ଦରରେ ତାଙ୍କର ସ୍କ୍ରିନିଙ୍ଗ କରାଯାଇଥିଲା କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା | କରୋନା ଲକ୍ଷଣ ପରିଲକ୍ଷିତ ନ ହେବା ପରେ ତାଙ୍କୁ ଛଡା ଯାଇଥିଲା | ସେ ଦିଲ୍ଲୀରୁ ବସ ଯୋଗେ ଜୟପୁର ଆସିଥିଲେ |

ସ୍ୱାସ୍ଥ୍ୟକର୍ମୀ ତାଙ୍କ ସମ୍ବନ୍ଧରେ ଜାଣିବା ପରେ ତାଙ୍କ ଘରେ ପହଞ୍ଚିଥିଲେ | ୧୪ ଦିନ ପର୍ଯ୍ୟନ୍ତ ଘରେ ରହିବାକୁ ତାଙ୍କୁ ପରାମର୍ଶ ଦେଇଥିଲେ | କିନ୍ତୁ ସେ ନ ମାନି ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହ ସାକ୍ଷାତ କରିଥିଲେ | ମାର୍ଚ୍ଚ ୨୩ ତାରିଖରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଥିଲା | ୨୬ ତାରିଖ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା | ସେତେବେଳେ ସେ ୨୨ ଜଣ ସମ୍ପର୍କୀୟଙ୍କ ସହ ୨୦୦ ଜଣଙ୍କ ସଂସ୍ପର୍ଶରେ ଆସି ସାରିଥିଲେ | ୨୪ ଘଣ୍ଟା ପରେ ତାଙ୍କର ସବୁଠାରୁ ଘନିଷ୍ଠ ବନ୍ଧୁଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା | ଏହାପରେ ସଂକ୍ରମଣର ଏହି ସିଲସିଲା ଆରମ୍ଭ ହୋଇଥିଲା | 

ଭୀଲବାଡାରେ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ମାମଲା ଥଣ୍ଡା ଥିଲା | କିନ୍ତୁ ବ୍ରଜେସ ବାଙ୍ଗଡ଼ ହସ୍ପିଟାଲର ଜଣେ ଡାକ୍ତରଙ୍କ ଦାୟିତ୍ବହୀନତା ଯୋଗୁଁ ୨୮ ଜଣ ଆକ୍ରାନ୍ତ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇଛି | କିନ୍ତୁ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ୨୫ ଜଣ ସୁସ୍ଥ ହୋଇସାରିଛନ୍ତି | ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ରୋଗୀଙ୍କ ସୁସ୍ଥ ହେବା ନେଇ ଆଶ୍ବସ୍ତି ପ୍ରକାଶ କରିଛନ୍ତି | ଭୀଲବାଡା ମଡେଲର ପ୍ରଶଂସା ସାରା ଦୁନିଆ କରୁଛି ବୋଲି ସେ କହିଛନ୍ତି |

ଯେଉଁ ଡାକ୍ତରଙ୍କ ଯୋଗୁଁ ଭୀଲବାଡାରେ ସଂକ୍ରମଣ ବ୍ୟାପିଥିଲା ତାଙ୍କ ଘରକୁ ସାଉଦି ଆରବରୁ କିଛି ଲୋକ ଆସିଥିଲେ | ତାଙ୍କ ସଂସ୍ପର୍ଶରେ ଆସି ସେ ସଂକ୍ରମଣର ଶିକାର ହୋଇଥିଲେ | ଏହାପରେ ବି ସେ ହସ୍ପିଟାଲରେ ଦାୟିତ୍ୱ କରିଥିଲେ ଏବଂ ଅନେକ ଲୋକଙ୍କ ସଂକ୍ରମିତ କରିଥିଲେ | ପାଖାପାଖି ୧୧ ହଜାର ଲୋକଙ୍କୁ ହୋମ କ୍ଵାରେଣ୍ଟାଇନରେ ରହିବା ପାଇଁ କୁହାଯାଇଛି | ପ୍ରଥମ ମାମଲା ସାମ୍ନାକୁ ଆସିବା କ୍ଷଣି ପ୍ରଶାସନ ଜିଲ୍ଲାର ସମସ୍ତ ସୀମା ସିଲ କରିଦେବା ଯୋଗୁଁ ସଂକ୍ରମଣ ଅଧିକ ବ୍ୟାପଇନଥିଲା |

