ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବେ କଂଗ୍ରେସ ସମେତ ୧୬ ରାଜନୈତିକ ଦଳ

Published By : Prameya-News7 Bureau | January 28, 2021 IST

ନୂଆଦିଲ୍ଲୀ ୨୮/୦୧ : ସଂସଦ ବଜେଟ ଅଧିବେଶନ ସମୟରେ ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବେ। ବିରୋଧୀ ଦଳ କହିଛନ୍ତି ଯେ ଯେଉଁଭଳି ଭାବେ ଗତ ଅଧିବେଶନରେ ୩ଟି କୃଷି ଆଇନକୁ ପାରିତ କରାଯାଇଥିଲା, ସେହି ଆଇନ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି।

ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବିରୋଧ କରୁଥିବା ଦଳଗୁଡିକ ହେଲା କଂଗ୍ରେସ, ଏନସିପି, ଜେକେଏନସି, ଡିଏମକେ, ଏଆଇଟିସି, ଶିବସେନା, ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇଏମଏଲ, ସିପିଆଇ, ଆଇୟୁଏମଏଲ, ଆରଏସପି, ପିଡିପି, ଏମଡିଏମକେ, କେରଳ କଂଗ୍ରେସ ଓ AIUDF ।

ରାଜ୍ୟସଭାରେ କଂଗ୍ରେସ ସଦସ୍ୟ ଓ ନେତା ପ୍ରତିପକ୍ଷ ଗୁଲାମ ନବୀ ଆଜାଦ ଏ ସମ୍ପର୍କରେ କହିଛନ୍ତି ଯେ, 'ଆମେ ୧୬ଟି ରାଜନୈତିକ ଦଳ ତରଫରୁ ଗୋଟିଏ ବୟାନ ଜାରି କରୁଛୁ ଯେ ଆସନ୍ତାକାଲି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବୁ। ଏହାର କାରଣ ହେଲା କୃଷି ଆଇନକୁ ସଂସଦରେ ଜୋର ଜବରଦସ୍ତି ପାରିତ କରାଯାଇଥିଲା। ୧୬ ବିରୋଧୀ ଦଳ ଚାଷୀ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବୁ ସେ କହିଛନ୍ତି। ଏହାସହ ଗଣତନ୍ତ୍ର ଦିବସରେ ହିଂସା ମାମଲାରେ କେନ୍ଦ୍ରର ଭୂମିକା ନେଇ ତଦନ୍ତ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ, ନିୟମ ଅନୁଯାୟୀ, ବଜେଟ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାଜ୍ୟସଭା ଓ ଲୋକସଭାର ସଂଯୁକ୍ତ ସଦନକୁ ସମ୍ବୋଧିତ କରନ୍ତି। ସାଧାରଣତଃ ରାଷ୍ଟ୍ରପତିଙ୍କ ଅଭିଭାଷଣ ଦିନ ସଂସଦ ସ୍ଥିତ ସେଣ୍ଟ୍ରାଲ ହଲରେ ରାଜ୍ୟସଭା ଓ ଲୋକସଭା ସଦସ୍ୟ ଏକାସଙ୍ଗେ ବସନ୍ତି। କିନ୍ତୁ ଏଥର କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିଶେଷ ବ୍ୟବସ୍ଥା ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାନୁଆରୀ ୨୯ ତାରିଖ ଶୁକ୍ରବାର ଦିନ ସଦନର ସଂଯୁକ୍ତ ବୈଠକକୁ ସମ୍ବୋଧିତ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.