ଜ୍ୟୋତିରାଦିତ୍ୟଙ୍କ ସାଙ୍ଗରେ ଯିବା ଇମର୍ତ୍ତି ଦେବୀ, ଦଣ୍ଡୋତିଆ ଓ ଜାଟବଙ୍କୁ ପଡିଲା ମହଙ୍ଗା, ନିର୍ବାଚନ ସଙ୍ଗେ ହରାଇଲେ ମନ୍ତ୍ରୀପଦ

Published By : Prameya-News7 Bureau | November 11, 2020 IST

ଭୋପାଲ୧୧।୧୧: ରାଜନୀତିରେ କିଛି ବି ଅସମ୍ଭବ ନୁହେଁ । ମଧ୍ୟପ୍ରଦେଶ ଉପନିର୍ବାଚନ ଏହା ପୁଣି ଥରେ ପ୍ରମାଣିତ କରିଛି। କମଲ ନାଥଙ୍କ କଂଗ୍ରେସ ସରକାରକୁ ବୁଡେଇ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ବିଜେପିକୁ ଯିବା ମନ୍ତ୍ରୀ ଇମର୍ତ୍ତି ଦେବୀଙ୍କ ସମେତ ଗିରିରାଜ ଦଣ୍ଡୋତିଆ ଓ ଜଶୋବନ୍ତ ଜାଟବଙ୍କ ଲାଗି ମହଙ୍ଗା ପଡିଛି। ଯଦିଓ ସିନ୍ଧିଆଙ୍କ ବୁଝାମଣା ଅନୁସାରେ ଇମର୍ତ୍ତି ଦେବୀଙ୍କୁ ଶିବରାଜଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଯାଇଥିଲା ହେଲେ ନିର୍ବାଚନରେ ପରାଜିତ ହେବା ପରେ ପଦ ହରାଇଛନ୍ତି।

ଇମର୍ତ୍ତିଙ୍କ ଅବସ୍ଥାକୃଷି ରାଷ୍ଟ୍ରମନ୍ତ୍ରୀ ଦଣ୍ଡୋତିଆ ଓ ଜାଟବଙ୍କୁ ମଧ୍ୟ ଭୋଗିବାକୁ ପଡୁଛି। ଜ୍ୟୋତିରାଦିତ୍ୟଙ୍କ ସହ ୧୯ ଜଣ ବିଧାୟକ କଂଗ୍ରେସ ଛାଡି ବିଜେପିକୁ ସମର୍ଥନ କରିଥିଲେ। ତେବେ ଏଥିରୁ ୧୩ ଜଣ ବିଜୟୀ ହୋଇଥିବା ବେଳେ ୬ଜଣଙ୍କୁ ହାର ଦେଖିବାକୁ ପଡିଛି। କଂଗ୍ରେସରୁ ଯାଇ ବିଜେପିରେ ହାରିଥିବା ଏହି ନେତାଙ୍କ ମଧ୍ୟରେ ରଣବୀର ଜାଟବ, ରଘୁରାଜ କଂସାନା ଓ ମୁନ୍ନା ଲାଲ ଗୋୟଲ ମଧ୍ୟ ହାରିଯାଇଛନ୍ତି।

ଜ୍ୟୋତିରାଦିତ୍ୟଙ୍କ ସହ ୧୯ ଜଣ ବିଧାୟକ ଯାଇଥିବା ବେଳେ ଶିବରାଜଙ୍କ ସହ ସମ୍ପର୍କ ଯୋଗୁ  ଏନ୍ଦଲ ସିଂହ କଂସାନା, ବିସାହୁ ଲାଲ ଓ ହରଦୀପ ଡାଙ୍ଗ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ଏଥିରୁ  ବିସାହୁ ଲାଲ ଓ ହରଦୀପ ଡାଙ୍ଗ ନିର୍ବାଚନ ବୈତରଣୀ ପାର ହୋଇଯାଇଥିବା ବେଳେ ଏନ୍ଦଲ ସିଂ କଂସାନାଙ୍କୁ ହାର ଦେଖିବାକୁ ପଡିଛି।

ନିର୍ବାଚନ ଫଳାଫଳକୁ କମଲନାଥ ସ୍ୱୀକାର କରିନେଇଛନ୍ତି। ଜନାଦେସ ଶିରୋଧାର୍ଯ୍ୟ ବୋଲି କହିଛନ୍ତି କମଲନାଥ। ସେହିପରି ବିଜୟୀ ବିଧାୟକଙ୍କୁ ସୁଭେଚ୍ଛା ଜଣାଇବା ସହ ସରକାରଙ୍କ ଯୋଜନା ସମାଜର ଶେଷ ଧାଡିରେ ଥିବା ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି ଏବେଠୁ ଅଣ୍ଟାଭିଡନ୍ତୁ ବୋଲି କହିଛନ୍ତି।  ଯେଉଁମାନେ ପରାସ୍ତ ହୋଇଛନ୍ତି ସେମାନେ ଜନତାଙ୍କ ସହ ରହି ଜନତାଙ୍କ କାମ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି କମଲନାଥ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.