କ୍ରିକେଟ୍ ମଇଦାନରେ ମର୍ଡର : ନାବାଳକକୁ ଛୁରୀ ଭୁସି ହତ୍ୟାକଲେ ସାଥୀ ଖେଳାଳୀ
19/01/2021 at 4:20 PM

ନୂଆଦିଲ୍ଲୀ ୧୯/୦୧ : ଦିଲ୍ଲୀର ମାଙ୍ଗାଲୋଇରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପଡିଆରେ କ୍ରିକେଟ୍ ଖେଳୁଥିବା ସମୟରେ ଜଣେ ୧୭ ବର୍ଷୀୟ ନାବାଳାକକୁ ଛୁରୀ ଭୁସି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଘଟଣାରେ ସଂପୃକ୍ତ ୩ ଜଣ ନାବାଳକଙ୍କୁ କାବୁ କରାଯାଇଛି । ଏହା ସହିତ ଜଣେ ନାବାଳକର ପିତା ଏବଂ ୨ଜଣ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି ।
ଘଟଣା ବାବଦରେ ପୋଲିସ କହିଛି ଯେ, ନାବାଳକଜଣକ ନିଜ ବନ୍ଧୁମାନଙ୍କ ସହ କ୍ରିକେଟ୍ ଖେଳୁଥିବା ସମୟରେ ଜଣେ ନାବାଳକ ତାର କିଛି ସାଙ୍ଗମାନଙ୍କ ସହ ସେଠାରେ ପହଞ୍ଚି, ପଡିଆରେ ଖେଳିବା ପାଇଁ ମନା କରିଥିଲା । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତ ଏବଂ ମୃତକ ଉଭୟ ଗୋଟଏ ସ୍ଥାନରେ କ୍ରିକେଟ୍ ଖେଳନ୍ତି । ତେବେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିବାରୁ ଅଭିଯୁକ୍ତ ନାବାଳକ କ୍ରିକେଟ୍ ନଖେଳିବାକୁ ଧମକ ଦେଇଥିଲା ।
ତେବେ ପରଦିନ ମୃତକ ନାବାଳକ କ୍ରିକେଟ୍ ଖେଳୁଥିବା ସମୟରେ ଅଭିଯୁକ୍ତ ନାବାଳାକ ଏବଂ ତାର କିଛି ସାଙ୍ଗ ସେଠାରେ ପହଞ୍ଚିଯାଇଥିଲା । ଏହା ପରେ ଉଭୟଙ୍କ ମଧ୍ୟରେ ଝଗଡାର ସୂତ୍ରପାତ ହୋଇଥିଲା । ପରେ ଅଭିଯୁକ୍ତଜଣକ ଛୁରୀ ବାହାର କରି ଉକ୍ତ ନାବାଳକକୁ ଆକ୍ରମଣ କରିଥିଲେ । ବାରମ୍ବାର ଛୁରୀ ଭୁସିବା ଯୋଗୁଁ ଘଟଣାସ୍ଥଳରେ ହିଁ ନାବାଳାକର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ପୋଲିସ ଏହି ସମ୍ବେଦନଶୀଳ ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।