ପି.ଏଲ.ଜି.ଏ ସପ୍ତାହରେ ଆତ୍ମସମର୍ପଣ କଲେ ୧୬ ମାଓବାଦୀ, ମୁଣ୍ଡପିଛା ଥିଲା ଲକ୍ଷାଧିକ ଟଙ୍କାର ଘୋଷଣା

Published By : Prameya-News7 Bureau | December 04, 2021 IST


ମାଲକାନଗିରି, ୦୪/୧୨: ମାଓବାଦୀଙ୍କ ପି.ଏଲ.ଜି.ଏ ସପ୍ତାହରେ ପୋଲିସ ପାଖରେ ଆତ୍ମସମର୍ପଣ କଲେ ୧୬ ଜଣ ମାଓବାଦୀ । ମାଲକାନଗିରି ଛତିଶଗଡ ସିମାନ୍ତ ଦାନ୍ତେୱାଡା ଜିଲ୍ଲାରେ ଲାଲ୍ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇଛନ୍ତି ଏହି ୧୬ ଜଣ ମାଓବାଦୀ । ଦୁର୍ଗମ ଅଞ୍ଚଳରେ ଚାଲିଥିବା ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଓ ବସ୍ତର ପୋଲିସର ଲୋନ ବାରଟୁ ଅଭିଯାନରେ ଆକୃଷ୍ଟ ହୋଇ ଦାନ୍ତେୱାଡା ଏସପି ଅଭିଶେଖ ପଲ୍ଲଭଙ୍କ ପାଖରେ ଆଜି ୧୬ ଜଣ ନକ୍ସଲ ଆତ୍ମ ସମର୍ପଣ କରିଛନ୍ତି ।

ଏମାନେ ସମସ୍ତେ ଦୀର୍ଘ ବର୍ଷ ଧରି ମାଓ ସଂଗଠନରେ କାର୍ଯ୍ୟ କରି ଅନେକ ହିଂସାକାଣ୍ଡ ଘଟାଇବା ସହ କିରନନ୍ଦୁଲ ଥାନାର କୁଟେରୁ ଅଞ୍ଚଳରେ ସକ୍ରିୟ ରହିଥିଲେ । ଆତ୍ମସମର୍ପଣ କରିଥିବା ୧୬ ଜଣ ମାଓବାଦୀଙ୍କୁ ଧରିବା ଲାଗି ପୁର୍ବରୁ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କାର ଅର୍ଥ ରାଶି ଘୋଷଣା କରିଥିଲେ । ତେବେ ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଏହି ୧୬ ଜଣ ନକ୍ସଲଙ୍କ ନାମରେ ପୂର୍ବରୁ ଥିବା ସମସ୍ତ ମାମଲା ପୋଲିସ ପ୍ରତ୍ୟାହାର କରିନେବ ବୋଲି ଏସପି କହିଛନ୍ତି । ଏହା ସହ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଲାଗି ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ଦାନ୍ତେୱାଡା ଏସ.ପି. କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.