କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ବି କମୁନି କପି, ୩ୟ ଦିନରେ ଧରାପଡିଲେ ୧୧୮ପରୀକ୍ଷାର୍ଥୀ

Published By : Prameya-News7 Bureau | February 25, 2020 IST

କଟକ ୨୫।୨: ସୋମବାର ଦିନ ମାଟ୍ରିକ୍ ପରୀକ୍ଷାରେ ମୋଟ୍ ୧୧୮ଜଣ ପରୀକ୍ଷାର୍ଥୀ କପି କରୁଥିବା ବେଳେ ସ୍କ୍ବାର୍ଡ ହାତରେ ଧରାପଡି ମାଲ୍‌ପ୍ରାକ୍ଟିସ୍‌ (ଏମ୍‌ପି) ଅଭିଯୋଗରେ ବୁକ୍‌ ହୋଇ ପରୀକ୍ଷାରୁ ବାଦ୍‌ ପଡିଛନ୍ତି । ଏଥିମଧ୍ୟରୁ ମାଟ୍ରିକ୍‌ରେ ୧୦୮ଜଣ ପରୀକ୍ଷାର୍ଥୀ ଏମ୍‌ପିରେ ବୁକ୍‌ ହୋଇଥିବା ବେଳେ ଏସ୍‌ଓଏସ୍‌ସି ପରୀକ୍ଷାରେ ୧୦ଜଣ ପରୀକ୍ଷାର୍ଥୀ ଏମ୍‌ପିରେ ବୁକ୍‌ ହୋଇଛନ୍ତି । ସୋମବାର ଦିନ ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ର ଗଣିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତ ବର୍ଷ ଏକ ହଜାର ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ତଥାପି ପ୍ରଥମ ଦିନରେ ପ୍ରଶ୍ନପତ୍ର ଲିକ୍‌ ହୋଇ ଭାଇରାଲ ହୋଇଥିଲା । ବହୁ କେନ୍ଦ୍ରରୁ ନକଲି ପରୀକ୍ଷାର୍ଥୀ ଧରା ପଡ଼ିଥଲେ । ଏହାପରେ ବୋର୍ଡ ପକ୍ଷରୁ ଭିଡ଼ିଓ କନ୍‌ଫରେନ୍ସ କରାଯାଇ ପରୀକ୍ଷାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ କିଛି ପରୀକ୍ଷା କେନ୍ଦ୍ରମାନଙ୍କରେ ପାଚେରି ଡେଇଁ ଅଭିଭାବକମାନେ କପି ଯୋଗାଇଥିଲେ ।

ଏଭଳି ଅଭିଯୋଗ ସମାଧାନ ହୋଇନଥିବା ବେଳେ ଏବେ କଳାହାଣ୍ଡି, କୋରାପୁଟ, ଦେବଗଡ଼ ଓ ପୁରୀ ଜିଲ୍ଲାର ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ୍‌ କାଟି ଦିଆଯାଉଥିବା ନେଇ ଅଭିଯୋଗ ହେଉଛି ।

ଅନ୍ୟପକ୍ଷରେ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ/ସଂସ୍କୃତ ପରୀକ୍ଷା ଶେଷ ହୋଇଥିବା ବେଳେ ଏହାର ଉତ୍ତରଖାତାକୁ ରାଜ୍ୟରେ ହୋଇଥିବା ବିଭିନ୍ନ ମୂଲ୍ୟାୟନ କେନ୍ଦ୍ରକୁ ପଠାଯାଇଥିବା ସୂଚନା ମିଳିଛି । ନୋଡାଲ ସେଣ୍ଟରମାନଙ୍କରେ ଥିବା ଉତ୍ତରଖାତାଗୁଡ଼ିକୁ ରାଜ୍ୟରେ ହୋଇଥିବା ୬୯ ମୂଲ୍ୟାୟନ କେନ୍ଦ୍ରକୁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.