ଆଖି ସାମ୍ନାରେ ଜଳି ପୋଡି ଛାରଖାର ହୋଇଗଲା ୧୮ ବଖରା ଘର: ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ଖୋଜୁଛନ୍ତି ୧୦ ପରିବାର

Published By : Prameya-News7 Bureau | November 29, 2020 IST

ଆନନ୍ଦପୁର୨୯/୧୧: ଆଖି ସାମ୍ନାରେ ଜଳିଗଲା ୧୮ ବଖରା ଘର। ଜୀବନ ବଞ୍ଚାଇ ପାଇଁ ପରିବାର ଲୋକେ ଦୌଡି ପଳାଇଥିଲେ। ହେଲେ ରହିଯାଇଥିଲେ ଗୃହପାଳିତ ପଶୁ। ଭୟାବହ ଅଗ୍ନିକାଣ୍ଡରେ ୭ଟି ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏହି ଅଗ୍ନିକାଣ୍ଡରେ ୨ଟି ପରିବାର ସମ୍ପୂର୍ଣ୍ଣ ସର୍ବହରା ହୋଇପଡିଛନ୍ତି। ଆନନ୍ଦପୁର ବ୍ଲକ ଦୁଡୁଗାଁରେ ଏଳଭି ଅଭାବନୀୟ ଘଟଣା ଘଟିଛି। ବର୍ତ୍ତମାନ କ୍ଷତିଗ୍ରସ୍ତ ପରିବାରଙ୍କ ନିକଟରେ ବ୍ଲକ ପ୍ରଶାସନ ପହଞ୍ଚିଛି।

ଏହି ଅଗ୍ନିକାଣ୍ଡରେ ରମାକାନ୍ତ ଦାସଙ୍କ ୪ ବଖରା, ଗୟାଧର ଦାସଙ୍କ ୨ ବଖରା, ଭରତ ଚନ୍ଦ୍ର ଦାସଙ୍କ ୧ ବଖରା, ଅଭିମନ୍ୟୁ ଦାସଙ୍କ ୧ ବଖରା, ଚୈତନ୍ୟ ଦାସଙ୍କ ୨ ବଖରା, ଶଙ୍କର୍ଷଣ ଦାସଙ୍କ ୧ ବଖରା, ବସନ୍ତ ଦାସଙ୍କ ୧ ବଖରା, ରଞ୍ଜିତା ଦାସଙ୍କ ୨ ବଖରା, ଶରତ ଚନ୍ଦ୍ର ଦାସଙ୍କ ୨ ବଖରା ଏବଂ ପ୍ରକାଶ ଦାସଙ୍କ ୨ ବଖରା ଜଳି ପୋଡି ପାଉଁଶ ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ ପ୍ରଥମେ ଗୁହାଳ ଘରେ ନିଆଁ ଲାଗିଥିଲା। ନିଆଁରେ ପ୍ରକୋପ ଏତେ ଭୟଙ୍କର ଥିଲା ଯେ କିଛି ସମୟ ମଧ୍ୟରେ ଚାରିଆଡ଼େ ବ୍ୟାପି ଯାଇଥିଲା। ୧୦ ପରିବାର ୧୮ ବଖରା ଘର ପୋଡି ଜଳି ପାଉଁଶ ହୋଇଗଲା। ଏହି ଅଗ୍ନିକାଣ୍ଡରେ ୨ ଜଣ ବୃଦ୍ଧା ଆହତ ହୋଇଥିବା ଜଣାପଡିଛି। ଏହି ଘଟଣା ପରେ ମାନବିକତାର ପରିଚୟ ଦେଇଛନ୍ତି ଗାଁ ଲୋକେ। ରନ୍ଧା ଖାଦ୍ୟ କରି ଅଗ୍ନି ବିପନ୍ନମାନଙ୍କୁ ଦେଇଛନ୍ତି। ପ୍ରଶାସନ ସେମାନଙ୍କ ଥଇଥାନର ସହ ତୁରନ୍ତ କ୍ଷତିପୂରଣ ଭରଣ କରନ୍ତୁ ବୋଲି ଗାଁ ଲୋକେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.