ବାଳ ସୁଧାର ଗୃହରୁ ୩ଓ୍ବାର୍ଡ଼ରଙ୍କୁ ଆକ୍ରମଣ କରି ୧୭ ନାବାଳକ ବନ୍ଦୀ ଫେରାର : ଅନେକ ଜିଲ୍ଲାରେ ଆଲର୍ଟ

Published By : Prameya-News7 Bureau | October 13, 2020 IST

ହିସାର ୧୩/୧୦: ହରିୟାଣାର ହିସାରରେ ବରବାଲା ରୋଡ ସ୍ଥିତ ବାଳ ସୁଧାର ଗୃହରୁ ସୋମବାର ବିଳମ୍ବିତ ସନ୍ଧ୍ୟାରେ ୧୭ଜଣ ବନ୍ଦୀ ନାବାଳକ ଓ୍ବାର୍ଡ଼ରଙ୍କୁ ଆକ୍ରମଣ କରି ଫେରାର ହୋଇ ଯାଇଛନ୍ତି। ଏହି ଆକ୍ରମଣରେ ଘଟଣାସ୍ଥଳରେ ମୁତୟନ ଥିବା ୩ଜଣ ଓ୍ବାର୍ଡ଼ର ଆହତ ହୋଇଥିଲେ ଯେଉଁମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନାବାଳକ ବନ୍ଦୀ ଫେରାର ହେବା ପରେ ପୋଲିସ୍ ଓ୍ବାୟାରଲେସ୍ ଜରିଆରେ ଜିଲ୍ଲାର ସମସ୍ତ ଥାନା ସହ ଜିଲ୍ଲା ସହ ଲାଗିଥିବା ଅନ୍ୟ ଜିଲ୍ଲାର ପୋଲିସଙ୍କୁ ମଧ୍ୟ ଆଲର୍ଟ କରି ଦେଇଥିଲା।

ଖବର ଲେଖାଯିବା ସୁଦ୍ଧା ପୋଲିସ୍ ଫେରାର ଥିବା ନାବାଳକ ବନ୍ଦୀଙ୍କ ମଧ୍ୟରୁ କାହାକୁ ବି ଧରି ପାରିନଥିଲା। ଘଟଣା ପରେ ଏଏସପି ଉପାସନା ଯାଦବ ବାଳ ସୁଧାର ଗୃହ ଗସ୍ତ କରିଥିଲେ ଏବଂ ସ୍ଥିତିର ସମୀକ୍ଷା କରିଥିଲେ। ଏହା ପରେ ଘଟଣାସ୍ଥଳରେ ଫରେନସିକ୍ ଟିମ୍ ମଧ୍ୟ ପହଞ୍ଚିଥିଲା ଯେଉଁମାନେ ଘଟଣାସ୍ଥଳରୁ ତଥ୍ୟ ଜୁଟାଇଥିଲେ।

ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟା ପାଖାପାଖି ୬ଟାବେଳେ ନାବାଳକ ବନ୍ଦୀଙ୍କୁ ବାରାକରୁ ବାହାରକୁ ଆଣି ସେମାନଙ୍କୁ ଗଣା ଯାଉଥିଲା। ଗଣା ସରିବା ପରେ ସେମାନଙ୍କୁ ଖାଇବା ପାଇଁ ଯିବାର ଥିଲା କିନ୍ତୁ ହଠାତ୍ କିଛି ନାବାଳକ ସେଠାରେ ମୁତୟନ ଥିବା ଓ୍ବାର୍ଡ଼ରଙ୍କ ଉପରେ ଆକ୍ରମଣ କରି ଦେଇଥିଲେ।

ହଠାତ୍ ହୋଇଥିବା ଏହି ଆକ୍ରମଣ ବିଷୟରେ ଓ୍ବାର୍ଡ଼ର କିଛି ବୁଝିପାରିନଥିଲେ ଏବଂ ନାବାଳକ ବନ୍ଦୀ କାଠ ଝରକାରୁ ସେମାନଙ୍କୁ ଯାହା ବି ମିଳିଥିଲା ସେଥିରେ ସେମାନେ ଆକ୍ରମଣ କରିଥିଲେ। ଆହତ ଓ୍ବାର୍ଡ଼ରଙ୍କୁ ନାଗରିକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.