ହାଡଉତିର ମୁଖ୍ୟ କାର୍ଯ୍ୟାଳୟ ପୁରା ମାର୍ଚ୍ଚ ମାସ ଶାନ୍ତ ଥିଲା | ଏଠାରେ ଗୋଟିଏ ମାମଲା ସାମ୍ନାକୁ ଆସିନଥିଲା | ଏପ୍ରିଲ ୪ ତାରିଖ ବିଳମ୍ବିତ ରାତିରେ କୋଟାର ଏମବିଏସ ହସ୍ପିଟାଲରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା | ମୃତ୍ୟୁ ପରଦିନ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା | ୮ ଘଣ୍ଟା ପରେ ଜଣାପଡିଥିଲା ମୃତକଙ୍କ ପରିବାରର ୮ ଜଣ ସଦସ୍ୟ ଏବଂ ଜଣେ ଟ୍ୟାକ୍ସି ଡ୍ରାଇଭର ମଧ୍ୟ କରୋନାରେ ଆକ୍ରାନ୍ତ | ଉକ୍ତ ଟ୍ୟାକ୍ସି ଡ୍ରାଇଭର ଜୟପୁରରେ ତବଲିଗି ଜମାତରୁ ଆସିଥିବା କିଛି ଲୋକଙ୍କୁ ନେଇ କୋଟା ଆସିଥିଲା | ଏହି ଟ୍ୟାକ୍ସି ଡ୍ରାଇଭର ସଂସ୍ପର୍ଶରେ ଆସି ଉକ୍ତ ବ୍ୟକ୍ତି ଜଣକ ସଂକ୍ରମଣର ଶିକାର ହୋଇଥିଲେ | ଏବେ ପର୍ଯ୍ୟନ୍ତ କୋଟାରେ ୧୭ ଜଣ ଆକ୍ରାନ୍ତ ହୋଇଛନ୍ତି |

ରାଜସ୍ଥାନ ପୋକରଣ କରୋନା ହଟସ୍ପଟ ପାଲଟିଛି | ଏଠାରେ ଜଣେ ଟ୍ୟାକ୍ସି ଡ୍ରାଇଭର ଆମ୍ବୁଲାନ୍ସ ମଧ୍ୟ ଚଳାନ୍ତି | ସେ ତବଲିଗି ଜମାତର କିଛି ଲୋକଙ୍କ ସମ୍ପର୍କରେ ଆସିଥିଲେ | ତାଙ୍କ ଠାରୁ ୪ ଦିନରେ ୧୮ ଜଣ ସଂକ୍ରମଣ ହୋଇଥିଲେ | ପ୍ରଥମ ରୋଗୀ ସୋମବାର ଚିହ୍ନଟ ହୋଇଥିଲେ | ଏହାପରେ ମଙ୍ଗଳବାର ଦିନ ଏକାସଙ୍ଗେ ୧୩ ଜଣ ଚିହ୍ନଟ ହୋଇଥିଲେ | ପୋକରଣରେ ତବଲିଗି ଜମାତର କିଛି ଗୃପ ଆସିଥିଲେ | ଜମାତି ପୋକରଣ ଆସିବା ପରେ ସେଠାରେ ସଂକ୍ରମଣ ବ୍ୟାପିଥିଲା | ଉକ୍ତ ଟ୍ୟାକ୍ସି ଡ୍ରାଇଭର କିଛି ଲୋକଙ୍କୁ ଵିକନେର ଓ କିଛି ଲୋକଙ୍କୁ ଯୋଧପୁର ନେଇଯାଇଥିଲେ | ଉକ୍ତ ଟ୍ୟାକ୍ସି ଡ୍ରାଇଭର ବିରୋଧରେ ମାମଲା ରୁଜ୍ଜୁ ହୋଇଛି |  

ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଯୋଧପୁର ଶାନ୍ତ ଥିଲା | କିନ୍ତୁ ଠିକ ପରଦିନ ଅର୍ଥାତ ୨୨ ତାରିଖରେ ତୁର୍କୀରୁ ଫେରିଥିବା ଜଣେ ଯୁବକ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଥିଲା | ତାଙ୍କ ଠାରୁ ତାଙ୍କ ଦାଦା ଖୁଡି ମଧ୍ୟ ସଂକ୍ରମିତ ଥିବା ଜଣାପଡିଥିଲା ଯିଏ ତୁର୍କୀରେ ରୁହନ୍ତି | କିନ୍ତୁ ନଗୋରୀ ଗେଟ ବାସିନ୍ଦା ଜଣେ ମହିଳାଙ୍କ ଦ୍ୱାରା ପୁରା ଅଞ୍ଚଳ ସଂକ୍ରମିତ ହୋଇଥିଲା | ଉକ୍ତ ମହିଳା ଝିଅର ଚିକିତ୍ସା ପାଇଁ ଅହମଦାବାଦ ଯାଇଥିଲେ | ତାଙ୍କ ଠାରୁ ତାଙ୍କ ଦାଦା ଖୁଡି, ଭାଇ ଭାଉଜ ଓ ୨ ଜଣ ଭଡା ଵାଲା ସଂକ୍ରମିତ ହୋଇଥିଲେ | ପରେ ସେଠାରୁ ଆଉ ୭ ଜଣ ଆକ୍ରାନ୍ତ ହୋଇଥିଲେ | ଏହି ଅଞ୍ଚଳରେ ଜଣେ ଡାକ୍ତର ମଧ୍ୟ ଆକ୍ରାନ୍ତ ହୋଇଛନ୍ତି | ଗୁରୁବାର ଦିନ କରୋନା ଯୋଗୁଁ ଜିଲ୍ଲାରେ ପ୍ରଥମ ମୃତ୍ୟୁ ହୋଇଛି |

ଝୁନ୍ଝୁନୁରେ ମାର୍ଚ୍ଚ ୧୮ ତାରିଖରେ ପ୍ରଥମ ମାମଲା ସାମ୍ନାକୁ ଆସିଥିଲା | ମାର୍ଚ୍ଚ ୮ ତାରିଖରେ ଇଟାଲୀରୁ ଝୁନ୍ଝୁନୁ ଫେରିଥିବା ଦମ୍ପତ୍ତି ଏବଂ ତାଙ୍କ ଅଢେଇ ବର୍ଷର ଶିଶୁ କରୋନା ସଂକ୍ରମିତ ହୋଇଥିଲେ | ଏମାନେ ସହରର ବିଭିନ୍ନ ହସ୍ପିଟାଲ ଓ ବଜାର ବୁଲିଥିଲେ | କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବା ପରେ ମାର୍ଚ୍ଚ ୧୭ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ଇଟାଲୀରୁ ଫେରିବାବେଳେ ବିମାନବନ୍ଦରରେ ତାଙ୍କର ଯାଞ୍ଚ ହୋଇଥିଲା କିନ୍ତୁ କରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇନଥିଲା | ସେଥିପାଇଁ ତାଙ୍କୁ ୧୪ ଦିନ ଜଣେ ହୋମ କ୍ଵାରେଣ୍ଟାଇନରେ ରହିବାକୁ କୁହାଯାଇଥିଲା | କିନ୍ତୁ ସେ ସହର ସାରା ବୁଲିଥିଲେ | ଏହାପରେ ସହରରେ କରୋନା ମାମଲା ବଢି ଯାଇଥିଲା | ଏଠାରେ ତବଲିଗିରୁ ଫେରିଥିବା ଲୋକଙ୍କ ପରୀକ୍ଷା କରାଯାଇଥିଲା | ୧୫ ଜଣଙ୍କ ମଧ୍ୟରୁ ୧୪ଜଣ ଜମାତରୁ ଫେରିଥିଲେ ଏବଂ ଜଣେ ବିଦେଶୀ ଯୁବକ ଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.