ଦିଲ୍ଲୀରୁ ଉହାନ ଯାଇଥିବା ଏୟାର ଇଣ୍ଡିଆ ବିମାନର ୧୯ ଯାତ୍ରୀ କରୋନା ସଂକ୍ରମିତ

Published By : Prameya-News7 Bureau | November 03, 2020 IST

ନୂଆଦିଲ୍ଲୀ ୩।୧୧: ଦିଲ୍ଲୀରୁ ଚୀନ୍ ଉହାନ ସହରକୁ ଉଡାଣ ଭରିଥିବା ଗୋଟିଏ ବିମାନରେ ୧୯ ଜଣ ଭାରତୀୟ ଯାତ୍ରୀ କରୋନା ଭାଇରସ୍ ସଂକ୍ରମିତ ଥିବା ଜଣାପଡିଛି । ବନ୍ଦେ ଭାରତ ମିଶନ ଅଧିନରେ ଏହି ବିମାନଟି ଉଡାଣ ଭରିଥିଲା । ଅନ୍ୟପଟେ ଭାରତ ୧୩ ନଭେମ୍ବରରୁ ଚୀନ୍ କୁ ଆଉ ୪ଟି ବିମାନ ଉଡାଣ ସଞ୍ଚାଳିତ କରିବାକୁ ଘୋଷଣା କରିଛି ।

ଗତ ୩୦ ଅକ୍ଟୋବରରେ ଗତ କିଛି ମାସ ମଧ୍ୟରେ ଭାରତରୁ ଚୀନ୍ ଅଭିମୁଖେ ସଞ୍ଚାଳିତ ଷଷ୍ଠ ଏବଂ ଉହାନ ପାଇଁ ପ୍ରଥମ ଉଡାଣରେ ନୂଆଦିଲ୍ଲୀରୁ ୨୭୭ ଭାରତୀୟ ଯାଇଥିଲେ ଏବଂ ପ୍ରତ୍ୟାବର୍ତ୍ତନରେ ୧୫୭ ଭାରତ ଫେରିଛନ୍ତି । ଭାରତୀୟ ଦୂତାବାସ ଘୋଷଣା କରିଛି ଯେ, ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବାକୁ ଭାରତର ଏହି ବଡ ମିଶନ ଅଧିନରେ ଏୟାର ଇଣ୍ଡିଆ ଦିଲ୍ଲୀରୁ ୪ଟି ଉଡାଣ ଭରିବାର ଯୋଜନା କରାଯାଉଛି । ଯାହା ୧୩, ୨୦, ୨୭ ନଭେମ୍ବର ଏବଂ ୪ ଡିସେମ୍ବରରେ ଉଡାଣ ଭରିବ ।

ଅଧିକାରୀମାନେ କହିଛନ୍ତି ଯେ, ଯେଉଁ ୧୯ ଭାରତୀୟ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ବ୍ୟତୀତ ଅତିରିକ୍ତ ୩୯ ଜଣଙ୍କର ପରୀକ୍ଷା ବେଳେ ଶରୀରରେ ଆଣ୍ଡିବଡି ଥିବା ଜଣାପଡିଛି । ସମସ୍ତ ଭାରତୀୟ ଯାତ୍ରୀମାନଙ୍କୁ ବିମାନ ଯାତ୍ରା ପାଇଁ ଅନୁମତି ଦେବା ପୂର୍ବରୁ ଦୁଇ ଦୁଇ ଥର କରୋନା ପରୀକ୍ଷା କରାଇବାକୁ ପଡିଥାଏ । ଭାରତୀୟ ଅଧିକାରୀ କହିଛନ୍ତି ସଂକ୍ରମିତ ହୋଇଥିବା ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.