ଜାନୁଆରୀ ୧୯: ଭାରତ ଓ ଅଷ୍ଟ୍ରେଲିଆର ରହିଛି ପୁରୁଣା ସଂପର୍କ, ଏହି ତାରିଖରେ କେବେ ହାରି ନାହିଁ ଟିମ୍ ଇଣ୍ଡିଆ
19/01/2021 at 8:58 PM

ନୂଆଦିଲ୍ଲୀ ୧୯।୦୧: ଭାରତୀୟ ଦଳ ୨୦୨୧ ଜାନୁଆରୀ ୧୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଛି। ବ୍ରିସବେନର ଗାବା ଷ୍ଟାଡିୟମରେ ଖେଳା ଯାଇଥିବା ସିରିଜ୍ର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଭାରତ ଆଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ଵରେ ଅଷ୍ଟ୍ରେଲିଆକୁ ୩ ଓ୍ଵିକେଟ୍ରେ ହରାଇଛି। ଏହି ବିଜୟ ସହିତ ଭାରତ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୨-୧ରେ ଜିତି ନେଇଛି। କ୍ରମାଗତ ତୃତୀୟ ଥର ଭାରତ ବର୍ଡର-ଗାଭାସ୍କର ଟ୍ରଫି ଉପରେ କବ୍ଜା କରିଛି।
ଜାନୁଆରୀ ୧୯ ତାରିଖ ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ୍ ଇତିହାସରେ ଖାସ୍ ରହିଛି। କିନ୍ତୁ ବିଜୟ ଭାରତକୁ ମିଳିଛି। ଜାନୁଆରୀ ୧୯ ତାରିଖଟି ଭାରତ ପାଇଁ ଏଥିପାଇଁ ଖାସ୍ ରହିଛି କାରଣ ଏହି ଦିନରେ ଭାରତୀୟ କ୍ରିକେଟ୍ ଦଳ ଥରେ ନୁହେଁ ପ୍ରତି ଥର କଙ୍ଗାରୁ ଉପରେ ବିଜୟ ଲାଭ କରିଛି।
୨୦୨୧ ଜାନୁଆରୀ ୧୯
ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ବ୍ରିସବେନର ଗାବାରେ ଖେଳା ଯାଇଥିବା ଚତୁର୍ଥ ଟେଷ୍ଟକୁ ୩ ଓ୍ଵିକେଟ୍ରେ ଜିତି ନେଇଛି। ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମ ଇନିଂସରେ ୩୬୯ ରନ କରିବା ପରେ ଭାରତ ପ୍ରଥମ ଇନିଂସରେ ୩୩୬ ରନରେ ଅଲଆଉଟ୍ ହୋଇଥିଲା। ମହମ୍ମଦ ସିରାଜ ଓ ଶାର୍ଦ୍ଦୁଳ ଠାକୁର ଅଷ୍ଟ୍ରେଲିଆର ଦ୍ଵିତୀୟ ଇନିଂସକୁ ୨୯୪ ରନରେ ସୀମିତ ରଖିଥିଲେ। ଏହା ପରେ ଭାରତୀୟ ଦଳକୁ ବିଜୟ ପାଇଁ ୩୨୮ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଭାରତ ଶୁବମାନ ଗିଲ୍ଙ୍କ ୯୧ ରନ, ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତଙ୍କ ଅପରାଜିତ ୮୯ ରନ ଏବଂ ଚେତେଶ୍ଵର ପୂଜାରାଙ୍କ ଦମଦାର ୫୬ ରନ ବଳରେ ମ୍ୟାଚ୍କୁ ୩ ଓ୍ଵିକେଟ୍ରେ ଜିତି ନେଇଛି।

୨୦୨୦ ଜାନୁଆରୀ ୧୯
୨୦୨୦ରେ ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ଭାରତ ଅଷ୍ଟ୍ରେଲିଆକୁ ବେଙ୍ଗାଲୁରୁରେ ଖେଳା ଯାଇଥିବା ତୃତୀୟ ଦିନିକିଆରେ ୭ ଓ୍ଵିକେଟ୍ରେ ହରାଇଥିଲା। ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍କୁ ୨-୧ରେ ନିଜ ନାମରେ କରିଥିଲା। ଅଷ୍ଟ୍ରେଲିଆ ୯ ଓ୍ଵିକେଟ୍ରେ ୨୮୬ ରନ କରିଥିଲା। ଜବାବରେ ରୋହିତ ଶର୍ମାଙ୍କ ୧୧୯ ଏବଂ ବିରାଟ କୋହଲିଙ୍କ ୮୯ ରନର ଦମଦାର ଇନିଂସ ବଳରେ ଭାରତ ୩ ଓ୍ଵିକେଟ୍ ହରାଇ ୪୭.୩ ଓଭରରେ ଲକ୍ଷ୍ୟ ହାସଲ କରି ନେଇଥିଲା।
୨୦୦୮ ଜାନୁଆରୀ ୧୯
୨୦୦୮ରେ ମଧ୍ୟ ଏହି ଦିନ ଭାରତ ଆୟୋଜକ ଅଷ୍ଟ୍ରେଲିଆକୁ ତାରି ମାଟିରେ ହରାଇ ଥିଲା। ସେହି ସମୟରେ ଦଳର ଅଧିନାୟକ ଥିଲେ ଅନିଲ କୁମ୍ବଲେ। ଉକ୍ତ ମ୍ୟାଚ୍ ସିରିଜ୍ର ତୃତୀୟ ମୁକାବିଲା ଥିଲା। ସେହି ମ୍ୟାଚ୍ରେ ହରଭଜନ ସିଂହଙ୍କୁ ମଙ୍କିଗେଟ୍ କାରଣରୁ କଡା ସମାଲୋଚନାର ସାମ୍ନା କରିବାକୁ ପଡିଥିଲା। ଜାନୁଆରୀ ୧୯ରେ ସମାପ୍ତ ହୋଇଥିବା ଏହି ମୁକାବିଲାରେ ଭାରତ ପର୍ଥରେ କଙ୍ଗାରୁ ଦଳକୁ ୭୨ ରନରେ ହରାଇଥିଲା। ଭାରତ ପ୍ରଥମ ଇନିଂସରେ ୩୩୦ ରନ କରିଥିଲା। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ୨୧୨ରେ ସୀମିତ ରହିଥିଲା। ପୁଣି ଭାରତ ଦ୍ଵିତୀୟ ଇନିଂସରେ ୨୯୪ ରନ କରି ଘରୋଇ ଦଳ ସାମ୍ନାରେ ୪୧୩ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଜବାବରେ ଅଷ୍ଟ୍ରେଲିଆ ୩୪୦ ରନରେ ଅଲଆଉଟ୍ ହୋଇଥିଲା। ଏହା ଉକ୍ତ ସିରିଜ୍ରେ ଭାରତର ଏକ ମାତ୍ର ବିଜୟ ଥିଲା। ଇରଫାନ ପଠାନ ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ସେ ମୋଟ୍ ୫ ଓ୍ଵିକେଟ୍ ନେବା ସହ ଦ୍ଵିତୀୟ ଇନିଂସରେ ୪୬ ରନ କରିଥିଲେ।