ନୂଆଦିଲ୍ଲୀ ୦୩।୦୫: ରାଜଧାନୀ ଦିଲ୍ଲୀରେ କରୋନାର ପ୍ରକୋପ ବଢିବାରେ ଲାଗିଛି। ଗତକାଲି କାପସହେଡାର ଯେଉଁ ବିଲ୍ଡିଂରୁ ୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ଆଜି ସେଠାରୁ ପୁଣି ୧୭ ନୂତନ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ, ଏହି ବିଲ୍ଡିଂକୁ ଏପ୍ରିଲ ୧୯ରେ ସିଲ୍ କରାଯାଇଥିଲା।
ସାଉଥ ଓ୍ଵେଷ୍ଟ ଦିଲ୍ଲୀର ଜିଲ୍ଲାପାଳ ଏହାର ସୂଚନା ଦେଇ କହିଛନ୍ତି ଯେ, ସିଲ୍ ହୋଇଥିବା ଏହି ବିଲ୍ଡିଂରୁ ଆହୁରି ୧୭ଟି ନୂତନ କୋଭିଡ୍-୧୯ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଉକ୍ତ ବିଲ୍ଡିଂରୁ ମୋଟ୍ ୫୮ ଜଣ ଆକ୍ରାନ୍ତଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏବେ ଅପରେସନ ସିଲ୍ଡ ଜରିଆରେ ପୂରା ଇଲାକାରେ ଯାଞ୍ଚ ଜୋରଦାର କରାଯିବ। ଏଠାରୁ ଏପ୍ରିଲ ୨୦ରେ ୯୫ ଲୋକଙ୍କ ନମୂନା ଏବଂ ଏପ୍ରିଲ ୨୧ରେ ୮୦ ନମୂନା ଯାଞ୍ଚ ପାଇଁ ନିଆଯାଇଥିଲା। ଏହି ନମୂନା ନୋଏଡା ଏନଆଇବିକୁ ପଠାଯାଇଥିଲା। ଏବେ ସୁଦ୍ଧା ମୋଟ୍ ୫୮ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ଶନିବାର କରୋନା ଭାଇରସ୍ ସଂକ୍ରମଣର ୩୮୪ ନୂତନ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ମୋଟ୍ ସଂକ୍ରମିତ ସଂଖ୍ୟା ୪,୧୨୨କୁ ବୃଦ୍ଧି ଘଟିଛି। ଏହା ସହିତ ଏହି ମହାମାରୀରେ ୬୪ ଜଣଙ୍କ ପ୍ରାଣହାନୀ ଘଟି ସାରିଲାଣି।