Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନେଦରଲ୍ୟାଣ୍ଡ ମ୍ୟୁଜିୟମରୁ ସ୍ୱର୍ଣ୍ଣଯୁଗୀୟ କଳାକୃତି ଚୋରି,୧୩ ମିଲିୟନ ପାଉଣ୍ଡର ପେଣ୍ଟିଂକୁ ୩ଥର ନେଲେଣି ଚୋର

28/08/2020 at 9:43 PM

ଉଟ୍ରେକ୍ଚ:  ବିୟର୍ ମଗ୍ ସହ ହସୁଥିବା ଦୁଇ ବାଳକଙ୍କ ସ୍ୱର୍ଣ୍ଣଯୁଗୀୟ କଳାକୃତି ଉଟ୍ରେକ୍ଟ ସହର ନିକଟସ୍ଥ ଲିରଡମ ସଂଗ୍ରହାଳୟରୁ ଚୋରି ହୋଇଯାଇଛି। ଏହି କଳାକୃତିର ମୂଲ୍ୟ ଅନୁନ୍ୟ ୧୩ ନିୟୁତ ପାଉଣ୍ଡ ହୋଇଥିବା ବେଳେ ଏଥରକୁ ମିସାଇ କଳାକୃତିଟି ୩ ଥର ଚୋରି ହେଲାଣି ବୋଲି ପୋଲିସ କହିଛି। ଏହି କଳାକୃତି ଓଲ୍ଡ ମାଷ୍ଟର ଫ୍ରାନ୍ସ ହଲ୍‌ଙ୍କର ହୋଇଥିବା ବେଳେ ଏହା ୧୬୨୬-୨୭ ମସିହାର ବୋଲି ଜଣାପଡିଛି। 

ହୋଫଜେ ଭେନ୍ ଆର୍ଡେନ ସଂଗ୍ରହାଳୟର ପଛପଟ ଦ୍ୱାର ଦେଇ ଚୋରମାନେ ପେଣ୍ଟିଂକୁ ବାହାର କରିନେଇଛନ୍ତି। ପୂର୍ବାହ୍ନ ପ୍ରାୟ ୩ଟା ୩୦ରେ ସଂଗ୍ରହାଳୟର ଅଧିକାରୀମାନେ ପହଞ୍ଚିବା ବେଳକୁ ହସକୁରା ବାଳକଙ୍କ ପେଣ୍ଟିଂଟି ତା ସ୍ଥାନରେ ନଥିବା ଦେଖିବାକୁ ପାଇଥିଲେ। ଖୋଜା ଖୋଜି କରିବା ବେଳେକୁ ସଂଗ୍ରହାଳୟର ପଛପଟ ଦ୍ୱାର ଖୋଲାପଡିଥିବା ଦେଖାଯାଇଥିଲା। ଏଣୁ ପେଣ୍ଟିଂଟି ଚୋରି ହୋଇଯାଇଥିବା ଅଧିକାରୀ ଜାଣିବା ପରେ ପୋଲିସକୁ ସୂଚିତ କରିତିଲେ।

ଡଚ୍ ପୋଲିସ ସୂତ୍ରାନୁସାରେ ଏହି ପେଣ୍ଟିଂ ଚୋରି ହେବା କିଛି ନୂଆ କଥା ନୁହେଁ। ଆଗରୁ ମଧ୍ୟ ଚୋରମାନେ ୨ ଥର ପେଣ୍ଟିଂକୁ ନେଇ ଯାଇଥିଲେ। ୧୯୮୮ ମସିହାରେ ଏହି ପେଣ୍ଟିଂକୁ ସଂଗ୍ରହାଳୟରୁ ଜାକବ ଭେନ୍ ରୁଇସ୍‌ଡେଲଙ୍କ କଳାକୃତି ‘ଫରେଷ୍ଟ ଭ୍ୟୁ ୱିଥ୍ ଫ୍ଲାୱାରିଂ ଏଲ୍ଡରବେରୀ’ ସହ ଚୋରମାନେ ନେଇ ଯାଇଥିଲେ। ତେବେ ପ୍ରାୟ ୩ ବର୍ଷ ପରେ ପେଣ୍ଟିଂ ଦୁଇଟିକୁ ଉଦ୍ଧାର କରାଯାଇଥିଲା।

ସେହିପରି ଗତ ୨୦୧୧ ମସିହାରେ ମଧ୍ୟ ଏହି ପେଣ୍ଟିଂ ଦୁଇଟି ପୁନର୍ବାର ଚୋରି ହୋଇଥିଲା। ପ୍ରାୟ ୬ ମାସ ପରେ ଉଭୟ ପେଣ୍ଟିଂ ଉଦ୍ଧାର କରି ସଂଗ୍ରହାଳୟକୁ  ଫେରାଇ ଦିଆଯାଇଥିଲା। ତେବେ ଡଚ୍ ଗଣମାଧ୍ୟମ ସୂଚନା ଅନୁସାରେ ଦ୍ୱିତୀୟବାର ପେଣ୍ଟିଂ ଚୋରି ହେବା ପରେ ସଂଗ୍ରହାଳୟର ସୁରକ୍ଷା କଡାକଡି କରାଯାଇଥିଲା। ଉଭୟ ପେଣ୍ଟିଂକୁ ଦର୍ଶକଙ୍କ ସାମ୍ନାରେ ରଖା ଯାଇଥିଲା। ହସକୁରା ବାଳକଙ୍କ ପେଣ୍ଟିଂର ଅନୁମାନିକ ମୂଲ୍ୟ ଏବେ ପ୍ରାୟ ୧୩.୪ ମିଲିୟନ ଷ୍ଟେର୍ଲିଂ ପାଉଣ୍ଡ ହେବ।

୧୬୬୬ରେ ପରଲୋକ ଗମନ କରିଥିବା କଳାକାର ଫ୍ରାନ୍ସ ହଲଙ୍କୁ ଡଚ୍ ପୁଞ୍ଜିପତି ବର୍ଗଙ୍କ ମହାନ ଚିତ୍ରକର ଭାବେ ବର୍ଣ୍ଣନା କରାଯାଇଛି। ତେବେ ଏହି ପେଣ୍ଟିଂ ଚୋରି ମାମଲାର ତଦନ୍ତ ଲାଗି ପୋଲିସ ଜାତୀୟ ଫରେନସିଂକ ବିଶେଷଜ୍ଞ ଓ କଳା ଚୋରୀ ବିଶେଷଜ୍ଞଙ୍କ ସାହାରା ନେବ ବୋଲି କହିଛି। ଅଧିକାରୀ ସିସିଟିଭି ଫୁଟେଜ୍ ଖୋଜିବା ସହ ଲୋକଙ୍କୁ ମଧ୍ୟ ଚୋରଙ୍କ ସମ୍ପର୍କରେ ସୂଚନା ଦେବା ଲାଗି ନିବେଦନ କରିଛନ୍ତି।

   Related Posts