ଆଇଫୋନ୍ ଭାଙ୍ଗିଯିବାରୁ ନିର୍ଯାତନା ଦେଲା ସାଙ୍ଗ: ସହିନପାରି ୪ମହଲାରୁ ଡେଇଁ ପଡ଼ିଲା ୧୬ବର୍ଷର ନାବାଳକ
4/09/2020 at 5:40 PM

ନୂଆଦିଲ୍ଲୀ ୪/୯: ଦେଶର ରାଜଧାନୀ ଦିଲ୍ଲୀରେ ଏକ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ନାବାଳକ ଆଇଫୋନ୍ ଭାଙ୍ଗିଯିବା କାରଣରୁ ଅପମାନିତ ହେବା ପରେ ୪ମହଲାରୁ ଡେଇଁ ପଡ଼ିଛି। ଏହା ପରେ ନାବାଳକକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପ୍ରକୃତରେ,ପୋଲିସକୁ ପିସିଆର କଲ୍ ଜରିଆରେ ସୂଚନା ମିଳିଥିଲା ଯେ ଜଣେ ନାବାଳକ ଛାତରୁ ଡେଇଁ ପଡ଼ିଛି। ପୋଲିସ୍ ଯାଞ୍ଚରୁ ଜାଣିବାକୁ ପାଇଥିଲା ଯେ ଦିଲ୍ଳୀରେ ରହୁଥିବା ୧୬ବର୍ଷ ବୟସର ନାବାଳକ ଚିରାଗ ଛାତରୁ ଡେଇଁ ପଡ଼ିଛି। ଏହା ପରେ ତାକୁ ଗୁରୁତର ଅବସ୍ଥାରେ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଛି।
ପଚରାଉଚରା କରିବାରୁ ନାବାଳକ କହିଥିଲା ଯେ ଗତକାଲି ସନ୍ଧ୍ୟା ପାଖାପାଖି ୭ଟାରେ ସେ ନିଜ ସାଙ୍ଗ ସହ ସାଇକେଲରେ ନିଜ ବାପାଙ୍କ ଦୋକାନକୁ ଯାଉଥିଲା। ଭାରସାମ୍ୟ ହରାଇ ତା ସାଇକେଲ୍ ସାଙ୍ଗ ହନି ସହ ଧକ୍କା ହୋଇଥିଲା। ଏହି ସମୟରେ ହନିର ଆଇଫୋନ୍ ତଳେ ପଡ଼ି ଭାଙ୍ଗି ଯାଇଥିଲା।
ଏହା ପରେ ହନି ମୋବାଇଲ୍ ଫୋନ୍ ମରାମତି ପାଇଁ ତାକୁ ଟଙ୍କା ମାଗିଥିଲା। ଏହା ପରେ ଚିରାଗର ବାପା ପୋନ୍ ମରାମତି କରି ଦେବାକୁ ପ୍ରତିଶୃତି ଦେଇଥିଲେ। ହନି ଏଥିପାଇଁ ୬୨୦୦୦ଟଙ୍କା କ୍ଷତିପୂରଣ ପାଇଁ ମାଗିଥିଲା ଏବଂ ଏଥିପାଇଁ ସେ ତାକୁ ବନ୍ଦୀ କରି ରଖିଥିଲା। ଏହି ସମୟରେ ଚିରାଗକୁ ଶାରିରୀକ ଏବଂ ମାନସିକ ନିର୍ଯାତନା ଦିଆଯାଇଥିଲା।
ଚିରାଗକୁ ତାଙ୍କ ଘରର ଚାକର ଭାବେ କାମ କରିବାକୁ କୁହାଯାଇଥିଲା। ଏହା ପରେ ଚିରାଗ ଖାଇବା ଆଣିବା ବାହାନାରେ ନିଜ ଘରକୁ ଯାଇଥିଲା। ତାକୁ ନିଜ ପାଇଁ ଏବଂ ବାପାଙ୍କ ଅପମାନ ପାଇଁ ଏତେ ଖରାପ ଲାଗିଥିଲା ଯେ ସେ ଆତ୍ମହତ୍ୟା କରିବା ପାଇଁ ୪ମହଲାରୁ ଡେଇଁ ପଡ଼ିଥିଲା। ବର୍ତ୍ତମାନ ଚିରାଗକୁ ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସା କରାଯାଉଛି।